ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକରେ କଡା କାର୍ଯ୍ୟାନୁଷ୍ଠାନ...
ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକରେ କଡା କାର୍ଯ୍ୟାନୁଷ୍ଠାନ...
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
କ୍ରାଇମ୍ବ୍ରାଞ୍ଚ ଦ୍ୱାରା ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଡି.ଜି.ପି’ଙ୍କୁ କଡ଼ା ତାଗିଦ୍
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍ବ୍ରାଞ୍ଚ୍ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ ।
ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ଶ୍ରୀ ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ଶ୍ରୀ ବିନୟତୋଷ ମିଶ୍ର, ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଶ୍ରୀ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।