ବିଶ୍ୱ ସ୍ତରରେ ଓଡିଶା ର ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କୁ ଉପସ୍ଥାପନ କରିବା ହିଁ ବୈଦେଶିକ ସେବା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ
ବୈଦେଶିକ ସେବା ଅଧିକାରୀମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ କହିଲେ ଯେ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ସୁଦୀର୍ଘ ଉପକୂଳ, ଗଭୀର ବନ୍ଦର ସହ ଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି । ଓଡ଼ିଶାର ଶିଳ୍ପନୀତି ସଂକଳ୍ପ-୨୦୨୨ ମାଧ୍ୟମରେ ନୀତିଗତ ନିଷ୍ପତ୍ତି ଗ୍ରହଣରେ ତ୍ୱରାନ୍ୱିତ ପ୍ରକ୍ରିୟା, ପ୍ରଭାବଶାଳୀ ଏକକ ୱିଣ୍ଡୋ ସିଷ୍ଟମ୍ ବ୍ୟବସ୍ଥା ସହ ସ୍ୱଚ୍ଛ ଶାସନ ଓ ବ୍ୟବସାୟ କରିବାର ଅନୁକୂଳତା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି ବୋଲି ସେ କହିଥିଲେ । ପ୍ରତିନିଧିମାନେ ଭାରତର ରାଷ୍ଟ୍ରଦୂତ ଭାବେ ବିଦେଶରେ ଏସବୁ ତଥ୍ୟ ଉପସ୍ଥାପନ କରିପାରିବେ । ଏହା ଦ୍ୱାରା ବିଦେଶୀ ନିବେଶକମାନେ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ । ବିଶ୍ୱ ଦକ୍ଷତା କେନ୍ଦ୍ରର ବ୍ୟାପକ ନେଟ୍ୱାର୍କ ମାଧ୍ୟମରେ ଆଇଟିଆଇ ଓ ପଲିଟେକ୍ନିକ୍ରେ ଦକ୍ଷତା ବିକାଶ କ୍ଷେତ୍ରରେ ବେଶ୍ ଅଗ୍ରଗତି କରିଛି । ଆଇଟିଇ ସିଙ୍ଗାପୁର ସହ ସହଭାଗିତା ଦ୍ୱାରା ସର୍ବାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପ୍ରଦାନକୁ ବ୍ୟାପକ କରାଯାଇଛି ।
ଓଡ଼ିଶା ଏବେ ଏପରି କର୍ମଶକ୍ତି ସୃଷ୍ଟି କରୁଛି ଯାହା କେବଳ ନିଯୁକ୍ତିଭିତ୍ତିକ ନହୋଇ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଆହ୍ୱାନକୁ ମୁକାବିଲା କରିବାରେ ମଧ୍ୟ ସକ୍ଷମ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଶ୍ୱସ୍ତରରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିକୁ ଉପସ୍ଥାପନ କରିବାରେ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ |