ରହିଗଲା ଅଧା ଘଟଗାଁ ମା’ ତାରିଣୀ ଦର୍ଶନ

ପର୍ଜଙ୍ଗ: ଘଟଗାଁ ମା’ ତାରିଣୀ ଦର୍ଶନ କରିବାକୁ ସାଙ୍ଗ ସହିତ ବାଇକ୍‌ରେ ଯାଉଥିବା ବେଳେ କାଞ୍ଜିପାଣିଘାଟିରେ ରବିବାର ଦିନ ସରାଙ୍ଗ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ଇଂଜିନିୟରିଂ କଲେଜ ଛାତ୍ର ହେଲେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧୀନ କୁସୁମୀ ଗାଁର ଓମ୍‌ ପ୍ରକାଶ ନାୟକ। ଏହି ଦୁର୍ଘଟଣାରେ ତାଙ୍କର ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ ଓମ୍‌ ପ୍ରକାଶ ଓ ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ୩ଟି ବାଇକ୍‌ରେ ଆଜି ଭୋର୍‌ ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ମା’ ତାରିଣୀ ଦର୍ଶନ ପାଇଁ ଯାଉଥିଲେ। କାଞ୍ଜିପାଣିଘାଟିରେ ସେମାନେ ଟ୍ରକ୍‌ ଦ୍ବାରା ଦୁର୍ଘଟଣାର ଶିକାର ହୋଇଥିଲେ। ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ଉଭୟ ବାଇକ୍‌ ଚାଳକ ତଳେ ପଡ଼ିଯାଇଥିଲେ। ଏଥିରେ ଓମ୍‌ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସାଙ୍ଗକୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏକ ମାତ୍ର ଓମ୍‌ ପ୍ରକାଶଙ୍କ ମୃତ୍ୟୁ ଖବର ପାଇ କୁମୁସୀ ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପୁଅ ଓମ୍‌ ପ୍ରକାଶଙ୍କୁ ଇଂଜିନିୟର କରିବେ ବୋଲି ଗରିବ ବାପା-ମା ସ୍ବପ୍ନ ଦେଖିଥିଲେ। ସେହି ସ୍ବପ୍ନ ଏବେ ଚୁରମାର ହୋଇଯାଇଛି।

ରହିଗଲା ଅଧା ଘଟଗାଁ ମା’ ତାରିଣୀ ଦର୍ଶନ