ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ଜୟନ୍ତୀ ପାଳନ...
ଦୀନଦୟାଲଜୀଙ୍କ ତ୍ୟାଗ, ନିଷ୍ଠା ଓ ସେବା ମନୋଭାବରୁ ପ୍ରେରଣା ନେଇ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜ ଯୋଗଦାନ ଦେବା : ଶ୍ରୀ ମନମୋହନ ସାମଲ
ପଣ୍ଡିତ ଦିନଦୟାଲଜୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀକୁ ଉଦଘାଟନ କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବବର୍ଗଙ୍କୁ ନେଇ ‘ସୁଶାସନରୁ ଅନ୍ତ୍ୟୋଦୟ’ ଶୀର୍ଷକ ରାଜ୍ୟସ୍ତରୀୟ ବିମର୍ଷ କର୍ମଶାଳା ଅନୁଷ୍ଠିତ
ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରୀୟ ମୁଖପାତ୍ର ତଥା କମଲ ସନ୍ଦେଶ ପତ୍ରିକାର ସଂପାଦକ ଡ.ଶିବ ଶକ୍ତିନାଥ ବକ୍ସି
ବୁଥରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲାସ୍ତରରେ ପାଳନ କରାଗଲା ଦୀନଦୟାଲଜୀଙ୍କ ଜନ୍ମଜୟନ୍ତୀ
“କ୍ଷମତା କେବଳ ଏକ ମାତ୍ର ଲକ୍ଷ୍ୟ ନୁହେଁ, ଜନସେବା ହେଉଛି ମୂଳ ଲକ୍ଷ୍ୟ । ଗରୀବ, ଶୋଷିତ, ବଂଚିତ ଓ ନିଷ୍ପେସିତ ଶ୍ରେଣୀର ସେବା କରିବା ହିଁ ହେଉଛି ପ୍ରକୃତ ରାଷ୍ଟ୍ର ସେବା ।
କୈାଣସି ଦେଶର ପ୍ରକୃତ ବିକାଶ ସେତେବେଳେ ସମ୍ଭବ, ଯେତେବେଳେ ସେହି ବିକାଶର ସୁଫଳ ସମାଜର ଶେଷ ସୀମାରେ ଛିଡା ହୋଇଥିବା ବ୍ୟକ୍ତି ନିକଟରେ ପହଂଚିପାରିବ ।”
ମହାନ ରାଷ୍ଟ୍ରବାଦୀ, ଜନନାୟକ, ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ, ଆମ ଦଳର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପଧ୍ୟାୟ ଏହି ଚିନ୍ତାଧାରାକୁ ଅନ୍ତ୍ୟୋଦୟ ନାମ ଦେଇଥିଲେ ।
ଅନ୍ତ୍ୟୋଦୟର ସ୍ୱପ୍ନଦ୍ରଷ୍ଟା ସେହି ମହାନ ମନିଷୀଙ୍କ ୧୧୧ ତମ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି ।
୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖ ଦିନ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଦୀନଦୟାଲଜୀ ନିଜର ସରଳ ଜୀବନ ଓ ଉଚ୍ଚ ଆଦର୍ଶ ମାଧ୍ୟମରେ ସମଗ୍ର ଭାରତୀୟ ଚିନ୍ତାଧାରାକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ ।
ସେହିପରି ପାଶ୍ଚାତ୍ୟ ପୁଞ୍ଜିବାଦ ଓ ସାମ୍ୟବାଦର ଏକ ଭାରତୀୟ ବିକଳ୍ପ ଭାବେ ଭାରତର ପ୍ରାଚୀନ ସଂସ୍କୃତି, ପରଂପରା, ପ୍ରକୃତି ଓ ମାନବିକ ମୂଲ୍ୟବୋଧକୁ ଆଧାର କରି ସମାଜକୁ ‘ଏକାତ୍ମ ମାନବ ଦର୍ଶନ’ ଦେଇଥିଲେ ପଣ୍ଡିତ ଦୀନଦୟାଲ ।
ଭାରତରେ ପଣ୍ଡିତଜୀଙ୍କ ବିଚାରଧାରା ଅତ୍ୟନ୍ତ ପ୍ରାସଙ୍ଗିକ । ବିଜେପି ଏହି ମହାନ ଚିନ୍ତାଧାରାକୁ ଆପଣାଇ ନିଜକୁ ଏକ ବୈଚାରିକ ଦଳ ଭାବେ ସ୍ଥାପିତ କରିଛି ।
ଅନ୍ତ୍ୟୋଦୟ ଏବଂ ଏକାତ୍ମ ମାନବ ଦର୍ଶନକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର ନିଜର ମୂଳ ମନ୍ତ୍ର ଭାବେ ଆପଣାଇ ‘ସବକା ସାଥ - ସବକା ବିକାଶ - ସବକା ବିଶ୍ୱାସ ଓ ସବକା ପ୍ରୟାସ’ ଆଧାରରେ ‘ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା’, ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା’, ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା’, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ମାଗଣା ରାସନ ପ୍ରଦାନ ପରି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇ ତାଙ୍କର ଅନ୍ତ୍ୟୋଦୟ ସ୍ୱପ୍ନକୁ ସାକାର କରୁଛନ୍ତି ।
ପଣ୍ଡିତଜୀଙ୍କ ସ୍ୱଦେଶୀ ସିଦ୍ଧାନ୍ତ ଆତ୍ମନିର୍ଭର ଭାରତର ଆଧାର ସାଜିଛି । ପଣ୍ଡିତ ଦୀନଦୟାଲଜୀ ସାଂସ୍କୃତିକ ରାଷ୍ଟ୍ରବାଦ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ ।
ଆମେ ସମସ୍ତେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ, ନିଷ୍ଠା ଓ ସେବା ମନୋଭାବରୁ ପ୍ରେରଣା ନେଇ ସମାଜର ଦୁର୍ବଳ ଓ ଶୋଷିତ ବର୍ଗଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜ ନିଜର ଯୋଗଦାନ ଦେବା । ସଶକ୍ତ ଓ ସ୍ୱାବଲମ୍ବୀ ଓଡିଶା ଗଠନ କରିବା ଆମର ପ୍ରାଥମିକତା ।
ଓଡିଶାରେ ମଧ୍ୟ ବିଜେପି ସରକାର ସମାନ ଆଦର୍ଶ ଓ ବିଚାରକୁ ନେଇ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
ଯାହା ମାଧ୍ୟମରେ୨୦୩୬ ସୁଦ୍ଧା ଓଡିଶା ବିକଶିତ ହେବ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଓଡିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ପଣ୍ଡିତ ଦିନଦୟାଲଜୀଙ୍କ ୧୧୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି ।
ଏହି ଅବସରରେ ଦୀନଦୟାଲଜୀଙ୍କ ଏକ ପ୍ରତିମୂର୍ତ୍ତିକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ତଥା କମଲ ସନ୍ଦେଶ ପତ୍ରିକାର ସଂପାଦକ ଡ.ଶିବ ଶକ୍ତିନାଥ ବକ୍ସି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ପ୍ରମୁଖ ଅନାବରଣ କରି ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବବର୍ଗଙ୍କୁ ନେଇ ‘ସୁଶାସନରୁ ଅନ୍ତ୍ୟୋଦୟ’ ଶୀର୍ଷକ ରାଜ୍ୟସ୍ତରୀୟ ବିମର୍ଷ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଏହି କର୍ମଶାଳାରେ ପଣ୍ଡିତ ଦୀନଦୟାଲଜୀଙ୍କ ବିଚାର ଅନୁରୁପ ସୁଶାସନ ଓ ଗରୀବକଲ୍ୟାଣ ଯୋଜନା ମାଧ୍ୟମରେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ କରାଯାଇ ଅନ୍ତ୍ୟୋଦୟକୁ କିପରି ସାକାର କରାଯାଇପାରିଛି, ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ସତ୍ରରେ ବକ୍ତାମାନେ ଚର୍ଚ୍ଚା ଆଲୋଚନା କରିଥିଲେ ।
ପଣ୍ଡିତ ଦୀନଦୟାଲଜୀଙ୍କ ବିଚାର ଓ ଜୀବନୀ ସଂପର୍କରେ ପୁସ୍ତକ ଲେଖିଥିବା ବରିଷ୍ଠ ସ୍ତମ୍ଭକାର ଶ୍ରୀ ସୈାମେନ୍ଦ୍ର ଜେନା, ଯୁବ ଲେଖକ ଶ୍ରୀ ରିତେଶ ପୃଷେଠ, ଯୁବ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀ ସମନ୍ୱୟ ନନ୍ଦଙ୍କୁ ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମ୍ବର୍ଦ୍ଧିତ କରିଥିଲେ ।
ଏହି କର୍ମଶାଳାକୁ ପ୍ରଶିକ୍ଷଣ ଟୋଲି ଦାୟୀତ୍ୱରେ ଥିବା ରାଜ୍ୟ ଆଇଟି ସେଲ ସଂଯୋଜକ ଶ୍ରୀ ଗୋପିନାଥ ସାହୁ, ରାଜ୍ୟ ସଂପାଦିକା ଡ.ପ୍ରିତୀପ୍ରତିଭା ଭୋଳ, ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ, ଯୁବମୋର୍ଚ୍ଚାର ଅଙ୍କିତା ଗଙ୍ଗଦେବ ପ୍ରମୁଖ ପରିଚାଳନା କରିଥିଲେ ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ନୂତନ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀ’କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଉଦଘାଟନ କରିଥିଲେ ।
ପାର୍ଟୀ ତରଫରୁ ରାଜ୍ୟର ପ୍ରତ୍ୟେକ ବୁଥରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କାର୍ଯ୍ୟକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାଙ୍କ ଜୀବନୀ ଓ ବିଚାର ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ ।