ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ବିଧାନସଭା ପରିସରରେ...

Nov 22, 2025 - 18:22
 4
ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ବିଧାନସଭା ପରିସରରେ...

ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । 

ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବ୍ରିଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା । 

ଓଡ଼ିଶାର ମାଟି, ପାଣି, ପବନ ସହ ଓତଃପ୍ରୋତଃ ଭାବେ ଜଡ଼ିତ ମହତାବ ସାରା ରାଜ୍ୟରେ ଏକ ସଚେତନ ବାତାବରଣ ସୃଷ୍ଟି କରିଥିଲେ । 

ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ଓଡ଼ିଶା ଓ ଭାରତବର୍ଷର ରାଜନୀତିକୁ ସେ ଆଚ୍ଛନ୍ନ କରି ରଖିଥିଲେ । 

ସ୍ୱାଧୀନତା ସଂଗ୍ରାମ ବ୍ୟତୀତ ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଶ୍ରୀ ବାବୁ ସିଂ ଓ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଉତ୍କଳ ସମ୍ମିଳନୀ କାର୍ଯ୍ୟକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବିଧାନସଭା ପରିସରରେ ଥିବା ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଏହି ଅବସରରେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ପ୍ରକାଶିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଥିଲେ । 

କାର୍ଯ୍ୟକ୍ରମ ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।