ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ |
ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜବାହଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବ ରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ|
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରମପୂଜ୍ୟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ କେବଳ ଜଣେ ମହାନ ସନ୍ଥ, ଶିକ୍ଷକ କିମ୍ବା ଧର୍ମପ୍ରଚାରକ ନଥିଲେ, ତାଙ୍କର ଜୀବନ ଦର୍ଶନ, ଗୀତା ଓ ଭାଗବତର ଶାଶ୍ୱତ ସନ୍ଦେଶ, ଏବଂ "ଜୀବନକୁ ଭଗବାନଙ୍କ ସେବାରେ ନିୟୋଜିତ କରିବା"—ଏହି ମୂଲ୍ୟବୋଧ ସଦା ଆମ ପାଇଁ ପ୍ରେରଣା ଯୋଗାଉଛି |
ଗତ ୧୦୦ ବର୍ଷରେ ଏହି ମଠ କେବଳ ଧର୍ମଚେତନା ଜାଗୃତ କରିନାହିଁ, ବରଂ ଶିକ୍ଷା, ଦାନ, ସାଧୁସଙ୍ଗ, ସମାଜସେବା ଓ ଯୁବପିଢ଼ିକୁ ନୈତିକ ଦିଶା ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀଲ ପ୍ରଭୁପାଦଙ୍କର ଅବଦାନ ଆଜି ମଧ୍ୟ ପ୍ରାସଙ୍ଗିକ, ଯାହାକୁ ଅନୁଶୀଳନ କଲେ, ଆଜିର ସମାଜ ବିଶ୍ଵଭାତୃତ୍ଵ ଭାବରେ ପ୍ରତିଷ୍ଠିତ ହୋଇ ଏକ ବାସ୍ତବ ସୁଖ, ସମୃଦ୍ଧ ଓ ଶାନ୍ତି ଲାଭ କରି ପାରିବ। ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଆମ ପାଇଁ ଏକ ସଂକଳ୍ପ ଯେ, ଆମେ ତାଙ୍କର ଦେଇଯାଇଥିବା ଆଦର୍ଶ, ସେବାଭାବ ଓ ଭକ୍ତିର ପଥରେ ଅଟଳ ରହିବୁ।
ଗୌଡୀୟ ମିଶନର ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେଯେ, ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଜ୍ଞାନ ଆହୋରଣର ଏକ ଗ୍ରନ୍ଥ, ଯାହାକୁ ଜୀବନ ଭରି ଅଧ୍ୟୟନ କଲେ ମଧ୍ଯ ସରିବନି।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀଯୁକ୍ତ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।