ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି କିଏ ପ୍ରଚାର କରୁଛି : ମନମୋହନ ସାମଲ
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ମେଣ୍ଟ ଚର୍ଚ୍ଚା ଭିତରେ ଆଉ ଏକ ବଡ଼ ବୟାନ ଦେଇଛନ୍ତି । ଭଦ୍ରକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ଦୋହରାଇଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି କିଏ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯିଏ ମେଣ୍ଟ ସମ୍ପର୍କରେ ଚର୍ଚ୍ଚା କରୁଛି ସେ ହିଁ ତା’ର ଉତ୍ତର ଦେଇପାରିବ । ଏପରିକି ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚାରେ ଶୁକ୍ରବାର ପୂର୍ଣ୍ଣଚ୍ଛେଦ ପକାଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୂର୍ବରୁ ମାର୍ଚ୍ଚ ୧ତାରିଖରେ ଦିଲ୍ଲୀରୁ ଫେରି ମନମୋହନ ସମ୍ଭାବ୍ୟ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଶୁକ୍ରବାରଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ତାରିଖରେ ସେ ଦେଇଥିବା ବୟାନକୁ ଥିଲେ ମଧ୍ୟ ଦୋହରାଇଥିଲେ ।