ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ନୀତିନିୟମମାନ ଶୁଭାରମ୍ଭ ହେଲା
ନୂଆଦିଲ୍ଲୀ/ଭୁବନେଶ୍ବର, ସେପ୍ଟେମ୍ବର ୦୩ – ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ କରକମଳରେ ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ ଗାଇଡଲାଇନର ଶୁଭାରମ୍ଭହୋଇଯାଇଛି । ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ବିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ଵ ଉପରେ ଗାଇଡଲାଇନରେ ଜୋର୍ ଦିଆଯାଇଛି ।
ଶିକ୍ଷା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ଅଭିନବ ପଦକ୍ଷେପ ପାଇଁ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ'ର ମାନବ ପୁଞ୍ଜି ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବାର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ହେବ । ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ଆଗାମୀ ଦିନରେ ଶତ-ପ୍ରତିଶତ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବା ଶିଶୁମାନଙ୍କର ଯତ୍ନ ନେବା ।
ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ନୀତିନିୟମମାନ ଶୁଭାରମ୍ଭ ହେଲା
ଏହି ଅବସରରେ ଶ୍ରୀ ପ୍ରଧାନ + ୨ ପର୍ଯ୍ୟନ୍ତ ପାଠ ପଢିନଥିବା ଏବଂ ଆଗକୁ ପାଠ ପଢିବା ପାଇଁ ଇଚ୍ଛା ରଖୁଥିବା ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମଡ୍ୟୁଲ ପ୍ରସ୍ତୁତ କରିବାକୁ ମହିଳା, ଶିଶୁ ବିକାଶ ଓ ଶିକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଏଆଇ ସମେତ ଅନ୍ୟ ଜ୍ଞାନକୌଶଳ ମାଧ୍ଯମରେ ବିଶ୍ବରେ ଜୀବନଶୈଳୀ ସହଜ ହୋଇଛି ।ଏଥିପାଇଁ ଆମକୁ ଏଆଇର ଉପଯୋଗ କରି ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ଉଚିତ୍ । ଆମର ଅଙ୍ଗନବାଡ଼ି ଦିଦିମାନେ ପିଲାମାନଙ୍କର ପ୍ରଥମ ଗୁରୁ ଏବଂ ଏଆଇ ମାଧ୍ଯମରେ ଭାରତୀୟ ଭାଷାରେ ଶିକ୍ଷାକୁ ଅଧିକ ସରଳ କରାଯାଇପାରିବ । ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ । ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି । ଏହି ଅଭୁତପୂର୍ବ ସଫଳତା ଆମର ଅଙ୍ଗନବାଡି ଦିଦିମାନଙ୍କର କଠିନ ପରିଶ୍ରମର ପ୍ରତିଫଳନ । ବର୍ତ୍ତମାନ ସମୟରେ ଆମର ଦାୟିତ୍ଵ ହେଉଛି, ଦେଶର ପ୍ରାୟ ୧୫ କୋଟି ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉ, ସେମାନଙ୍କର ସ୍ବାସ୍ଥ୍ୟବସ୍ଥାର ଯତ୍ନ ନେଉ, ତେବେ ଯାଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନିପୁଣ ଭାରତର ସ୍ବପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ବାକ୍ଷରତା ବିଭାଗର ସହଯୋଗରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ପଦକ୍ଷେପ ବିକଶିତ ଭାରତର ମାନବ ସମ୍ବଳ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅଧୀନରେ ଏହି ଗାଇଡଲାଇନ, ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ବିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ତ୍ବ ଉପରେ ଯୋର୍ ଦେଉଛି । ସମଗ୍ର ଭାରତବର୍ଷରେ ସ୍କୁଲ ପରିସରରେ ପୂର୍ବରୁ ୨.୯ ଲକ୍ଷରୁ ଅଧିକ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଥିପାଇଁ ଏହି ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀ ପରିଚାଳନା ସମ୍ୱନ୍ଧୀୟ ଆବଶ୍ୟକ ସ୍ପଷ୍ଟତା ପ୍ରଦାନ କରିବ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମଡେଲକୁ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ବଢାଇବା ଦିଗରେ ସମର୍ଥ କରିବ ।
ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶର ଉଭୟ ବିଭାଗର ପ୍ରତିନିଧ୍ ଏବଂ ଅଙ୍ଗନୱାଡି କର୍ମଚାରୀମାନେ ଯୋଗଦେଇଥିଲେ ।