ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ

ପୁରୀ : ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣିମା । ଏହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୪ ତାରିଖରେ ମେଣ୍ଢାପୋଡ଼ି ନୀତିକୁ ସଅଳ ସାରି ରାତି ୧୨ଟାରେ ରାତ୍ର ପହୁଡ଼ କରାଯିବ। ରାତ୍ର ୩ଟାରେ ଦ୍ୱାର ଫିଟାଯାଇ ଅନ୍ୟାନ୍ୟ ନୀତି ଚାଲିବ । ୨୫ ତାରିଖ ପୂର୍ବାହ୍ନ ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବେଢ଼ା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ । ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ । ରାତ୍ର ୯ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ରାତି ୧୦ଟା ୩୫ରୁ ୧୨ଟା ମଧ୍ୟରେ ଦାରୁବିଗ୍ରହଙ୍କ ସୁନାବେଶ କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି । ସେହିପରି ବୈଠକରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ନେଇ ଆଲୋଚନା କରାଯାଇଛି । ନିର୍ଘଣ୍ଟ ସମୟରେ ନୀତିକାନ୍ତି ଚାଲିଲେ, ଦର୍ଶନ ବ୍ୟବସ୍ଥା ବି ଶୃଙ୍ଖଳିତ ହେବ । ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ସବୁ ନିଯୋଗଙ୍କୁ ଅବଗତ କରାଯାଇଛି । ଦୈନନ୍ଦିନ ନୀତିକାନ୍ତି ହେଉ ବା ସ୍ୱତନ୍ତ୍ର ପର୍ବପର୍ବାଣି ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଉଛି, ସେହି ସମୟରେ ନୀତି ସମ୍ପନ୍ନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି ।

Mar 19, 2024 - 15:40
 4
ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ