ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ...

Dec 9, 2025 - 19:31
 11
ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ...

ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ ଓ ସମ୍ପାଦକ । 

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । 

ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କଲମର ସାହାଯ୍ୟ ନେଇଥିଲେ । 

ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ସେ ଲାଗି ପଡ଼ିଲେ । 

କାନ୍ତକବିଙ୍କ ରଚିତ ଦେଶାତ୍ମବୋଧକ କବିତାମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । 

ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । 

କବିତା ସାଙ୍ଗକୁ ସେ ଅନେକ ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ, ଗଳ୍ପ ରଚନା କରିଯାଇଛନ୍ତି । 

ସେ ମାସିକ ସାହିତ୍ୟ ପତି୍ରକା ‘ଡଗର’ର ମଧ୍ୟ ପ୍ରତିଷ୍ଠାତା ସମ୍ପାଦକ ଥିଲେ । 

ଓଡ଼ିଆ ଭାଷା, ସାହିତ୍ୟର ଉତ୍କର୍ଷ ସହ ଓଡ଼ିଆଙ୍କ ହୃଦୟରେ ଜାତିପ୍ରୀତି ଜାଗ୍ରତ କରିବାରେ କାନ୍ତକବି ଯେଉଁ ଅବଦାନ ରଖିଯାଇଛନ୍ତି ସେଥି ପାଇଁ ସେ ପ୍ରତି ଓଡ଼ିଆଙ୍କ ହୃଦୟରେ ଚିରଅମର ରହିବେ । 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, 

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, 

ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, 

ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, 

ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, 

ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଫକୀର ନାୟକ ଓ ଶ୍ରୀ ରଘୁନାଥ ମାଛ ଏବଂ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାଶ୍ୱର୍ବର୍ତ୍ତୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।