ଭୟ… ଆତଙ୍କ… ଆଉ ମୃତ୍ୟୁର କରାଳ ଛାୟା…

May 27, 2026 - 11:45
 11
ଭୟ… ଆତଙ୍କ… ଆଉ ମୃତ୍ୟୁର କରାଳ ଛାୟା…

ବିଶ୍ବକୁ ଡରାଇଲାଣି ଘାତକ ଭାଇରସ୍। 

କରୋନାର ଭୟ ଏଯାଏ ମନରୁ ଲିଭିନଥିବା ବେଳେ, ଆତଙ୍କ ବଢ଼ାଇଛି ‘ଇବୋଲା’। 

ଆଫ୍ରିକାରୁ ବାହାରିଥିବା ଏକ ଭୟଙ୍କର ଭାଇରସ୍ ସାରା ବିଶ୍ୱକୁ କବ୍‌ଜା କରିବାକୁ ବଢ଼ାଇ ଚାଲିଛି ପାଦ। 

ସ୍ଥିତି ଏଭଳି ସାଙ୍ଘାତିକ ରୂପ ନେଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ବିଶ୍ବରେ 'ଗ୍ଲୋବାଲ୍ ହେଲଥ୍ ଏମରଜେନ୍ସି' ଘୋଷଣା କରିବାକୁ ବାଧ୍ୟ ହୋଇଛି। 

ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭାଇରସର ନୂଆ ଷ୍ଟ୍ରେନ୍ 'ବୁଣ୍ଡିବୁଗ୍ୟୋ' ଗୁଳି ବେଗରେ ବ୍ୟାପିବାରେ ଲାଗିଛି। 

ଏହି ଷ୍ଟ୍ରେନ୍ ଏତେ ଘାତକ ଯେ ଏହାକୁ 'ମହାଦ୍ୱୀପୀୟ ସୁରକ୍ଷାର ସବୁଠୁ ବଡ଼ ଶତ୍ରୁ' ବୋଲି ଆଫ୍ରିକା ସିଡିସି ଘୋଷଣା କରିସାରିଛି।*

ବିଶ୍ୱ ସ୍ତରରେ ବଢ଼ୁଥିବା ଏହି ମହା-ବିପଦକୁ ଦେଖି ଭାରତ ସରକାର ମଧ୍ୟ ତୁରନ୍ତ ଆକ୍ସନ ମୋଡ୍‌କୁ ଆସି ଯାଇଛନ୍ତି। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଜାରି କରାଯାଇଛି ଟ୍ରାଭେଲ ଆଡଭାଇଜରୀ। 

ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ, କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଭଳି ହଟ୍-ସ୍ପଟ୍ ଦେଶଗୁଡ଼ିକୁ ବର୍ତ୍ତମାନ ଯାତ୍ରା କରିବା ହୋଇପାରେ ଆତ୍ମଘାତୀ। ଅତ୍ୟାବଶ୍ୟକ ନ ହେଲେ ଏହି ଦେଶକୁ ଯାତ୍ରା ଏଡ଼ାଇବାକୁ କହିଛନ୍ତି ସରକାର। 

ଏହାସହ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକରେ ଆଫ୍ରିକାରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି।

ହେଲେ ଏହି ସଙ୍କଟ ସମୟରେ ଭାରତ କେବଳ ନିଜ ସୁରକ୍ଷା କଥା ଚିନ୍ତା କରିନାହିଁ, ବରଂ 'ବସୁଧୈବ କୁଟୁମ୍ବକମ୍' ର ନୀତି ଆପଣାଇଛି। ଆଫ୍ରିକା ଅଭିମୁଖେ ବଢ଼ାଇଛି ସହାୟତାର ହାତ। 

ବିଶ୍ୱର ଫାର୍ମାସୀ କୁହାଯାଉଥିବା ଭାରତ, ଆଫ୍ରିକା ସିଡିସି ପାଇଁ ମେଡିକାଲ୍ ସପ୍ଲାଇ ଏବଂ ପ୍ରୋଟେକ୍ଟିଭ୍ କିଟ୍‌ର ପ୍ରଥମ ବିରାଟ ୟୁନିଟ୍ ଯାଇଛି। 

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଏହି ସାହାଯ୍ୟ ଆଫ୍ରିକୀୟ ଭାଇଭଉଣୀଙ୍କୁ ଇବୋଲା ବିରୋଧରେ ଲଢ଼ିବାକୁ ସାହସ ଦେବ। 

ଇବୋଲା ଭାଇରସର ଏହି ନୂଆ ଷ୍ଟ୍ରେନ୍ ଯେଉଁଭଳି ଭାବେ ଆଫ୍ରିକାରେ କାୟା ବିସ୍ତାର କରୁଛି, ତାହା ସାରା ବିଶ୍ୱ ପାଇଁ ଏକ ବଡ଼ ଚେତାବନୀ। 

ଭାରତ ସରକାରଙ୍କ ଆଗୁଆ ସତର୍କତା ଏବଂ ଆଫ୍ରିକାକୁ ସହାୟତାର ହାତ ବଢ଼ାଇବା ନିଶ୍ଚିତ ଭାବେ ପ୍ରଶଂସନୀୟ ପଦକ୍ଷେପ।