ରାଜ୍ୟ ସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସାମ୍ବାଦିକ ସମିଳନୀ ସହିତ ହେବାକୁ ଥିବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ...

Dec 8, 2025 - 18:59
 9
ରାଜ୍ୟ ସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସାମ୍ବାଦିକ ସମିଳନୀ ସହିତ ହେବାକୁ ଥିବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ...

୧୮ତମ ରାଜ୍ୟସ୍ତ ରୀୟ କଳିଙ୍ଗ ହର୍ବାଲ ମେଳା– ୨୦୨୫-୨୬

ଡିସେମ୍ବର ୧୦ରୁ ୧୬ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ

ଭୁବନେଶ୍ବର, ୦୮ ଡିସେମ୍ବର ୨୦୨୫

ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡ଼ିଶା (SMPB) ଦ୍ବାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା, ୨୦୨୫-୨୬, ଆସନ୍ତା ତା: ୧୦ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆ, ୟୁନିଟ -୩, ଭୁବନେଶ୍ବର ଠାରେ ଆୟୋଜିତ ହେଉଛି। ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳା ବନ ସୁରକ୍ଷା ସମିତି ସଦସ୍ୟ, ଚାଷୀ, ବୈଦ୍ୟ, ଔଷଧ ଉଦ୍ଭିଦ ସଂଗ୍ରାହକ, ବ୍ୟବସାୟୀ, ଗବେଷକ, ଛାତ୍ରଛାତ୍ରୀ, ବନ ଅଧିକାରୀ, ଏନଜିଓ, ଏସ.ଏଚ.ଜି ଓ ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ଭାବରେ ପରିଚିତ।

ଚଳିତ ବର୍ଷ ମେଳାରେ ୧୩୦ଟି ଷ୍ଟଲ୍ ଖୋଲାଯିବ ଓ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ମୋଟ ୨୬୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ। ଏଥ୍ ସହିତ ରାଇରଙ୍ଗପୁର, କେନ୍ଦୁଝର ଓ ମାଲକାନଗିରି ରେ ଚଳିତ ବର୍ଷ କ୍ଷେତ୍ରୀୟ କଳିଙ୍ଗ ହର୍ବାଲ ମେଳା ମଧ୍ଯ ଆୟୋଜିତ ହେବ, ଯାହା ସ୍ଥାନୀୟ ଡିଏଫଓ ମାନଙ୍କ ଦ୍ବାରା ପରିଚାଳିତ ହେବ ।

ମେଳାର ଉଦ୍ଘାଟନ ୧୦ ଡିସେମ୍ବର ୨୦୨୫ ସନ୍ଧ୍ୟା ୬ ଟାରେ ଆୟୋଜିତ ହେବ, ଯାହାର ଉଦ୍ଘାଟକ ଭାବେ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ESI ବିଭାଗ, ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଉଦ୍ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ଶ୍ରୀ ସୁରେଶ ପଛ, ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଶ୍ରୀ ପ୍ରେମ କୁମାର ଝା, ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ବାବଧାରକ, ଔଷଧୀୟ ଉଦ୍ଭିଦ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ କାର୍ଭିକ ଭି ଏବଂ ବନ ବିଭାଗର ବରିଷ୍ଠ ଅଧୂକାରୀମାନେ ଯୋଗଦେବେ।

ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧୂକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନ‌ତା ବୃଦ୍ଧି କରିବା; ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥ୍‌ର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ । ଗତ ବର୍ଷ ଡାବର, ଇମାମି, ଆର୍ୟା ବୈଦ୍ୟଶାଳା କୋଟ୍ଟାକାଲ, ବୈଦ୍ୟନାଥ, ମୁଲତାନି ଏବଂ ବେସିକ୍ ଆୟୁର୍ବେଦ ଭଳି ଜଣାଶୁଣା କମ୍ପାନୀମାନେ ଅଂଶଗ୍ରହଣ କରିଥିଲେ ଓ ମୋଟ ବ୍ୟବସାୟ ୧,୦୨,୮୯,୬୦୦ /- ହୋଇଥିଲା । ଚଳିତ ବର୍ଷ ବୃହତ୍ତର ଅଂଶଗ୍ରହଣ ସହିତ ବ୍ୟବସାୟ. ୨ କୋଟି ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।

ମେଳା ସମୟରେ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୧ ଡିସେମ୍ବର ପୂର୍ବାହ୍ନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଔଷଧୀୟ ଉଦ୍ଭିଦ କୁଇଜ୍‌ । ୧୨ ଡିସେମ୍ବର ମଧ୍ୟାନ୍ନ ୧୨ ଟାରୁ ୨ ଘଟିକା ରେ ନାରୀ ସମ୍ମିଳନୀ (ରୁଫଟପ୍ ପୋଷକ ବଗିଚା) । ୧୩ ଡିସେମ୍ବର ମଧ୍ୟାନ୍ନ ୧୨ ରୁ ୨ ଘଟିକା ସମୟରେ ଅଂଶଗ୍ରହଣକାରୀଙ୍କ ପାଇଁ ତର୍କ ପ୍ରତିଯୋଗିତା । ୧୪ ଡିସେମ୍ବର ପୂର୍ବାହ୍ନ ୧୦ ରୁ ୨ ଘଟିକା ମଧ୍ୟରେ ଔଷଧୀୟ ଉଦ୍ଭିଦ ଚାଷୀ ସମ୍ମିଳନୀ । ୧୫ ଡିସେମ୍ବର ପୂର୍ବାହ୍ନ ୧୧ ରୁ ୨ ଘଟିକା - ପାରମ୍ପରିକ ଚିକିତ୍ସକ କର୍ମଶାଳା ଆୟୋଜନର କାର୍ଯ୍ୟକ୍ରମ ରହିଛି ।

୧୦ ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ୭ ଘଟିକାରୁ ରାତି ୯ ଘଟିକା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥ୍ ସହିତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍ ଡାକ୍ତରମାନଙ୍କ ଦ୍ବାରା ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କୁଇଜ୍ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ସମସ୍ତଙ୍କୁ ଏହି ବୈଜ୍ଞାନିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସମୃଦ୍ଧ କରିବାକୁ ଆୟୋଜିତ ଉତ୍ସବରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ଼ ପକ୍ଷରୁ ନିବେଦନ କରାଯାଇଛି ।