ନିର୍ବାଚନ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: ପାଖେଇ ଆସିଲାଣି ନିର୍ବାଚନ । ଏହାର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ନୋଡ଼ାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ତିରୁମାଲା ନାଏକ ଓ ମିହିର ମହାନ୍ତି ଏହି ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ନୋଡ଼ାଲ ଅଧିକାରୀମାନେ ଭିସି ଜରିଆରେ ସାମିଲ ହୋଇଛନ୍ତି । ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ବୁଥ ସ୍ତରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ସାମଗ୍ରୀ ଆବଶ୍ୟକ ହୋଇଥାଏ । ସେହି ସମସ୍ତ ସାମଗ୍ରୀ ଯେପରି ରାଜ୍ୟର ସମସ୍ତ ବୁଥ ପାଇଁ ଉପଯୁକ୍ତ ଭାବରେ ପ୍ରାପ୍ତ ହୋଇପାରିବ ସେସବୁ ବିଷୟରେ ସବିଶେଷ ସମୀକ୍ଷା ହୋଇଛି । ଭୋଟିଂ କମ୍ପାର୍ଟମେଣ୍ଟ, ବ୍ୟାକପ୍ୟାକ୍, ଏଲଇଡି ଲ୍ୟାମ୍ପ, ବାକ୍ସ, ଲୁହା ରାକ, ଏକଜଷ୍ଟ ଫ୍ୟାନ, ସିଲ, କାଳି, କାର୍ବନ ପେପର, ଗୁଲିସୂତା, ପିନ, ମହମବତୀ, ଷ୍ଟାମ୍ପପ୍ୟାଡ ଭଳି ବିଭିନ୍ନ ସାମଗ୍ରୀ ପ୍ରତିଟି ବୁଥରେ ବ୍ୟବହାର ହେବ । ଜିଲ୍ଲାସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ରାଜ୍ୟର ପ୍ରାୟ ଜିଲ୍ଲାମାନଙ୍କରେ ଅତିରିକ୍ତ ଜିଲ୍ଲାପାଳମାନେ ଏହି ନିର୍ବାଚନ ସାମଗ୍ରୀଗୁଡ଼ିକର ନୋଡ଼ାଲ ଅଧିକାରୀ ରୂପେ କାର୍ୟ୍ୟ କରୁଛନ୍ତି । ବୈଠକରେ ଏହି ସମସ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ବିଭିନ୍ନ ଜିଲ୍ଲାର ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଏହି ସମସ୍ତ ସାମଗ୍ରୀର ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଏହି ନିର୍ବାଚନ ସାମଗ୍ରୀ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହେବେ । ଏହାଦ୍ୱାରା ସେମାନେ ବୁଥ ସ୍ତରରେ ଏହି ସମସ୍ତ ସାମଗ୍ରୀର ସୁବ୍ୟବହାର କରିପାରିବେ । ଏହି ସମୀକ୍ଷା ବୈଠକରେ ସମସ୍ତ ଦିଗରେ ଆଲୋଚନା ହୋଇଛି । ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ନୋଡ଼ାଲ ଅଫିସରମାନଙ୍କ ସହ ଏହି ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ନିର୍ବାଚନ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ