ଶାରଦୀୟ ପାର୍ବଣରେ 'ମା' ବିମଳାଙ୍କ ତନ୍ତ୍ର ପୀଠ ଶ୍ରୀ ମନ୍ଦିର...
ସାରାବର୍ଷ ଯେଉଁ ତନ୍ତ୍ରପୀଠ ଶାକାହାରୀ ରହେ, ସେହି ପୀଠ ଶାରଦୀୟ ପାର୍ବଣ ଆସିବା ମାତ୍ରେ ଜାଗ୍ରତ ହୋଇଉଠେ।
ଏହି ସମୟରେ ଯେଉଁ ଭୋଗ ତୁଳସୀ ପଡି ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ ତାହା ପୁନର୍ବାର ମହାଦେବୀଙ୍କ ନିକଟରେ ବେଲପତ୍ର ପଡି ଷୋଡଶ ଉପଚାରରେ ପୂଜା ବସେ |
ଏତତ୍ ବ୍ୟତୀତ କାତ୍ୟାୟନୀ କଳ୍ପକ୍ତ ତ୍ରିଦିନାତ୍ମକ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ମହାପ୍ରଭୁଙ୍କ ପହୁଡ ଅନ୍ତେ ଅସ୍ଥାୟୀ ରୋଷଘରେ ମହାଦେଵୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଶଙ୍ଖୁଡି ଭୋଗ ( ମାଛ, ମହୁର, ଖେଚୁଡ଼ି, କାନିକା, ଡାଲି, ଖଟା ଆଦି ) ରୋଷେଇ ହୋଇ ମଣୋହି ହୁଏ | ଏହି ଭୋଗରୁ କଣିକାଏ ମାତ୍ର ପାଇବାର ଆଶାରଖି ଅନେକ ତନ୍ତ୍ରସାଧକ ଚାଲିଆସନ୍ତି ପୁରୁଷୋତ୍ତମ କ୍ଷେତ୍ରକୁ |
ତ୍ରିଦିନାତ୍ମିକ ପୂଜା ଅବସରରେ ମହାପ୍ରଭୁଙ୍କ ପହୁଡନୀତି ବଢିବାପରେ ଦେବୀଙ୍କ ପାଖରେ ପ୍ରତିଦିନ ଦୁଇଟି ଲେଖାଏଁ ପଶୁପ୍ରୋକ୍ଷଣ ହୋଇ ମଧ୍ୟରାତ୍ରରେ ବଳି ହୋଇଥାଏ | ବଳି ଅନ୍ତେ ସେ ରୁଧିର ସହିତ ତଣ୍ଡୁଳ ଆଦି ମିଶି ସମର୍ପଣ ହୋଇଥାଏ |
ବିଶ୍ୱାସ ରହିଛି ଅପୁତ୍ରିକ ନାରୀ ଯଦି ମା'ଙ୍କ ଏହି ରୁଧିରଯୁକ୍ତ ଚାଉଳ ଗ୍ରହଣ କରନ୍ତି ତେବେ ସେ ନିଶ୍ଚିନ୍ତ ରୂପେ ପୁତ୍ରବତୀ ହୁଅନ୍ତି |
ଦେବୀଙ୍କ ବିନାଆଜ୍ଞାରେ କଣିକାଏ ପାଇବାର ସୌଭାଗ୍ୟ ଦେବତାଙ୍କୁ ମଧ୍ୟ ମିଳେନାହିଁ |
ଭୋଗ ଓ ମୋକ୍ଷ ଏକତ୍ର ସମ୍ଭବ ?
_ଯତ୍ରାସ୍ତି ଭୋଗୋ ନ ହିଁ ତତ୍ର ମୋକ୍ଷହ।
ଯତ୍ରାସ୍ତି ମୋକ୍ଷହ ନ ହି ତତ୍ର ଭୋଗୋଃ।।
ଶ୍ରୀ ସୁନ୍ଦରୀ ପୁଜନ - ତତପରଣାମ୍।
ଭୋଗଶ୍ଚ ମୋକ୍ଷଶ୍ଚ କରସ୍ଥ ଏବ_।।
ଯେଉଁ ଠାରେ ଭୋଗ ଅଛି, ସେଠାରେ ମୋକ୍ଷ ନାହିଁ।
ଯେଉଁ ଠାରେ ମୋକ୍ଷ, ସେଠାରେ ଭୋଗ ନାହିଁ।
କିନ୍ତୁ ଶ୍ରୀସୁନ୍ଦରୀ ( ତ୍ରିପୁରା ସୁନ୍ଦରୀ ) ଙ୍କ ପୁଜନରେ ବ୍ୟକ୍ତି ମାନଙ୍କର ଭୋଗ ଓ ମୋକ୍ଷ କରତଳରେ ହିଁ ସ୍ଥିତ।
ଅନେକ ତନ୍ତ୍ର ଶାସ୍ତ୍ରଜ୍ଞ ମତପ୍ରକାଶ କରନ୍ତି ବିମଳା ହେଉଛନ୍ତି ସାକ୍ଷାତ ତ୍ରିପୁରାସୁନ୍ଦରୀ | ଲଳିତା ସହସ୍ର ନାମ ସ୍ତୋତ୍ରମ୍ ରେ ଓଡ୍ୟାଣପୀଠ-ନିଲୟା ବିନ୍ଦୁ-ମଣ୍ଡଳ ବାସିନୀ ବୋଲି କୁହାଯାଇଛି |
ଓଡ୍ୟାଣପୀଠ ବା ଉଡ୍ଡୀୟାନ ପିଠାଧୀଶ୍ବରୀ ଏହି ଷୋଳ ପୂଜା ସମୟରେ ଭୋଗ ଓ ମୋକ୍ଷ ରୂପରେ ତାଙ୍କ ଦିବ୍ୟ ବିମ୍ବଳି ମାଧ୍ୟମରେ ପ୍ରଦାନ କରନ୍ତି |