ଶୃଙ୍ଖଳା ସଙ୍ଗଠନର ମୂଳମନ୍ତ୍ର ବୋଲି କଂଗ୍ରେସ ସଭାପତି ସାମ୍ବାଦିକ ସମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Jul 30, 2026 - 11:43
 9
ଶୃଙ୍ଖଳା ସଙ୍ଗଠନର ମୂଳମନ୍ତ୍ର ବୋଲି କଂଗ୍ରେସ ସଭାପତି ସାମ୍ବାଦିକ ସମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ଯାଜପୁରରେ ଜିଲ୍ଲା ସାଙ୍ଗଠନିକ ସଭା ଏବଂ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ

ଓପିସିସି ସଭାପତି ଭକ୍ତଚରଣ ଦାସ ଏବଂ ଏଆଇସିସି ପ୍ରଭାରୀ ଲାଲଜୀ ଦେଶାଇ ଯାଜପୁର ଜିଲ୍ଲାକୁ ଏକ ଦିନିକିଆ ଗସ୍ତରେ ଯାଇ ଯାଜପୁର କୁଆଖିଆ ଠାରେ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସଭା ତଥା ଓଳାଶୁଣୀଠାରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଆୟୋଜିତ ସର୍ବୋଦୟ ସଂକଳ୍ପ ଶିବିରରେ ଯୋଗଦାନ କରିଥିଲେ l

ସଭାପତି ଶ୍ରୀ ଦାସ ଶିବିରକୁ ସମ୍ବୋଧିତ କରି କହିଛନ୍ତି ଯେ, ପଞ୍ଚାୟତି ରାଜର ସ୍ରଷ୍ଟା ରାଜୀବ ଗାନ୍ଧୀ ଏବଂ ତାଙ୍କ ଦୁରଦୃଷ୍ଟି ଯୋଗୁଁ କ୍ଷମତାର ବିକେନ୍ଦ୍ରିକରଣ ତଥା ପଲ୍ଲୀର ଗରିବ ଲୋକଙ୍କ ପାଖକୁ ଟଙ୍କା ଓ ଅନେକ ଗୁଡିଏ ସରକାରୀ ଯୋଜନା ପହଞ୍ଚି ପାରିବା ସମ୍ଭବ ହୋଇଥିଲା l 

ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ଶ୍ରମିକ, କୃଷକ, ଖଟିଖିଆ, କାରିଗର, ମହିଳା ଆଦିଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଆଗତ କରାଯାଇ ଲାଗୁ କରା ଯାଇଥିଲା ଫଳରେ ଭାରତରେ ଦରିଦ୍ରତା ଦ୍ରୁତଗତିରେ ନିମ୍ନଗାମୀ ହେଲା l 

ବର୍ତ୍ତମାନ ସେମାନେ ଆମ୍ବେଦକର କଂଗ୍ରେସ ବିରୋଧୀ ବୋଲି ପ୍ରଚାର କରୁଛନ୍ତି l ସାଧାରଣ ଜନତା ଜାଣିବା ଉଚିତ ଯେ ପଣ୍ଡିତ ନେହେରୁ ତାଙ୍କୁ ସମ୍ବିଧାନ କମିଟିର ଅଧ୍ୟକ୍ଷ କରିଥିଲେ l ଦୁହେଁ ଦୁହିଁଙ୍କ ପରିପୂରକ ଥିଲେ l ସେମାନେ ମିଥ୍ୟା ତଥ୍ୟ ଦେଇ ଆଦିବାସୀଙ୍କୁ କଂଗ୍ରେସଠାରୁ ଦୁରେଇ ଦେବାକୁ ଉଦ୍ୟମ କରୁଛନ୍ତି l 

ଏସବୁ ପାଇଁ ସମ୍ବିଧାନ ବିପଦରେ l ସମ୍ବିଧାନର ସୁରକ୍ଷା ସର୍ବୋପରି l ଏହା ଅଛି ବୋଲି ସାମାଜିକ ନ୍ୟାୟ କିଛି ଅଛି l ବର୍ତ୍ତମାନ ସାମାଜିକ ନ୍ୟାୟ ସଚେତନତା ଯଥେଷ୍ଟ ବୃଦ୍ଧି ପାଇଛି କିନ୍ତୁ ସାମାଜିକ ନ୍ୟାୟର ବିପ୍ଳବ ହୋଇ ଜାତି ବର୍ଣ ଏକାକାର ହୋଇପାରିନୁ l

ସଂଗଠନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଦାସ କହିଛନ୍ତି ଯେ, ସଂଗଠନରେ ବ୍ୟକ୍ତିର ନିଷ୍ଠା, ନିରନ୍ତର ଉଦ୍ୟମ ଓ ଶୃଙ୍ଖଳା ଅତ୍ୟନ୍ତ ଜରୁରୀ l 

ଶୃଙ୍ଖଳା ସଙ୍ଗଠନର ମୂଳମନ୍ତ୍ର l 

ବ୍ୟକ୍ତି ଶୃଙ୍ଖଳିତ ହୋଇ ଏସବୁ ନୀତି ନିୟମ ଯଦି ପାଳନ କରେ ସେ ନିଜେ ଜଣେ ସଂଗଠନ ହୋଇପାରିବ l 

ତେବେ ଦଳପ୍ରତି ସମର୍ପଣ ଭାବ, ସମଭାବପନ୍ନ ମନୋଭାବ, ଶୃଙ୍ଖଳାକୁ ନେଇ ସମସ୍ତେ କାର୍ଯ୍ୟ କଲେ ସଂଗଠନ ହୋଇ ପାରିବ l 

ସଂଗଠନରେ ସମସ୍ତଙ୍କ ପରାମର୍ଶର ଆବଶ୍ୟକତା ରହିଛି l କେବଳ ନିଜ ଜିଦ ଏବଂ କଥା ରହିବ ବୋଲି ଚିନ୍ତାକଲେ ସଂଗଠନ ଦୁର୍ବଳ ହୁଏ l 

ତେଣୁ ସଂଗଠନ ଗଢିବା ପାଇଁ ପ୍ରତ୍ୟେକ ନିଜକୁ ଗଢନ୍ତୁ ବୋଲି ପରାମର୍ଶ ଦେଇଥିଲେ l

ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ତାଙ୍କ ବ୍ୟକ୍ତବ୍ୟରେ କହିଲେ, ଦଳୀୟ ଶୃଙ୍ଖଳା ସର୍ବୋପରି l 

ଶୃଙ୍ଖଳା ବାହାରେ କିଏ ମଧ୍ୟ ନୁହନ୍ତି l ଦଳୀୟ ନେତୃବୃନ୍ଦଙ୍କ ପରାମର୍ଶ ଅନୁସାରେ ସାଙ୍ଗଠନିକ କାର୍ଯ୍ୟ ସମସ୍ତ ଦକୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମ ମନୋଭାବ ନେଇ କରିବାକୁ ପଡ଼ିବ l କର୍ମକର୍ତ୍ତା କଥାରେ ନୁହେଁ କାମରେ ଦେଖାନ୍ତୁ l 

ଯିଏ ଦଳ ପାଇଁ ଯେତିକି କାର୍ଯ୍ୟ କରିବ ଆମେ ସେତିକି ଖୁସୀ ହେବୁ ଏବଂ ଦଳ ଶକ୍ତିଶାଳୀ ହେବ ତେଣୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରତିଯୋଗିତା ହେଉ ବୋଲି ଶ୍ରୀ ଦେଶାଇ ସମସ୍ତଙ୍କୁ ଆହ୍ୱାନ କରିଥିଲେ l

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମାଗୁଣି ଜେନାଙ୍କ ନେତୃତ୍ୱରେ ସାଙ୍ଗଠନିକ ସଭା ହୋଇଥିବାବେଳେ, ଆରପଜିପିଆରଏସର ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା l 

ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ସୁଧାଂଶୁ ଦେଓ, ଶୁଭେନ୍ଦୁ ମହାନ୍ତି ଏବଂ ଯାଜପୁର ଜିଲ୍ଲାର ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ l