ଭାଦ୍ରବ (ଇନ୍ଦୁ) ପୂର୍ଣ୍ଣିମା ତଥା ଶ୍ରୀମଦ୍ଭାଗବତ ଜନ୍ମର ପ୍ରଛଦ ପଟ୍ଟ କାହାଣୀ...
ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି " ଶ୍ରୀମଦ୍ଭାଗବତ " ।
ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା ।
ସେଇଥିପାଇଁ ସମ୍ଭବତଃ, ଭାଦ୍ରବ ପୂର୍ଣ୍ଣମୀ ଶ୍ରୀମଦ୍ଭାଗବତ ଜନ୍ମର ପୁଣ୍ୟତିଥି ରୂପେ ପାଳିତ ହୋଇ ଆସୁଛି ।
ଶ୍ରୀମଦ୍ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ । ଭାଗବତ ପଠନରେ ସମସ୍ତ ପାପତାପ ଦୂର ହୋଇଥାଏ ।
ଭାଗବତରେ ଭଗବାନଙ୍କ ଲୀଳା , ରୂପ , ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି ।ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଦୁଃଖ ଓ ବହୁବିଧ ବିଘ୍ନ ଦୂର ହୋଇଥାଏ । ମହର୍ଷି ବ୍ୟାସଦେବ କୃତ ଶ୍ରୀମଦ୍ଭାଗବତ ସଂସ୍କୃତଭାଷାରେ ଧର୍ମୋପନିଷେଦ ମଧ୍ୟରେ ଏକ ସର୍ବୋକୃଷ୍ଟ l
ଏହାର ଆଧ୍ୟାତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନା ଭକ୍ତି , ଜ୍ଞାନ , ବୌରାଗ୍ୟ , ସମାଜଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ଵ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର ପରମ କଳ୍ୟାଣ ନିମନ୍ତେ "କୃଷ୍ଣ ଦ୍ଵୌପାୟନ ବ୍ୟାସଦେବ" ଉକ୍ତ ଗ୍ରନ୍ଥ ରଚନା କରିଥିଲେ ।
ଏହି ଦୃଷ୍ଟିରୁ ଶ୍ରୀମଦ୍ଭାଗବତ ଗ୍ରନ୍ଥ ସାକ୍ଷାତ ଭଗବାନଙ୍କର ପରମ ମଙ୍ଗଳମୟ ମୂର୍ତ୍ତି ବୋଲି କୁହାଯାଇଥାଏ । ଭାଗବତ ରଚନା ସମ୍ପର୍କରେ କୁହାଯାଇଛି ଦିନେ ବ୍ୟାସଦେବ ଅନ୍ୟମନସ୍କ ଭାବରେ ବସିଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲେ ନାରଦ ମୁନି ।
ନାରଦ ମୁନି ବ୍ୟାସଦେବଙ୍କ ମୁହଁକୁ ଦେଖି ପଚାରିଥିଲେ ଆପଣଙ୍କ ମୁଖ ଦେଖିଲେ ମନେ ହେଉଛି ଆପଣ ଯେଭଳି ଦୁଃଖରେ ଅଛନ୍ତି ? ତୁମ ଭଳି ମହାନ ଜ୍ଞାନି, ପଣ୍ଡିତ , ରୁଷିବରଙ୍କର ପୁଣି ମନଦୁଃଖ କାହିଁକି ? ନାରଦ ମୁନିଙ୍କ କଥା ଶୁଣି ବ୍ୟାସଦେବ କହିଛନ୍ତି । ହେ ମୁନିବର ତୁମ କଥା ଅନୁସାରେ ମୁଁ ଅନେକ କିଛି ରଚନା କରିସାରିଛି ।
ଯଦିଓ ମୁଁ ବେଦ , ମହାଭାରତ ଇତ୍ୟାଦି ରଚନା କରିଛି କିନ୍ତୁ ମୁଁ ଚାହୁଁଛି ଏଭଳି ଏକ ଗ୍ରନ୍ଥ ରଚନା କରିବା ପାଇଁ ଯାହାକୁ ସାଧାରଣ ଲୋକମାନେ ପଢିପାରିବେ , ବୁଝିପାରିବେ ଏବଂ ଯୋଗୀରାଜ କୃଷ୍ଣଙ୍କର ଗୁଣଗାନ କରି ସୁଖରେ ରହିପାରିବେ ।
ସେତେବେଳେ ଉଭୟଙ୍କ ଆଲୋଚନାରେ ସ୍ଥିର ହେଲା *ଭାଗବତ ନାମକ ମହାନ ଗ୍ରନ୍ଥ* ରଚନାର କଥା। ତାପରେ ବ୍ୟାସଦେବ ଆରମ୍ଭ କରିଥିଲେ ଭାଗବତ ରଚନା । ଭାଗବତ ମହାପୁରାଣରେ ଜନ୍ମମୃତ୍ୟୁ କଥା କୁହାଯାଇଛି । ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବାକୁ ନିର୍ବାଣ , ମୋକ୍ଷ ବା ସ୍ଵର୍ଗପ୍ରାପ୍ତି କୁହାଯାଏ ।
ଭାଗବତ ମହାପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ ଚଉରାଶିଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ ।
ଯଥା - ନଅ ଲକ୍ଷ ପ୍ରକାର ଜଳ ଜୀବ
କୋଡିଏ ଲକ୍ଷ ପ୍ରକାର ବୃକ୍ଷ
ଏଗାର ଲକ୍ଷ ପ୍ରକାର କୃମି କୀଟ
ଦଶ ଲକ୍ଷ ପ୍ରକାର ପକ୍ଷୀ
ତିରିଶ ଲକ୍ଷ ପ୍ରକାର ପଶୁ
ଚାରି ଲକ୍ଷ ପ୍ରକାର ମନୁଷ୍ୟ ଯୋନି ।।
ଭାଗବତ ଶବ୍ଦ ର ଅର୍ଥ ଅନୁସାରେ " ଭା " ର ଅର୍ଥ ଭାବ " ଗ " ର ଅର୍ଥ ଜ୍ଞାନ " ବ " ର ଅର୍ଥ ବୌରାଗ୍ୟ ଏବଂ " ତ " ର ଅର୍ଥ ତତ୍ତ୍ଵ କିନ୍ତୁ ବ୍ୟାକରଣ ସୂତ୍ରାନୁସାରେ ଭାଗବତ କୃତଂ ଭାଗବତମ୍ , ଅର୍ଥାତ୍ ଯାହା ଭଗବାନଙ୍କ କୃତ୍ତ ତାହାହିଁ ଭାଗବତ* ।
ଭାଗବତ ରୂପୀ କଳ୍ପ ବୃକ୍ଷର ମଞ୍ଜ ହେଉଛନ୍ତି ପରମାତ୍ମା ନିଜେ ଭକ୍ତି ହେଉଛି ମନ୍ଦା ଓଁକାର ହେଉଛି ଅଙ୍କୁର ।
ଏହା ବାରସ୍କନ୍ଦ ରେ ବିଦ୍ୟମାନ । ଏହି ବୃକ୍ଷ ର ଶାଖା ପ୍ରଶାଖା ର ସଂଖ୍ୟା ହେଲା ୩୩୨, ଯାହାକି ଭାଗବତ ର ସମୁଦାୟ ଅଧ୍ୟାୟ ସଂଖ୍ୟାର ସମଷ୍ଟି ।
ଏହି ବୃକ୍ଷର ପତ୍ର ମାନଙ୍କର ସଂଖ୍ୟା ହେଉଛି ୧୮,୦୦୦ ଯାହାକି ଭାଗବତ ର ସମସ୍ତ ଶ୍ଲୋକମାନଙ୍କର ସମଷ୍ଟି ଭାଗବତ କୁ ପ୍ରତ୍ୟକ୍ଷ୍ୟ ଭାବରେ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରାଯାଇଛି ।
ଭାଗବତ ର ପ୍ରଥମ ଓ ଦ୍ଵିତୀୟ ସ୍କନ୍ଦ ଭଗବାନଙ୍କର ଦୁଇ ଚରଣାରବିନ୍ଦ ।
ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ପ୍ରଭୁଙ୍କର ଦୁଇଭାନୁ ।
ପଞ୍ଚମ ସ୍କନ୍ଦ ହେଉଛି ନାଭି ଦେଶ
ଷଷ୍ଟ ସ୍କନ୍ଦ ଭଗବାନଙ୍କର ବକ୍ଷ ସ୍ଥଳ ।
ସପ୍ତମ ଓ ଅଷ୍ଟମ ସ୍କନ୍ଦ ହେଉଛି ଦୁଇ ଭୁଜ ।
ନବମ ସ୍କନ୍ଦ ହେଉଛି ପ୍ରଭୁଙ୍କର କଣ୍ଠ ଦେଶ ।
ଦଶମ ସ୍କନ୍ଦ ହେଉଛି ଶ୍ରୀ ଗଙ୍ଗା ଅଧର ଯୁକ୍ତ ମୁଖ ମଣ୍ଡଳ । ଏକାଦଶ ସ୍କନ୍ଦ ହେଉଛି ଲାଲ ଦେଶ ବା ଲଲାଟ ।
ଦ୍ଵାଦଶ ସ୍କନ୍ଦ ହେଉଛି ଭଗବାନଙ୍କର ମସ୍ତକ ।
ଏହି ଗ୍ରନ୍ଥର ମହିମା ବିଷୟରେ ଯେତେଯାହା କହିଲେ କମ ହେବ
ଷୋଡଶ ଶତାବ୍ଦୀରେ ଯେଉଁ ମହାମନିଷୀମାନେ ଶ୍ରୀମଦ୍ଭାଗବତକୁ ଆଧାରକରି ପ୍ରାନ୍ତୀୟ ଭାଷାରେ ନିଜନିଜ ଭକ୍ତିପୂର୍ଣ୍ଣ କୃତ୍ତିସମୂହ ଦ୍ଵାରା ସମାଜରେ ଭକ୍ତିଧାରା ସୃଷ୍ଟି କରିବାରେ ମହାନ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡିଶାର ମହାନ ସନ୍ଥ *ଅତିବଡୀ ଜଗନ୍ନାଥ ଦାସ* ଅନ୍ୟତମ ।
ତାଙ୍କ ପ୍ରଣୀତ
ଓଡିଆ ଭାଗବତ* ଉତ୍କଳୀୟ ଜନଜୀବନ ଓ ଉତ୍କଳୀୟ ସଂସ୍କୃତିର ଏକ ବଳିଷ୍ଠ କୃତି ।
ମହର୍ଷି ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା ।
ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣ ପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣ ପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ ।
ଜଗନ୍ନାଥଙ୍କ ବୋଉ (ମା) ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି ।
ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ "ଜଗନ୍ନାଥ ଦାସ" ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ ।
ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ ।
ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଓଡିଶାର ପୁରପଲ୍ଲୀରେ ତଥା ଘରେଘରେ ପୂଜା ଏହାର ଲୋକପ୍ରିୟତା ।
ଓଡିଶାର ଜନମାନସ ଏହି ଗ୍ରନ୍ଥକୁ ସ୍ଵୟଂ ଭଗବାନଙ୍କ ବିଗ୍ରହ ମନେକରି ଆଜି ମଧ୍ୟ ଘରେଘରେ ପୂଜା କରୁଛନ୍ତି । ଏହା ହିଁ ଉକ୍ତ ଗ୍ରନ୍ଥ ର ମହାନତା ।
ଭାଗବତ ରଚୟିତା ଜଗନ୍ନାଥ ଦାସ ମନୁଷ୍ୟ ଜନ୍ମକୁ ପ୍ରଶଂସା କରିଅଛନ୍ତି ଯଥା -
ଅନେକ ଜନ୍ମ ତପ ଫଳେ
ମନୁଷ୍ୟ ଜନ୍ମ ମହୀତଳେ
ଦୁର୍ଲ୍ଲଭ ମନୁଷ୍ୟ ଜନମ
ପାଇ କିମ୍ପାଇ ହେଉ ଭ୍ରମ
ସର୍ବ ଶରୀର ମଧ୍ୟେ ସାର
ଦୁର୍ଲ୍ଲଭ ନର କଳେବର
ଦୁର୍ଲ୍ଲଭ ମନୁଷ୍ୟ ଶରୀର
ନରକ ନିସ୍ତାରଣ ଦ୍ଵାର
ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ "ବାର ସ୍କନ୍ଧରେ" ବିଭକ୍ତ ଏବଂ ପ୍ରତି ସ୍କନ୍ଧ, ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ୍ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ ।
ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶଯ୍ୟା ପାଖରେ ବୋଲାଯାଏ ।
ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର "ମଙ୍ଗଳାଚରଣ" ସ୍ଥାନ ପାଇବା ଦେଖିବାକୁ ମିଳେ ।
ll ମଙ୍ଗଳାଚରଣ ll
"ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ" || ୧ ||
ଭାବାର୍ଥ : ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।
"ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍" || ୨ ||
ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି) ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ପ୍ରଣାମ କରୁଛୁ ।
"ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ" ।। ୩ ||
ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାପତିଙ୍କୁ (ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।
"ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍" | ୪ ||
ଯାହାଙ୍କ କୃପାରୁ ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।
"ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।
ଧ୍ୟାନାବତ୍ସିତଦ୍ଗତେନ ମନସା ପଶଂନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ" || ୫ ||
ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି;
ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମନ କରୁଛି ।
“ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଳୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥
”
ଆଜି ସେହି ମହାନ ତଥା ପବିତ୍ର ଗ୍ରନ୍ଥର ଜନ୍ମ ଦିବସ । ଓଡିଆ ପୁରପଲ୍ଲିରେ ଏହା *ଭାଗବତ ଜନ୍ମ* ଭାବେ ବେଶ ପ୍ରସିଦ୍ଧ।