ପଥରରେ ଛେଚି ନାବାଳିକାଙ୍କୁ ବୀଭତ୍ସ ହତ୍ୟା
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ରେ ଘଟିଛି ଅଭାବନୀୟ ଘଟଣା । ପଥରରେ ଛେଚି ନାବାଳିକାଙ୍କୁ ବୀଭତ୍ସ ହତ୍ୟା । ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଦୁର୍ବୃତ୍ତମାନେ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିବାପରେ ବୁଦା ଭିତରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ମୃତ ଛାତ୍ରୀ ସ୍ଥାନୀୟ ମଜୁରିଛକ ଅଞ୍ଚଳର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନ ସାହୁ । ଜସ୍ମିନ ଢେଙ୍କାନାଳ ସହରର ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ। ସେ କୁଞ୍ଜକାନ୍ତସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର୍ରେ କୋଚିଂ ନିଅନ୍ତି। ଜସ୍ମିନ ଓ ତାଙ୍କର ସାଙ୍ଗ ଉଭୟ ବସ୍ରେ ଯାଇ କୋଚିଂ ସାରି ଘରକୁ ଫେରନ୍ତି। ଗତକାଲି ଜସ୍ମିନ ସନ୍ଧ୍ୟା ୫ଟା ୪୦ରେ କୋଚିଂ ସେଣ୍ଟର୍ରୁ ବାହାରିଥିଲେ ମଧ୍ୟ ଘରେ ପହଞ୍ଚି ନଥିଲେ। ବହୁ ଖୋଜାଖୋଜି କରିବା ପରେ ରାତି ୧୦ଟା ପର୍ଯ୍ୟନ୍ତ ଝିଅକୁ ନପାଇବାରୁ ଜଳନ୍ଧର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଆଜି ମଧ୍ୟାହ୍ନରେ ମଜୁରିଛକ କଇଁଆଗଡ଼ାଣି ଖୁଦତଇଳା ରାସ୍ତାର ବାମପାର୍ଶ୍ବ ବୁଦା ଜଙ୍ଗଲ ଭିତରେ ଜସ୍ମିନଙ୍କ ଶବ ପଡ଼ିଥିବା ଖବର ପାଇ ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ଭବାନୀଶଙ୍କର ଉଦ୍ଘାତା, ଏସ୍ଡିପିଓ ବିଭୂତି ମହାପାତ୍ର, ସଦର ଥାନା ଅଧିକାରୀ ଦୀପକ ଲେଙ୍କା ଓ ଫରେନ୍ସିକ ଟିମ୍ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଜସ୍ମିନଙ୍କ ମରଶରୀରକୁ ଯେଉଁଠି ପକାଯାଇଛି, ସେହି ସ୍ଥାନରେ ତାଙ୍କ ମୁଣ୍ଡ ପାଖରେ ଏକ ରକ୍ତଭିଜା ପଥର ପଡ଼ିଥିଲା। ସେଥିରେ ତାଙ୍କୁ ମାରିବା ସହ ଛେଚାଯାଇଥିବା ଅନୁମାନ କରାଯାଉଛି। ଜଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି।