ଲେହରେ ଆନ୍ଦୋଳନ ଉଗ୍ର ରୂପ ନେଇଥିବାରୁ ସେଠାରେ ୧୬୩ ଧାରା ଲାଗୁ କରାଯାଇଛି...
କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ବଡ଼ ଆନ୍ଦୋଳନ ରେ ପରିଣତ ହୋଇଛି । ବୁଧବାରଠାରୁ ଲେହରେ ଆରମ୍ଭ ହୋଇଥିବା ଜେନ୍-ଜେଡ୍ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ବୁଧବାର ଘଟିଥିବା ହିଂସାକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି ।
ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଲେହରେ ୧୧୬୩ ଧାରା ଲାଗୁ କରାଯାଇଛି ।
ହିଂସା ସମୟରେ ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ତାରିଖରୁ ଅନଶନରେ ବସିଛନ୍ତି ।
ରାଜ୍ୟ ମାନ୍ୟତା ଦାବିରେ କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସର ସଦସ୍ୟ ସଜ୍ଜାଦ ହୁସେନ୍ କହିଛନ୍ତି ଯେ ଲେହରେ ଯେଉଁ ବିଶୃଙ୍ଖଳା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ହିଂସା ପାଇଁ କୌଣସି ସ୍ଥାନ କି କାଳ ନ ଥାଏ, କିନ୍ତୁ ଗତ ୪ବର୍ଷ ଧରି ଯେଉଁଠାରେ ଲୋକଙ୍କ ପାଖରେ କୌଣସି ଚାକିରି ନାହିଁ, ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷିତ ଭାବନା ରହିଛି । ଏଠାରେ କୌଣସି ଗଣତନ୍ତ୍ର ନାହିଁ । ଆମେ ଶାସକ ଦଳକୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛୁ । କାର୍ଗିଲ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି ।
ସରକାରଙ୍କୁ ସମ୍ବେଦନଶୀଳ ଭାବରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ହୁସେନ୍ ||
ଗତ ୧୫ଦିନ ହେବ ସୋନମ ୱାଙ୍ଗଚୁକ୍ ଅନଶନରେ ବସିଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଆଲୋଚନାକୁ ଅନୁମୋଦନ କରିଥିଲେ ।
ଆଲୋଚନା ପାଇଁ ଅକ୍ଟୋବର ୬ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ହିଂସା ସମ୍ପୂର୍ଣ ବନ୍ଦ ହୋଇ ନ ଥିଲା ।
ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟ ଏବଂ ସିଆରପିଏଫ୍ ଗାଡିରେ ନିଆଁ ଲଗାଇ ଦେଇଥିଲେ ।