ତୃଟିମୁକ୍ତ ସ୍କୁଲ ପିଲାଙ୍କ ବହି କେବେ ମିଳିବ ମୁଖ୍ୟମନ୍ତ୍ରୀ ତାରିଖ ଘୋଷଣା କରନ୍ତୁ : କଂଗ୍ରେସ...
ତୃଟିମୁକ୍ତ ସ୍କୁଲ ପିଲାଙ୍କ ବହି ମିଳିବାର ଆଶା ଓ ଆଶଙ୍କା ଭିତରେ ଛନ୍ଦି ହୋଇଛି ପିଲାଙ୍କ ଭବିଷ୍ୟତ : କଂଗ୍ରେସ
ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ଛପା ଯାଇଥିବା ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିଯୁକ୍ତ ବହିର କେବେ ତ୍ରୁଟି ସୁଧାର ହେବ ଓ କେଉଁ ତାରିଖରେ ବହି ପିଲାମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେବେ ଏହା ସବୁଠାରୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇରହିଛି ।
ପ୍ରକାଶଥାଉକି ରାଜ୍ୟ ସରକାର ୨ କୋଟି ୯୨ ଲକ୍ଷ ୭୭ ହଜାର ରୁ ଅଧିକ ପୁସ୍ତକ ୫୧ଟି ବିଷୟ ପାଇଁ ରାଜ୍ୟର ୫୫ଲକ୍ଷ ଛାତ୍ରଛାତ୍ରୀଙ୍କ ୧୭୫ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ କରି ଯେଉଁ ବହି ଛାପିଥିଲେ ତାହା ସଂପୂର୍ଣ୍ଣ ତ୍ରୁଟିଯୁକ୍ତ ବୋଲି କାହାକୁ ଆଉ ଅଛପା ନାହିଁ ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଖୋଦ ମୁଖ୍ୟମନ୍ତ୍ରୀ ବହି ଛାପିବାରେ ଷଡଯନ୍ତ୍ର ହୋଇଛି ବୋଲି ପ୍ରକାଶ କରିବା ସହିତ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ଭାର ରାଜ୍ୟ କ୍ରାଇମ ବ୍ରାଂଚକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିଆଯାଇଥିଲା ।
କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବାର ୩ ଦିନ ଭିତରେ ଓଏସସିଇଆରଟିର ପୁର୍ବତନ ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀଙ୍କୁ ଗିରଫ କରିବା ସହିତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା କିନ୍ତୁ ଦୁଃଖର କଥା ତଦନ୍ତର ଏକମାସ ପରେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ମନୋଜ ପାଢ଼ୀଙ୍କ ବ୍ୟତିତ ଅନ୍ୟ କାହାରିକୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମନୋଜ ପଢ଼ୀ କଣ ଏକାକୀ, ଏହି ତ୍ରୁଟିଯୁକ୍ତ ବହି ଛାପିବା ଷଡଯନ୍ତ୍ରରେ ସାମିଲ କି? ଯେଉଁ ଡିଟିପି ସଂସ୍ଥାର କର୍ମଚାରୀ, ପ୍ରୁଫ୍ ରିଡିଙ୍ଗ ଦାୟିତ୍ୱରେ ଥିବା କର୍ମଚାରୀ, ତଥା ପୁସ୍ତକ ପ୍ରିଟିଙ୍ଗ ଦାୟିତ୍ୱରେ ଥିବା କର୍ମଚାରୀ ଏପରିକି ବିଭାଗୀୟ ଅଧିକାରୀ ଗଣଶିକ୍ଷା ବିଭାଗର ସଚୀବ ଓ ଖୋଦ ଏହି ମନ୍ତ୍ରାଣଳୟର ମନ୍ତ୍ରୀଙ୍କର କିଛି ସଂପୃକ୍ତି ଅଛି କି ନାହିଁ? ଏମାନଙ୍କୁ କେବେ ଗିରଫ କରାଯିବ?
ଚଳିତ ଶିକ୍ଷାବର୍ଷର ୪ ମାସରୁ ଅଧିକ ସମୟ ଚାଲିଗଲାଣି । ବାକି ୫ ମାସ ପରେ ଶିକ୍ଷା ବର୍ଷ ସରିଯିବ । କିନ୍ତୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ରାଜ୍ୟର ୫୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ସ୍କୁଲ ବହି ଯୋଗାଇ ଦିଆଯାଇପାରିଲା ନାହିଁ ।
ଫଳରେ ରାଜ୍ୟରେ ଗୋଟିଏ ପିଢ଼ିରେ ଛାତ୍ରଛାତ୍ରୀ ନିର୍ଭୁଲ ଓ ଗୁଣାତ୍ମକ ଶିକ୍ଷାରୁ ସଂପୂର୍ଣ୍ଣ ରୂପେ ବଂଚିତ ହେଲେ, ଏହା କଣ ଆମ ଓଡ଼ିଆ ଅସ୍ମିତାର ଦାୟିତ୍ୱବୋଧ କି? ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟର ଗରୀବ ଖଙ୍କିଆଙ୍କ ପଇସାରେ ଗାଡି, ଘର, କର୍ମଚାରୀ ଓ ଚାକର ବାକର ସବୁ ଉପଭୋଗ କରିବେ କିନ୍ତୁ ନିଜର ଦାୟିତ୍ୱକୁ ନିଜ ମୁଣ୍ଡକୁ ନେବେ ନାହିଁ । ଆମ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମନ୍ତ୍ରୀ ମନ୍ତ୍ରୀ ହିଁ ବିଭାଗର ଦୋଷ ତ୍ରୁଟି ପାଇଁ ଉତ୍ତରଦାୟୀ ରହିବା କଥା ।
କିନ୍ତୁ ବିଜେପି ଦଳ ପାଖରେ ଏଭଳି ଆଚରଣ ଦେଖିବାକୁ ମିଳୁନାହିଁ । ଏହା ତାଙ୍କ ମାନସିକ ଦେବାଳିଆପଣ ବୋଲି ବୁଝାପଡୁଛି । ମୁଖ୍ୟମନ୍ତ୍ରୀ ତୁରନ୍ତ କେଉଁ ତାରିଖରେ ବହି ପିଲାମାନଙ୍କୁ ଯୋଗାଇଦେବେ ତାହା ଘୋଷଣା କରନ୍ତୁ । ବିଭାଗୀୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ । କେଉଁ ଅଦୃଶ୍ୟ ଚାପରେ ମୁଖ୍ୟମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର କରିବା ପାଇଁ ଭୟ କରୁଛନ୍ତି ତାହା ମଧ୍ୟ ରାଜ୍ୟବାସୀ ଜାଣିବା ଉଚିତ୍ ।
ପ୍ରଧାନମନ୍ତ୍ରୀ ୨୦୨୪ ନିର୍ବାଚନ ସମୟରେ ବାରମ୍ବାର ରାଜ୍ୟକୁ ଗସ୍ତ କରି ଜନସାଧାରଣଙ୍କୁ ବିଶ୍ୱାସ ଦେଇଥିଲେ ଯେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ପ୍ରତିଷ୍ଠା ହେଲେ ବିକାଶ ଦ୍ରୁତଗତିରେ ହେବ ଏବଂ ସେ ନିଜେ ରାଜ୍ୟର ଦାୟିତ୍ୱ ନେବେ କିନ୍ତୁ ଦୁଃଖର କଥା ୨ ବର୍ଷ ପରେ ମଧ୍ୟ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଡବଲ ଇଞ୍ଜିନ ସରକାର ଓଡ଼ିଶାର ଜନସାଧାରଣ ପାଇଁ ବୋଝ ପାଲଟିଯାଇଛି ।
ଅନ୍ୟତମ ମୁଖପାତ୍ର ଶ୍ରୀ କୃଷ୍ଣଚନ୍ଦ୍ର ପତି କହିଲେ ଯେ ସେପ୍ଟେମ୍ବର ମାସରେ ଷାଶ୍ମାସିକ ପରୀକ୍ଷା ଆରମ୍ଭ ହେବ କିନ୍ତୁ ପିଲାମାନଙ୍କ ପାଖରେ ବହି ଦେଖାନାହିଁ । ଯଦି ବହି ଖୁବ୍ଶୀଘ୍ର ଯୋଗାଇ ନ ଦିଆଯାଏ ଏ ଶିକ୍ଷାବର୍ଷଟି ବେକାରରେ ଯିବ । ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ନ ହେଲେ ରାଜ୍ୟ କଂଗ୍ରେସ ତରଫୁ ତାଙ୍କୁ ଅଣ୍ଡା, ଟମାଟୋ ମାଡ କରିବା ସହିତ ତାଙ୍କୁ ଘୋର ବିରୋଧ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ଓ ଜଗଦାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ