ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଆୟୋଜିତ...

Aug 12, 2026 - 21:00
 4
ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଆୟୋଜିତ...

୮୦ ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଆୟୋଜିତ ହୋଇଯାଇଛି।

ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀରେ ପ୍ରାୟ ୪୬ ଜଣ କବି ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିରେ ବିଶେଷ ଭାବରେ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ବିନୀ ସାହୁ, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଅଞ୍ଜୁମନ ଆରା, ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗୁଲାମ ମୋଇନୁଦ୍ଦିନ ଖାନ୍‌, ପୂର୍ବତନ ଶାସନ ସଚିବ, ଜମି ସଂସ୍କାର, ଓଡ଼ିଶା, କଟକ ଜନାବ ସୟଦ ମହମ୍ମଦ ଅକଦସ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଦେଶଭକ୍ତି ଓ ଭାଇଚାରାର ଏକ ସୁନ୍ଦର ସମନ୍ୱୟ। ବିଶେଷ ଭାବରେ ଦେଶାତ୍ମବୋଧକ କବିତା ପାଠ ମାଧ୍ୟମରେ ଦେଶପ୍ରେମ ଓ ନିଜ ମାତୃଭୂମି ପ୍ରତି ରହିଥିବା ଭଲ ପାଇବାର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ଏହି ପ୍ରୟାସ ଅତୀବ ପ୍ରଂଶସନୀୟ ବୋଲି ଅତିଥିମାନେ ମତପ୍ରକାଶ କରିବା ସହ ସମସ୍ତ କବିମାନଙ୍କୁ ସାଧୁବାଦ ଜଣାଇଥିଲେ।

ଆଜିର କାର୍ଯ୍ୟକ୍ରମରେ ୬ଜଣ ବରିଷ୍ଠ କବିଙ୍କୁ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯାଇଥିଲା। 

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।