କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବକ୍ତବ୍ୟ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ: ବିଜେଡି...

Nov 15, 2026 - 09:00
 4
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବକ୍ତବ୍ୟ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ: ବିଜେଡି...

ଆବାସ ଯୋଜନାକୁ ରାଜନୈତିକ ହତିଆର କରି ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସରକାର

ଡବଲ ଇଞ୍ଜିନ, ଡବଲ ବିକାଶ ନାରା ପ୍ରତାରଣାରେ ପରିଣତ

ବିଜେପି କ୍ଷମତାକୁ ଆସିବା ଦିନଠୁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ବଲାଙ୍ଗୀର ଗସ୍ତ ଅବସରରେ ଆବାସ ଯୋଜନାକୁ ନେଇ ବିଜେଡି ସରକାର ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । 

ଆବାସ ଭଳି ଏକ ମୌଳିକ ପ୍ରସଙ୍ଗକୁ ରାଜନୈତିକ ଅପପ୍ରଚାରର ମାଧ୍ୟମ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ନିଜ ସରକାରଙ୍କ କାର୍ଯ୍ୟଦକ୍ଷତାର ହିସାବ ଦେବା ଉଚିତ । 

ବିଜୁ ଜନତା ଦଳର ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ଗରିବ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ପକ୍କା ଘର ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ଶ୍ରୀ ପ୍ରଦୀପ ଅମାତ ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭ୍ରମାତ୍ମକ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଇନ୍ଦିରା ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ଓଡ଼ିଶାରେ ୪୦ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । 

ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । କେନ୍ଦ୍ର ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଘରକୁ ଅନୁମୋଦନ ଓ ନିର୍ମାଣ କରାଯାଇଥିଲା । 

ଆଜି ଯେଉଁ ଆବାସ ଘର ବଣ୍ଟନ କରାଯାଉଛି, ତାହାର ଏକ ବଡ଼ ଅଂଶ ପୂର୍ବ ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଓ ହିତାଧିକାରୀ ଚୟନର ଆଧାର ଉପରେ ନିର୍ଭରଶୀଳ । ତେଣୁ ପୂର୍ବ ସରକାରଙ୍କ ଅବଦାନକୁ ଅସ୍ୱୀକାର କରି ନିଜ ସଫଳତା ବୋଲି ପ୍ରଚାର କରିବା ଦୁର୍ଭାଗ୍ୟଜନକ । 

ବିଜେଡି ସରକାର ସମୟରେ ହିତାଧିକାରୀ ଚୟନ ଗ୍ରାମସଭା ଏବଂ ସରକାରୀ ନିୟମ ଆଧାରରେ କରାଯାଉଥିଲା । ଏଭଳି ସ୍ୱଚ୍ଛ ପ୍ରକ୍ରିୟାକୁ କେନ୍ଦ୍ରମନ୍ତ୍ରୀ ଘୋଟାଲା ବୋଲି ଅଭିହିତ କରିବା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ।

ଶ୍ରୀ ପ୍ରଦୀପ ଅମାତ କହିଥିଲେ ଯେ, ବର୍ତ୍ତମାନର ବିଜେପି ସରକାର ଆବାସ ଯୋଜନାରେ ୬.୫୭ ଲକ୍ଷ ଘର ଦେଇଥିବା ନେଇ ଯେଉଁ ଦାବି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ବିଜେପି ସରକାରରେ ଆବାସ ହିତାଧିକାରୀ ଚୟନ ଓ ଘର ବଣ୍ଟନରେ ପକ୍ଷପାତିତା କରାଯାଉଛି । 

ଦଳୀୟ ଭିତ୍ତିରେ ଘର ବଣ୍ଟନ କରାଯାଉଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ କରାଇବା ପରିବର୍ତ୍ତେ ପୂର୍ବ ସରକାରଙ୍କୁ ଦୋଷ ଦେଇ ଖସିଯିବାକୁ ବସିଛନ୍ତି ସରକାର । ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପିର ଡବଲ ଇଞ୍ଜିନ ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ତାହାର ଜବାବ ଦିଅନ୍ତୁ । ରାଜ୍ୟରେ ଦରଦାମ ଅହେତୁକ ବୃଦ୍ଧି ପାଇଛି । 

ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆବାସ ଯୋଜନାକୁ ରାଜନୈତିକ ଅସ୍ତ୍ର କରିବା ସରକାରଙ୍କ ଦାୟିତ୍ୱହୀନ ଆଭିମୁଖ୍ୟକୁ ପ୍ରକାଶ କରୁଛି । 

ଡ଼ ଲେନିନ ମହାନ୍ତି କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ପୂର୍ବ ସରକାରଙ୍କୁ ସମାଲୋଚନା କରିବାରେ ସମୟ ନଷ୍ଟ ନକରି ନିଜ ସରକାରର ଦୁଇ ବର୍ଷର କାର୍ଯ୍ୟର ହିସାବ ଦିଅନ୍ତୁ । ବିଜେଡି ସରକାର ଆବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ସୁରକ୍ଷାର ଯେଉଁ ଭିତ୍ତିଭୂମି ଗଢ଼ିଥିଲେ, ତାହାକୁ ଆଗକୁ ନେବା ବର୍ତ୍ତମାନର ସରକାରଙ୍କ ଦାୟିତ୍ୱ । ପୂର୍ବ ସରକାରଙ୍କ ସଫଳତାକୁ ନିଜ ନାଁରେ ପ୍ରଚାର କରିବା ଓ ନିଜ ବିଫଳତାକୁ ଅନ୍ୟ ଉପରେ ଲଦିବା ହେଉଛି ବିଜେପିର ହୀନ ରାଜନୀତି । 

ଏହା ଡବଲ ଇଞ୍ଜିନ, ଡବଲ୍ ବିକାଶ ନୁହେଁ, ବରଂ ଡବଲ୍ ବିଶ୍ୱାସଘାତ । ବିଜେଡି ସରକାରକୁ ଦୋଷ ଦେଇ ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛି ବିଜେପି । 

ବର୍ତ୍ତମାନ ଆବାସ ଯୋଜନାରେ ହିତାଧିକାରୀ ଚୟନ ଓ ଘର ବଣ୍ଟନରେ ଯେଉଁ ପକ୍ଷପାତିତା ଏବଂ ଅନିୟମିତତା ହେଉଛି ତାହାର ନିରପେକ୍ଷ ତଦନ୍ତ କରାଯାଉ । ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ଦଳୀୟ ଭେଦଭାବ ବିନା ଆବାସ ଯୋଗାଇ ଦିଆଯାଉ । 

ଓଡ଼ିଶାର ଜନସାଧାରଣ ଜାଣନ୍ତି କିଏ ଗରିବଙ୍କ ପାଇଁ କାମ କରିଛି ଏବଂ କିଏ କେବଳ ରାଜନୈତିକ ଭାଷଣ ଦେଇ ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଗରିବଙ୍କ ଅଧିକାର ଓ ସମ୍ମାନ ସହ ରାଜନୀତି କରିବା ବନ୍ଦ କରି ବିଜେପି ସରକାର ରାଜ୍ୟର ବିକାଶ ଉପରେ ଧ୍ୟାନ ଦିଅନ୍ତୁ ।