ଦକ୍ଷତା ବିକାଶ ଯୋଜନା: ଗଢ଼ିବ ଦକ୍ଷ, ଭବିଷ୍ୟତ-ପ୍ରସ୍ତୁତ ଓ ବିଶ୍ୱସ୍ତରୀୟ ମାନବ ସମ୍ବଳ...

Nov 16, 2026 - 21:55
 2
ଦକ୍ଷତା ବିକାଶ ଯୋଜନା: ଗଢ଼ିବ ଦକ୍ଷ, ଭବିଷ୍ୟତ-ପ୍ରସ୍ତୁତ ଓ ବିଶ୍ୱସ୍ତରୀୟ ମାନବ ସମ୍ବଳ...

ରାଜ୍ୟ ଯୁବପିଢ଼ିଙ୍କୁ ଦକ୍ଷ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ଦେଶ ଓ ବିଦେଶର ଚାକିରି ବଜାରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେବ ‘ଦକ୍ଷତା ବିକାଶ ଯୋଜନା’। 

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଆଜି ଯୋଜନାର ସଫଳ ରୂପାୟନ ପାଇଁ ଆୟୋଜିତ କର୍ମଶାଳାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ସମ୍ବୋଧିତ କରିଛନ୍ତି । 

ଏହି ଯୋଜନାର ମୂଳ ଲକ୍ଷ୍ୟକୁ ଜିଲ୍ଲାସ୍ତରରେ କିପରି ଅଧିକ ପ୍ରଭାବଶାଳୀ ଏବଂ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯାଇପାରିବ, ସେ ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା।

କାଉନସେଲିଂ, ନିଯୁକ୍ତିଭିତ୍ତିକ ତାଲିମ ଏବଂ ସୁନିଶ୍ଚିତ ନିଯୁକ୍ତି ସୁଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ମାନ୍ୟବର ମନ୍ତ୍ରୀ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି । 

ସେ କହିଛନ୍ତି ଯେ, ଏହି ଯୋଜନାର ସଫଳତା କେବଳ ତାଲିମପ୍ରାପ୍ତ ଯୁବକଯୁବତୀଙ୍କ ସଂଖ୍ୟା ଉପରେ ନୁହେଁ, ବରଂ ସେମାନେ କିପରି ଉପଯୁକ୍ତ ଦକ୍ଷତା ହାସଲ କରି ଉତ୍ତମ ନିଯୁକ୍ତି ସୁଯୋଗ ପାଇପାରିବେ, ତାହା ଉପରେ ନିର୍ଭର କରେ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ପ୍ରତ୍ୟେକ ଯୋଗ୍ୟ ଯୁବକଯୁବତୀଙ୍କ ନିକଟରେ ସଠିକ୍ ଦକ୍ଷତା ବିକାଶର ସୁଯୋଗ ପହଞ୍ଚାଇବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧିର ବିଶ୍ୱସନୀୟ ପଥ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ । ଏଥିପାଇଁ ମିଳିତ ଉଦ୍ୟମ, ଜିଲ୍ଲାସ୍ତରରେ ସୁଦୃଢ଼ କାର୍ଯ୍ୟକାରିତା ଏବଂ ଫଳାଫଳ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ର ଲକ୍ଷ୍ୟ ଅନୁଯାୟୀ ଉଚ୍ଚଶିକ୍ଷା ସହ ଦକ୍ଷତା ବିକାଶକୁ ଯୋଡ଼ିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । 

ନିୟମିତ ପାଠ୍ୟକ୍ରମ ସହିତ ନିଯୁକ୍ତିଭିତ୍ତିକ ଏବଂ NSQF-ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ 'ସ୍କିଲ୍ ହବ୍' ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଶିଳ୍ପାନୁଷ୍ଠାନ ଉପଯୋଗୀ ଦକ୍ଷତା ହାସଲ କରିପାରିବେ ଏବଂ ସେମାନଙ୍କର ନିଯୁକ୍ତି ଯୋଗ୍ୟତା ବଢିବ। ଅନ୍ତର୍ଜାତୀୟ ବଜାରରେ ଦକ୍ଷ ପେସାଦାରଙ୍କ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ବିଦେଶୀ ନିଯୁକ୍ତି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। 

ବିଦେଶରେ କାମ କରିବାକୁ ଇଚ୍ଛୁକ ଯୁବକଯୁବତୀମାନଙ୍କୁ ଜର୍ମାନ ଏବଂ ଜାପାନୀ ସମେତ ବିଭିନ୍ନ ବିଦେଶୀ ଭାଷା ତାଲିମ, କଲଚରାଲ ଓରିଏଣ୍ଟେସନ୍, ପ୍ରମାଣପତ୍ର ସହାୟତା, ଭିସା ଏବଂ ଯାତ୍ରା ସହାୟତା ସହିତ ନିଯୁକ୍ତି ପରବର୍ତ୍ତୀ ସେବା ଯୋଗାଇ ଦିଆଯିବ।

ଏହି ଯୋଜନା ଅଧୀନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ସ୍ୱଳ୍ପକାଳୀନ ତାଲିମ ଦିଆଯିବ। ସେହିପରି ଆଉ ୩ ଲକ୍ଷ ଯୁବକଯୁବତୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। 

ଏଥିରେ କୃତ୍ରିମ ବୁଦ୍ଧିମତ୍ତା, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଏବଂ ସାଇବର ସୁରକ୍ଷା ଭଳି ଆଧୁନିକ ବିଷୟକୁ ସାମିଲ କରାଯିବ। ଏହାଦ୍ୱାରା ଯୁବପିଢ଼ି ନୂଆ ପ୍ରଯୁକ୍ତିବିଦ୍ୟା ଆଧାରିତ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଏହା ସହିତ ଯୋଜନାରେ ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ମଧ୍ୟ ସୁଯୋଗ ଦିଆଯିବ । 

ଦିବ୍ୟାଙ୍ଗ ଜନ, ଜେଲ୍ ଅନ୍ତେବାସୀ, ଟ୍ରାନ୍ସଜେଣ୍ଡର ଏବଂ ପି.ଭି.ଟି.ଜିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଜୀବିକା ସୁଯୋଗ ସୃଷ୍ଟି କରାଯିବ । ଏହାଦ୍ୱାରା ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ଦକ୍ଷତା ବିକାଶ ଓ ରୋଜଗାରର ସୁଯୋଗ ପହଞ୍ଚିପାରିବ।

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଦକ୍ଷତା ବିକାଶ -ତଥା- ନିୟୋଜନ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।