ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରଦ୍ଧାଞ୍ଜଳି...

Feb 28, 2026 - 16:51
 18
ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରଦ୍ଧାଞ୍ଜଳି...

ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରଦ୍ଧାଞ୍ଜଳି...

ମହାନ୍‌ ବୀର ପୁରୁଷ ଓ ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ୍‌ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ । 

ପଶ୍ଚିମ ଓଡ଼ିଶାରେ ୧୮୨୭ ମସିହାରେ ବୀର ସୁରେନ୍ଦ୍ର ସାଏ ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖାକୁ ପ୍ରଜ୍ୱଳିତ କରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସମ୍ବଲପୁର ମାଟିରୁ ବି୍ରଟିଶ ଶାସନ ଲୋପ କରିବା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । 

ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ, ରଣସଜ୍ଜା, ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟ ଓ ସାହସ ନିକଟରେ ଇଂରେଜମାନେ ହାର ମାନିଥିଲେ । ଓଡ଼ିଶାର ଏହି ବରପୁତ୍ର, ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ବିପ୍ଳବର ଜୟଗାଥା ଓଡ଼ିଶା ଇତିହାସରେ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ପୃଷ୍ଠା ମଣ୍ଡିତ କରୁଥିବ । 

ବୀର ସୁରେନ୍ଦ୍ର ସାଏଙ୍କ ୧୪୨ତମ ଶ୍ରାଦ୍ଧଦିବସ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଛି  

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, କଂଗ୍ରେସ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ, ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତା ଓ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।