ବାପାଙ୍କ କଥାକୁ ସହିନପାରି ଜୀବନ ହାରିଲା ପୁଅ
ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ସକାଳେ ଗୌତମ ଓ ତାଙ୍କ ସାନଭାଇ କ୍ରିକେଟ୍ ବଲ୍ ପାଇଁ ଝଗଡ଼ା ଲାଗିଥିଲେ। ଯାହାକୁ ନେଇ ବାପା ଗୌତମଙ୍କ ଉପରେ ସାମାନ୍ୟ ବିରକ୍ତି ହୋଇଥିଲେ। ପାଠ ନପଢ଼ି ଖେଳରେ କାହିଁକି ମାତୁଛୁ କହି ଆକଟ କରିଥିଲେ। ହେଲେ ପୁଅ ଗୌତମ ବାପାଙ୍କ ଏହି କଥାକୁ ସାହିପାରିନଥିଲେ । ମାନସିକ ଭାରସାମ୍ୟ ହରାଇ ଘରବାଡ଼ିରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ। କିଛି ସମୟ ପରେ ପରିବାର ଲୋକ ଗୌତମଙ୍କୁ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିବା ସହ ସୋର ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୋର ଥାନାରେ ୧୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
