ବ୍ୟାସ ପୂର୍ଣ୍ଣିମା ଓ ଗୁରୁ ପରମ୍ପରାର ମାହାତ୍ମ୍ୟ...

Jul 29, 2026 - 19:33
Jul 29, 2026 - 19:35
 8
ବ୍ୟାସ ପୂର୍ଣ୍ଣିମା ଓ ଗୁରୁ ପରମ୍ପରାର ମାହାତ୍ମ୍ୟ...

​ଭାରତୀୟ ସଂସ୍କୃତିରେ ଆଷାଢ଼ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ତିଥି। ଏହି ଦିନଟି ମଣିଷର ଅନ୍ତରକୁ ଜ୍ଞାନ, ଭକ୍ତି ଓ ବିନୟର ଆଲୋକରେ ଉଦ୍ଭାସିତ କରିଥାଏ। 

ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଏହି ପବିତ୍ର ତିଥିକୁ ନିଜ ନିଜ ଗୁରୁ ପରମ୍ପରା ପ୍ରତି କୃତଜ୍ଞତା ଜ୍ଞାପନର ଏକ ମହାପର୍ବ ଭାବରେ ପାଳନ କରିଥାନ୍ତି।

​ଓଡ଼ିଶାରେ ବ୍ୟାସ ପୂର୍ଣ୍ଣିମା ଆଧ୍ୟାତ୍ମିକତା, ଶିକ୍ଷା ପରମ୍ପରା ଓ ଗୁରୁ-ଶିଷ୍ୟ ସଂସ୍କୃତିର ଏକ ଅନନ୍ୟ ପର୍ବ। 

ପୁରୀର ଶ୍ରୀ ଗୋବର୍ଦ୍ଧନ ପୀଠ ସମେତ ବିଭିନ୍ନ ମଠ, ଆଶ୍ରମ, ମନ୍ଦିର, ସଂସ୍କୃତ ପାଠଶାଳା, ବେଦ ପାଠଶାଳା ଓ ଅନୁଷ୍ଠାନଗୁଡ଼ିକରେ ମହର୍ଷି ବେଦବ୍ୟାସ ଓ ଗୁରୁ ପରମ୍ପରାର ପୂଜାର୍ଚ୍ଚନା କରାଯାଏ। 

ଏହି ଆବସରରେ ବେଦପାଠ, ଭାଗବତ ପାରାୟଣ, ଶ୍ରୀମଦ୍ଭଗବଦ୍ଗୀତା ପାଠ, ଭଜନ-କୀର୍ତ୍ତନ, ସତ୍ସଙ୍ଗ, ହୋମ-ଯଜ୍ଞ ଓ ଧର୍ମସଭାର ଆୟୋଜନ ହୋଇଥାଏ।

​ଭାରତ ବାହାରେ ମଧ୍ୟ ଗୁରୁ ପୂର୍ଣ୍ଣିମାର ମହତ୍ତ୍ବ ସମାନ ଭାବରେ ଅନୁଭୂତ ହୁଏ। ନେପାଳର ପଶୁପତିନାଥ ମନ୍ଦିର, ବ୍ୟାସ ଗୁଫା ଓ ବିଭିନ୍ନ ଆଶ୍ରମରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ। 

ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ମ୍ୟାନ୍ମାର, କାମ୍ବୋଡିଆ ଓ ଲାଓସ୍ରେ ଏହି ପୂର୍ଣ୍ଣିମା 'ଆଷାଢ଼ା ପୂଜା' ଭାବରେ ପାଳିତ ହୁଏ।

​ହିନ୍ଦୁ ପୁରାଣ ଅନୁସାରେ, ସ୍ୱୟଂ ମହାଦେବ ଶିବ ଦକ୍ଷିଣାମୂର୍ତ୍ତି ରୂପରେ ସପ୍ତର୍ଷିଙ୍କୁ ବ୍ରହ୍ମଜ୍ଞାନ ଓ ଯୋଗବିଦ୍ୟା ପ୍ରଦାନ କରି ପ୍ରଥମ ଆଦିଗୁରୁ ଭାବରେ ପ୍ରତିଷ୍ଠିତ ହୋଇଥିଲେ। 

ପରବର୍ତ୍ତୀ କାଳରେ ଏହି ପବିତ୍ର ତିଥି ପରାଶର ଓ ସତ୍ୟବତୀଙ୍କ ପୁତ୍ର କୃଷ୍ଣ ଦ୍ୱୈପାୟନ ବ୍ୟାସଙ୍କ ଜନ୍ମ ଦିବସ ଭାବରେ ସମାଦୃତ ହେଲା, ଯେଉଁଥିପାଇଁ ଏହା 'ବ୍ୟାସ ପୂର୍ଣ୍ଣିମା' ନାମରେ ପରିଚିତ।

​ମହର୍ଷି ବେଦବ୍ୟାସ ଥିଲେ ବେଦଜ୍ଞାନର ମହାସଂଗଠକ, ମହାଭାରତର ଅମର ସ୍ରଷ୍ଟା, ଅଷ୍ଟାଦଶ ପୁରାଣର ପ୍ରଣେତା ଏବଂ ବ୍ରହ୍ମସୂତ୍ରର ରଚୟିତା। ଯେତେବେଳେ ବେଦ କେବଳ ଶ୍ରୁତି ପରମ୍ପରାରେ ପ୍ରଚଳିତ ଥିଲା, ସେତେବେଳେ ଲିଖିତ ରୂପ ନଥିବାରୁ ତାହାର ଶୁଦ୍ଧତା ବିପନ୍ନ ହେବାକୁ ଲାଗିଥିଲା। 

ଏହା ବ୍ୟାସଦେବଙ୍କୁ ବ୍ୟଥିତ କରିଥିଲା। ସେ ବେଦକୁ ଋକ୍, ଯଜୁଃ, ସାମ ଓ ଅଥର୍ବ - ଏହି ଚାରି ଭାଗରେ ବିଭକ୍ତ କରି ମାନବ ଜାତି ପାଇଁ ସୁସଂରକ୍ଷିତ କରିଦେଲେ।

​ବ୍ୟାସ ପୂର୍ଣ୍ଣିମା ଆମକୁ ଶିକ୍ଷା ଦିଏ ଯେ— ବିଦ୍ୟା ସହ ବିନୟ, ସଫଳତା ସହ ସଂସ୍କାର, ଜ୍ଞାନ ସହ କୃତଜ୍ଞତା ଏବଂ ଆଚରଣ ସହ ମାନବିକତା ରହିଲେ ହିଁ ଜୀବନ ପ୍ରକୃତ ଅର୍ଥରେ ପୂର୍ଣ୍ଣତା ଦିଏ