ରାଜ୍ୟରେ ଧାନ କିଣା ପ୍ରକ୍ରିୟା ହେଉଛି ତ୍ୱରାନ୍ୱିତ...

Dec 19, 2025 - 09:20
 13
ରାଜ୍ୟରେ ଧାନ କିଣା ପ୍ରକ୍ରିୟା ହେଉଛି ତ୍ୱରାନ୍ୱିତ...

ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । 

ବର୍ତ୍ତମାନ ସୁଦ୍ଧା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନ ସଂଗ୍ରହ ଜାରି ରହଛି । ପର୍ଯ୍ୟାୟକ୍ରମେ ସ୍ଥାନୀୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲା ଗୁଡ଼ିକରୁ ୪୯,୦୫୧ ଜଣ ଚାଷୀଙ୍କଠାରୁ ଦୁଇ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । 

ଚଳିତ ବର୍ଷ ଗତବର୍ଷ ତୁଳନାରେ ଆଜି ସୁଦ୍ଧା ସମ୍ବଲପୁରରେ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । 

ଆଜିସୁଦ୍ଧା ୧୮ ହଜାର ୮୯୧ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିବାବେଳେ ଗତବର୍ଷ ଏହିଦିନ ସୁଦ୍ଧା ୧୪ ହଜାର ୮୯୬ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିଲା । 

ଗତବର୍ଷ ସମ୍ବଲପୁରରେ ୨୫ ନଭେମ୍ବରରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ଡିସେମ୍ବର ୨ ତାରିଖରେ ଜିଲ୍ଲାରେ ଧାନସଂଗ୍ରହ ଆରମ୍ଭ ହୋଇଛି । ଚଳିତ ଖରିଫ ଋତୁରେ ସମସ୍ତ ଚାଷୀ ମାନଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । 

ଏଥିପାଇଁ ପଞ୍ଜିକରଣ ଅବଧି ବୃଦ୍ଧି ସହ ଅଧିକ ଚାଷ ଜମି ଅଞ୍ଚଳକୁ ସର୍ଭେ ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ଜିଲ୍ଲାରେ ସାଟେଲାଇଟ ମାଧ୍ୟମରେ ସଠିକ ଚାଷ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । 

ଏତଦବ୍ୟତୀତ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ରାଶି ମଧ୍ୟ ସରକାରୀ ସ୍ତରରେ ଧାନ ବିକିବା ପାଇଁ ପ୍ରୋତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଛି ।

ପ୍ରତ୍ୟେକ ଯୋଗ୍ୟ ଚାଷୀମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ଟୋକନ୍‌ ପ୍ରଦାନ କରାଯାଇ ଧାନ ସଂଗ୍ରହ କରାଯାଉଛି । 

ଯଦି କୌଣସି ଅଭିଯୋଗ ଥାଏ ତେବେ ଚାଷୀମାନେ ସଂପୃକ୍ତ ମଣ୍ଡିରେ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି 

ଏଥିସହ ଟୋଲ୍‌ ଫି୍ର ନମ୍ବର -୧୯୬୭ ମାଧ୍ୟମରେ ମଧ୍ୟ ନିଜର ଅଭିଯୋଗ ଦାଖଲ କରିପାରିବେ । ସେମାନଙ୍କ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଧାନ ସଂଗ୍ରହ ନେଇ ଅନ୍ୟ କୌଣସି ବ୍ୟକ୍ତିବିଶେଷ କିମ୍ବା ଗୁଜବକାରୀଙ୍କ କଥା ନ ଶୁଣିବା ପାଇଁ ଯୋଗ୍ୟ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଧାନ ବିକ୍ରୟ କରିବାର ୪୮ ଘଣ୍ଟା ମଧ୍ୟରେ ସଂପୃକ୍ତ ଚାଷୀଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ପ୍ରଦାନ କରାଯାଉଛି । 

ଏଥିପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଭିତ୍ତିକ ଦେୟ ପ୍ରଦାନର ବ୍ୟବସ୍ଥା ଗ୍ରହଣ କରାଯାଇଛି ।