ରସୁଣ ଦର ଆକାଶ ଛୁଆଁ

ଭୁବନେଶ୍ୱର: ରସୁଣର ଗରମରେ ସିଝି ଗଲେଣି ଗ୍ରାହକ । କାରଣ କେଜି ପ୍ରତି ଦର ୪୫୦ ଛୁଇଁଲାଣି । ରସୁଣର ଅହେତୁକ ମୂଲ୍ୟ ବୃଦ୍ଧି ଏବେ ଗ୍ରାହକଙ୍କ ପକେଟକୁ ବାଧୁଛି । ସପ୍ତାହେ ତଳେ କଟକ ଛତ୍ର ବଜାରରେ ରସୁଣ କେଜି ୨୦୦ ରୁ ୨୫୦ ଟଙ୍କା ଥିବାବେଳେ , ଏବେ ୩୮୦ ରୁ ୪୦୦ ଟଙ୍କା ରହିଛି । ଆଉ ଛୋଟ ଦୋକାନ ଗୁଡିକରେ ତାହା ୪୪୦ ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ରସୁଣ ପାଇଁ ଉତ୍ତରପ୍ରଦେଶ ଓ ଇନ୍ଦୋର ଉପରେ ନିର୍ଭର କରିବାକୁ ପଡିଥାଏ । ଏଥର ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଛି । ଉତ୍ପାଦନ କମ ରହୁଥିବାରୁ ଆମଦାନୀ ମଧ୍ୟ କମ୍‌ ରହୁଛି । କଟକ ଛତ୍ର ବଜାରରେ ଦୈନିକ ୨ରୁ ୩ ଗାଡ଼ି ରସୁଣ ଆସୁଥିବା ବେଳେ ଏବେ ଗୋଟେ ଗାଡ଼ି ଆସୁଛି । ଏଭଳି ସ୍ଥିତି ପ୍ରାୟ ମାସେ ରହିବ ବୋଲି କହିଛନ୍ତି ବ୍ୟବସାୟୀ । ରସୁଣର ଏ ଦର ବୃଦ୍ଧି ଏବେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ରୋଷେଇ ଘରେ ମଧ୍ୟ ଏହାର ପ୍ରଭାବ ପଡିଛି । ଖୁଚୁରା ବ୍ୟବସାୟୀ ବି ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । ପୂର୍ବରୁ ଗ୍ରାହକ ଜଣଙ୍କ ୨୫୦ ଗ୍ରାମ ନେଉଥିବା ବେଳେ, ଏବେ ୫୦ ଗ୍ରାମରେ ସୀମିତ ରହୁଛନ୍ତି । ନୂଆ ଫସଲ ଆମଦାନୀ ହେଲା ପରେ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ଓ ଗ୍ରାହକ।

ରସୁଣ ଦର ଆକାଶ ଛୁଆଁ