ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା...

Sep 25, 2026 - 20:00
 5
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା...

ତ୍ୱରିତ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ

ଉପକୃତ ହେବେ ସେବାୟତ ଓ ଅଣସେବାୟତ

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବାୟତ ଓ ଅଣସେବାୟତଙ୍କୁ ଜମି ଅଧିକାର ପ୍ରଦାନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । 

ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ଏକ ଇ-ପୋର୍ଟାଲର ବିକାଶ କରାଯିବ । 

ଏଥିରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ନିଜ ନିଜର ତଥ୍ୟ ସହଜ ଓ ସରଳ ଉପାୟରେ ପ୍ରଦାନ କରିପାରିବେ । 

ଏହା ଦ୍ୱାରା ଜମି ଦଖଲରେ ଥିବା ସମସ୍ତଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ୍‌ ପ୍ରସ୍ତୁତ ହେବା ସହ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥା ଅଧିକ ସହଜ ଓ ଶୃଙ୍ଖଳିତ ହୋଇପାରିବ । 

ଏହି ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଇ-ପୋର୍ଟାଲକୁ ଅଧିକ ଉପଯୋଗୀ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଥିଲେ । 

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବପ୍ରସାଦ ମହାପାତ୍ର ଅଂଶଗ୍ରହଣ କରିଥିଲେ । 

ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଆଭାସି ମାଧ୍ୟମରେ ଯୋଗ ଦେଇଥିବାବେଳେ ଓକାକ୍‌ ଓଏନ୍‌ଆଇସିର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।