ପ୍ରଥମଥର ପାଇଁ ନୂଆଦିଲ୍ଲୀରେ ‘ଭାରତୀୟ ବ୍ୟାପାର ମହୋତ୍ସବ’ରେ ଓରମାସର ଅଂଶଗ୍ରହଣ...

Aug 12, 2026 - 21:02
 5
ପ୍ରଥମଥର ପାଇଁ ନୂଆଦିଲ୍ଲୀରେ ‘ଭାରତୀୟ ବ୍ୟାପାର ମହୋତ୍ସବ’ରେ ଓରମାସର ଅଂଶଗ୍ରହଣ...

ଜାତୀୟ ମଞ୍ଚରେ ଓଡ଼ିଶାର ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଗୃହସଜ୍ଜା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ

ଓଡ଼ିଶାର ୩୦ଟି ଜିଲ୍ଲାର ବିବିଧ ଉତ୍ପାଦ ଜାତୀୟ ଓ ଅନ୍ତର୍ଜାତୀୟ କ୍ରେତାଙ୍କ ସମ୍ମୁଖରେ ପ୍ରଦର୍ଶିତ

ବିଜନେସ୍-ଟୁ-ବିଜନେସ୍ (B2B) ସୁଯୋଗ, ବଜାର ସଂଯୋଗ, ରପ୍ତାନି ସୁଯୋଗ ଓ ଓଡ଼ିଶାର ଗ୍ରାମୀଣ ଉତ୍ପାଦର ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱ

ଓଡ଼ିଶାର ବିବିଧ ଗ୍ରାମୀଣ ଉତ୍ପାଦ, ପାରମ୍ପରିକ କାରିଗରୀ ଓ ଉଦ୍ୟୋଗୀ ସାମର୍ଥ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ପକ୍ଷରୁ ଭାରତୀୟ ବ୍ୟାପାର ମହୋତ୍ସବ (BVM) ୨୦୨୬ରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରାଯାଉଛି। ଏହି ମହୋତ୍ସବ ୧୨ ଅଗଷ୍ଟରୁ ୧୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ପ୍ରଗତି ମୈଦାନଠାରେ ଅନୁଷ୍ଠିତ ହେଉଛି।

ଏହା ପୂର୍ବରୁ ନୂଆଦିଲ୍ଲୀର ଡିଏଲଏଫ ଆଭେନ୍ୟୁ, ସାକେତଠାରେ ମଧ୍ୟ ORMAS ପକ୍ଷରୁ ଏକ ପପ୍-ଅପ୍ ଷ୍ଟୋର୍‌ ପ୍ରତିଷ୍ଠା କରାଯାଇଥିଲା। 

ଏହି ଦୁଇଟି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ, କାରିଗର, ବୁଣାକାର ଓ ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଅଧିକ ପରିଚିତ କରାଇବା ସହ ବଜାର ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି।

ORMAS ପ୍ୟାଭିଲିୟନ୍‌କୁ ଡଃ. ମୋନିକା ପ୍ରିୟଦର୍ଶିନୀ, IAS, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO), ORMAS ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ORMASର ଅତିରିକ୍ତ CEO (Finance) ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ORMAS ପ୍ୟାଭିଲିୟନ୍‌ରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ବିବିଧ ଉତ୍ପାଦ ପ୍ରଦର୍ଶିତ ହେଉଛି। ଏଥିରେ ହସ୍ତଶିଳ୍ପ, ହସ୍ତତନ୍ତ, ଗୃହସଜ୍ଜା ସାମଗ୍ରୀ, ଆକ୍ସେସରିଜ୍, ମସଲା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସ୍ଥାନ ପାଇଛି। 

ଏହି ଉତ୍ପାଦଗୁଡ଼ିକ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ସୃଜନଶୀଳତାର ପରିଚୟ ପ୍ରଦାନ କରୁଛି।

ଭାରତୀୟ ବ୍ୟାପାର ମହୋତ୍ସବରେ ORMASର ଅଂଶଗ୍ରହଣ ମାଧ୍ୟମରେ B2B ବ୍ୟବସାୟିକ ସୁଯୋଗ ସୃଷ୍ଟି, ବଜାର ସଂଯୋଗ ସୁଦୃଢ଼ କରିବା ଓ ରପ୍ତାନି ସୁଯୋଗ ସୃଷ୍ଟି ସହ ଓଡ଼ିଶାର ଗ୍ରାମୀଣ ଉତ୍ପାଦର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉଛି। 

ଏଥିସହ ଜାତୀୟ ଓ ଅନ୍ତର୍ଜାତୀୟ କ୍ରେତା, ବ୍ୟବସାୟୀ, ରପ୍ତାନିକାରୀ ଓ ଅନ୍ୟାନ୍ୟ ବଜାର ଅଂଶୀଦାରଙ୍କ ସହ ଯୋଗାଯୋଗ ଓ ନେଟୱର୍କିଂର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।

ORMAS ପ୍ୟାଭିଲିୟନ୍‌ ମାଧ୍ୟମରେ ଦର୍ଶକ ଓ ବ୍ୟବସାୟିକ ଅଂଶୀଦାରମାନେ ଓଡ଼ିଶାର ବିଶିଷ୍ଟ ଗ୍ରାମୀଣ ଉତ୍ପାଦ ସମ୍ପର୍କରେ ଜାଣିବା ସହ ଏହି ଉତ୍ପାଦଗୁଡ଼ିକ ପାଇଁ ନୂତନ ବଜାର ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ।

ଚାରିଦିନିଆ ଭାରତୀୟ ବ୍ୟାପାର ମହୋତ୍ସବରେ ବ୍ୟବସାୟିକ ପ୍ରତିନିଧିମାନଙ୍କ ପାଇଁ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏବଂ ସାଧାରଣ ଦର୍ଶକଙ୍କ ପାଇଁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ।

ଭାରତୀୟ ବ୍ୟାପାର ମହୋତ୍ସବରେ ORMASର ଅଂଶଗ୍ରହଣ ଓଡ଼ିଶାର ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ବ୍ୟାପକ ବଜାର ସୁଯୋଗ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

ଏଭଳି ପଦକ୍ଷେପ ମାଧ୍ୟମରେ ORMAS ଗ୍ରାମୀଣ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବା, ବଜାର ସଂଯୋଗ ସୁଦୃଢ଼ କରିବା ଏବଂ ରାଜ୍ୟର ଉତ୍ପାଦକ ଗୋଷ୍ଠୀ, CBO, କାରିଗର ଓ ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ଜୀବିକା ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ଦିଗରେ ନିରନ୍ତର କାର୍ଯ୍ୟ କରୁଛି।