ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ପାଳିତ ହେଲା ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ...

Oct 21, 2025 - 13:51
 37
ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ପାଳିତ ହେଲା ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ...

ରାଜ୍ୟ ପୋଲିସ ମୁଖ୍ୟାଳୟ 

ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l 

ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l 

ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଥିଲେ l 

ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।   

ଡିଜିପି ଶ୍ରୀ ଖୁରାନିଆ କିଛି ବର୍ଷ ପୂର୍ବରୁ ପୋଲିସ ସହିଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା ଏବଂ ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି ବୋଲି କହିଥିଲେ ।  

ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। 

ଜମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆମ ପୋଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ଯୁଦ୍ଧ କରୁଛନ୍ତି। ଆମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ବ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଥିଲେ l 

ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର 191 ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି। 

ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଶହୀଦ ହୋଇଥିବା ରାୟଗଡା ଜିଲ୍ଲାର 2nd IR Bn. ର Constable/475 ଲକ୍ଷ୍ମଣ ମାଝୀ, UPD କଟକର OAPF /353 ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |  

ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା । 

ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ । 

ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର 5 , ଆରୁଣାଚଳ ପ୍ରଦେଶର 1 , ଆସମର 2 , ବିହାରର 8 , ଛତିଶଗଡର 16, ଗୁଜୁରାଟ 3, ଝାଡ଼ଖଣ୍ଡ ର 1, କର୍ଣାଟକର 8, କେରଳର 1, ମଧ୍ୟପ୍ରଦେଶର 11, ମହାରାଷ୍ଟ୍ରର 1, ମଣିପୁର ର 3, ନଗାଲାଣ୍ଡ ର 1, ଓଡିଶାର 2, ପଞ୍ଜାବ ର 3, ରାଜସ୍ଥାନର 7, ତାମିଲନାଡୁର 6, ତେଲେଙ୍ଗାନା ର 5, ତ୍ରିପୁରା ର 2, ଉତ୍ତରପ୍ରଦେଶ ର 3, ଉତ୍ତରାଖଣ୍ଡର 4, ପଶ୍ଚିମବଙ୍ଗର 12, ଚଣ୍ଡୀଗଡ଼ର 2, ଦିଲ୍ଲୀର 8, ଜାମ୍ମୁ ଓ କାଶ୍ମୀର ର 14, ଲଦାଖର 1, ଆସାମ ରାଇଫଲର 2, ବିଏସଏଫ ର 23, ସିଆଇଏସଏଫ ର 6, ସିଆରପିଏଫର 9, ଆଇଟିବିପିର 5, ଏସଏସବିର 6, ଏନଡିଆଏଫର 1 ଏବଂ ଆରପିଏଫର 9 ଜଣ ଶହୀଦ ହୋଇଛନ୍ତି l

ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଣ୍ଟି ନକ୍ସଲ ଅପରେସନ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅରୁଣ ବୋଥ୍ରାଙ୍କ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ |