ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଓ ତୁରନ୍ତ କାର୍ଯ୍ୟକାରୀ ଦାବି...

Nov 26, 2026 - 16:36
 8
ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଓ ତୁରନ୍ତ କାର୍ଯ୍ୟକାରୀ ଦାବି...

ମନ୍ଦିରର ପରମ୍ପରା, ସମ୍ପତ୍ତି ଓ ସେବାପୂଜାର ସୁରକ୍ଷା ପାଇଁ ଏକଜୁଟ ହେଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ

ଭୁବନେଶ୍ୱର ( ବରିଷ୍ଠ ସାମ୍ୱାଦିକ ଇଂଜିତେନକୁମାରରାଉତରାୟଙ୍କଠାରୁ): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ତଥା ଓଡ଼ିଆ ଜାତିର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ପ୍ରତୀକ ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ସୁରକ୍ଷା, ସୁପରିଚାଳନା ଓ ପ୍ରାଚୀନ ପରମ୍ପରାର ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ସହ ୨୦୨୦ ମସିହାରେ ପ୍ରସ୍ତୁତ ହୋଇଥିବା ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବି ଜୋରଦାର ହୋଇଛି। 

ଏହି ମର୍ମରେ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଏହି ସମ୍ମିଳନୀରେ ଭୁବନେଶ୍ୱରର ବହୁ ବୁଦ୍ଧିଜୀବୀ, ସମାଜସେବୀ, ମନ୍ଦିର ସେବାୟତ ନିଯୋଗର ପ୍ରତିନିଧି, ଧାର୍ମିକ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।

ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ ରାଉତରାୟ, କ୍ଷେତ୍ରବାସୀ ନିଯୋଗର ସଭାପତି, ମଠ ମନ୍ଦିର ସୁରକ୍ଷା ପରିଷଦର ଉପସଭାପତି ତଥା 'ସତ୍ୟମ୍ ଶିବମ୍ ସୁନ୍ଦରମ୍' ପତ୍ରିକାର ଉପଦେଷ୍ଟା ଶ୍ରୀ ସରୋଜ ମିଶ୍ର, ସତ୍ୟମ୍ ଶିବମ ସୁନ୍ଦରମ୍,ଆଧ୍ୟାତ୍ମିକ ଓ ସାଂସ୍କୃତିକ ପତ୍ରିକାର ମୁଖ୍ୟ ସମ୍ପାଦକ, ଓଁକାର ନାଥ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଇଞ୍ଜିନିୟର ଜିତେନ କୁମାର ରାଉତରାୟ, ହିନ୍ଦୁ ସୁରକ୍ଷା ବାହିନୀର ସଭାପତି ଶ୍ରୀ ଶରତ ନାୟକ, ଶ୍ରୀରାମ ସଂସ୍କୃତି ସୁରକ୍ଷା ସଭାପତି ଶ୍ରୀ ହିମାଂଶୁ ହୋତା, କଳିଙ୍ଗ ବାହିନୀର ସଭାପତି ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ମହାସୁଆର, ବ୍ରାହ୍ମଣ ନିଯୋଗର ସଭାପତି ଶ୍ରୀ ନାରାୟଣ ମହାପାତ୍ର, ବରିଷ୍ଠ କର୍ପୋରେଟର ଶ୍ରୀ ଶିବ ପ୍ରସାଦ ବେହେରା, ହିନ୍ଦୁ ସୁରକ୍ଷା ବାହିନୀର ବରିଷ୍ଠ ସଂଗଠକ ଶ୍ରୀ ମନୋରଞ୍ଜନ ମହାରଣା, ଶ୍ରୀ ସୁଦର୍ଶନ ମହାରଣା, ଆଡଭୋକେଟ୍ ଡଃ ପ୍ରଭାତ କୁମାର ବାରିକ ଓ ସମାଜସେବୀ ଶ୍ରୀ ମନୋଜ ବେହେରାଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।

ଏଥିସହିତ ଭୁବନେଶ୍ୱର ମଠମନ୍ଦିର ସୁରକ୍ଷା କମିଟି, ଭୁବନେଶ୍ୱର ହିନ୍ଦୁ ସଂସ୍କୃତି ବଞ୍ଚାଅ ସଂଗଠନ, ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଯୋଗଦେଇଥିଲେ। 

ଏକାମ୍ର ବିକାଶ ମଞ୍ଚର ଆବାହକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ରଶ୍ମି ମହାପାତ୍ର ମଧ୍ୟ ଉପସ୍ଥିତ ରହି ମନ୍ଦିରର ସୁରକ୍ଷା ଓ ସୁପରିଚାଳନା ସମ୍ପର୍କରେ ନିଜର ମତ ରଖିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେଉ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କର ମୁଖ୍ୟ ଦାବି ଥିଲା ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ଯେପରି ସ୍ୱତନ୍ତ୍ର ଆଇନ ଓ ପରିଚାଳନା ବ୍ୟବସ୍ଥା ରହିଛି, ସେହିପରି ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବା ଅତ୍ୟନ୍ତ ଜରୁରୀ। 

ଏହାଦ୍ୱାରା ମନ୍ଦିରର ପ୍ରାଚୀନ ରୀତିନୀତି, ପରମ୍ପରା, ପୂଜାପଦ୍ଧତି, ସେବାୟତଙ୍କ ସେବା ବ୍ୟବସ୍ଥା, ମନ୍ଦିରର ଆୟବ୍ୟୟ, ରାଜସ୍ୱ ଆଦାୟ ଓ ଐତିହାସିକ ସମ୍ପତ୍ତିର ସୁରକ୍ଷାକୁ ଏକ ସୁବ୍ୟବସ୍ଥିତ ଆଇନଗତ ପରିସର ମଧ୍ୟରେ ରଖାଯାଇପାରିବ।

ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ଶ୍ରୀଲିଙ୍ଗରାଜ ମନ୍ଦିର କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ; ଏହା ଓଡ଼ିଶାର ପ୍ରାଚୀନ ଇତିହାସ, ସ୍ଥାପତ୍ୟକଳା, ଧାର୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅମୂଲ୍ୟ ପ୍ରତୀକ। ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏକ ସ୍ପଷ୍ଟ ଆଇନଗତ ବ୍ୟବସ୍ଥା ରହିବା ଆବଶ୍ୟକ। 

କୌଣସି ପ୍ରକାର ପ୍ରଶାସନିକ ଅବ୍ୟବସ୍ଥା, ସମନ୍ୱୟର ଅଭାବ କିମ୍ବା ଅସ୍ପଷ୍ଟତା ଯେପରି ମନ୍ଦିରର ପରମ୍ପରା ଓ ସମ୍ପତ୍ତିର ସୁରକ୍ଷାକୁ ପ୍ରଭାବିତ ନ କରେ, ସେଥିପ୍ରତି ସରକାର ଯଥେଷ୍ଟ ଯତ୍ନବାନ ହେବା ଦରକାର।

୨୦୨୦ରେ ପ୍ରସ୍ତୁତ ସ୍ୱତନ୍ତ୍ର ଆଇନ ତୁରନ୍ତ କାର୍ଯ୍ୟକାରୀ ହେଉ

ସମ୍ମିଳନୀରେ ଆଉ ଏକ ପ୍ରମୁଖ ଦାବି ଉଠିଥିଲା ଯେ, ୨୦୨୦ ମସିହାରେ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ୱତନ୍ତ୍ର ପରିଚାଳନା ନିମନ୍ତେ ଯେଉଁ ଆଇନ ପ୍ରସ୍ତୁତ କରାଯାଇଥିଲା, ତାହାକୁ ଆଉ ବିଳମ୍ବ ନ କରି ବାସ୍ତବ ରୂପ ଦିଆଯାଉ। 

ସେହି ଆଇନକୁ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରି ତୁରନ୍ତ କାର୍ଯ୍ୟକାରୀ କରାଗଲେ ମନ୍ଦିରର ପରିଚାଳନାରେ ଅଧିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସ୍ଥିରତା ଆସିପାରିବ ବୋଲି ମତ ପ୍ରକାଶ ପାଇଥିଲା।

ଏଥିପାଇଁ ମନ୍ଦିର ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶାସନିକ କାର୍ଯ୍ୟାଳୟ ଗଠନ, ଦକ୍ଷ ଓ ଉତ୍ତରଦାୟୀ ପରିଚାଳନା କମିଟି ନିଯୁକ୍ତି, ଆୟବ୍ୟୟର ସ୍ୱଚ୍ଛ ହିସାବ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସଠିକ୍ ତାଲିକା ପ୍ରସ୍ତୁତି ଓ ସୁରକ୍ଷା, ଦୈନନ୍ଦିନ ନୀତିକାନ୍ତିର ସୁଚାରୁ ସମ୍ପାଦନ ଏବଂ ସେବାୟତ ନିଯୋଗମାନଙ୍କ ସହ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଦାବି ସମ୍ପର୍କରେ ପୂର୍ବରୁ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ସହ ସାଂସଦଙ୍କ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉତ୍ଥାପନ କରାଯାଇଥିବା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। 

ଏହି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ ପ୍ରସଙ୍ଗକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରି ଶୀଘ୍ର ନିଷ୍ପତ୍ତି ନେବାକୁ ସମସ୍ତେ ନିବେଦନ କରିଥିଲେ।

ବିନ୍ଦୁସାଗରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ

ଏହି ସମ୍ମିଳନୀରେ କେବଳ ମନ୍ଦିରର ସ୍ୱତନ୍ତ୍ର ଆଇନ ଓ ପରିଚାଳନା ନୁହେଁ, ଏକାମ୍ର କ୍ଷେତ୍ରର ଅନ୍ୟତମ ପବିତ୍ର ଐତିହ୍ୟସମ୍ପନ୍ନ ଜଳାଶୟ ବିନ୍ଦୁସାଗରର ସ୍ୱଚ୍ଛତା ଓ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ଉଠିଥିଲା।

ବିନ୍ଦୁସାଗର କେବଳ ଏକ ଜଳାଶୟ ନୁହେଁ, ଏହା ଏକାମ୍ର କ୍ଷେତ୍ରର ଧାର୍ମିକ ଆସ୍ଥା, ପୌରାଣିକ ପରମ୍ପରା ଓ ଐତିହାସିକ ପରିଚୟ ସହ ଗଭୀର ଭାବେ ଜଡ଼ିତ। ଏହାର ପବିତ୍ରତା ଓ ପରିବେଶକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକ ଓ ପ୍ରଶାସନର ଦାୟିତ୍ୱ। 

ତେଣୁ ବିନ୍ଦୁସାଗରରେ ନିୟମିତ ବ୍ୟବଧାନରେ ଦଳ ସଫା କରିବା, ଜଳାଶୟର ଜଳକୁ ପରିଷ୍କାର ରଖିବା, ଆବର୍ଜନା ପକାଇବା ଉପରେ ନିୟନ୍ତ୍ରଣ, ଚାରିପାଖରେ ପରିମଳ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଏହାର ନିୟମିତ ରକ୍ଷଣାବେକ୍ଷଣ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରାଯାଇଥିଲା।

ବିନ୍ଦୁସାଗରର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ଏକାମ୍ର କ୍ଷେତ୍ରର ଐତିହ୍ୟ ସଂରକ୍ଷଣର ଅବିଚ୍ଛେଦ୍ୟ ଅଙ୍ଗ। ଏଣୁ ଏହାର ପରିଷ୍କାର ପରିଚ୍ଛନ୍ନତାକୁ ଏକ ନିୟମିତ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଥିଲା।

ସରକାରଙ୍କ ନିକଟରେ ସାମୂହିକ ନିବେଦନ ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା। 

ତାଙ୍କ ମନ୍ଦିରର ଧାର୍ମିକ, ଐତିହାସିକ, ପୌରାଣିକ ଓ ସାଂସ୍କୃତିକ ମହତ୍ତ୍ୱ ଅତୁଳନୀୟ। 

ଏହି ମହାନ ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। 

ମନ୍ଦିରର ପ୍ରାଚୀନ ପରମ୍ପରା, ସେବାପୂଜା, ସେବାୟତଙ୍କ ଅଧିକାର ଓ ଦାୟିତ୍ୱ, ମନ୍ଦିର ସମ୍ପତ୍ତିର ସୁରକ୍ଷା ଏବଂ ପ୍ରଶାସନିକ ସ୍ୱଚ୍ଛତା ପାଇଁ ଏକ ସୁଦୃଢ଼ ସ୍ୱତନ୍ତ୍ର ଆଇନ ଅପରିହାର୍ଯ୍ୟ।

ଏଣୁ ଓଡ଼ିଶା ସରକାର ୨୦୨୦ ମସିହାରେ ପ୍ରସ୍ତୁତ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ସମାପ୍ତ କରି ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ଏବଂ ମନ୍ଦିରର ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ ବୋଲି ସମସ୍ତେ ଦୃଢ଼ ଦାବି ଜଣାଇଥିଲେ।

ଶେଷରେ ବକ୍ତାମାନେ ସ୍ପଷ୍ଟ କରିଥିଲେ ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରଶାସନ ବିରୋଧରେ ନୁହେଁ। 

ଏହା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଗୌରବମୟ ଐତିହ୍ୟ, ପ୍ରାଚୀନ ପରମ୍ପରା, ଧାର୍ମିକ ସ୍ୱାଭିମାନ ଓ ମନ୍ଦିରର ସମ୍ପତ୍ତିର ସୁରକ୍ଷା ପାଇଁ ଏକ ସାମୂହିକ, ଶାନ୍ତିପୂର୍ଣ୍ଣ ଓ ଜନହିତକର ପ୍ରୟାସ।

ଏକାମ୍ର କ୍ଷେତ୍ରର ଗୌରବ ଓ ଓଡ଼ିଶାର ଆଧ୍ୟାତ୍ମିକ ପରିଚୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର, ସେବାୟତ ସମାଜ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ସାଧାରଣ ଜନତା ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। 

ମହାପ୍ରଭୁଙ୍କ ମନ୍ଦିରର ସୁରକ୍ଷା ଓ ସୁପରିଚାଳନା ନିମନ୍ତେ ସରକାର ଯଥାଶୀଘ୍ର ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଧ୍ୟାତ୍ମିକ ଓ ସାଂସ୍କୃତିକ ପତ୍ରିକା 'ସତ୍ୟମ୍ ଶିବମ୍ ସୁନ୍ଦରମ୍' ପତ୍ରିକାର ମୁଖ୍ୟ ସମ୍ପାଦକ, ଓଁକାର ନାଥ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଇଞ୍ଜିନିୟର ଜିତେନ କୁମାର ରାଉତରାୟ ମତ ପ୍ରକାଶ କରିଥିଲେ। 

ପୂର୍ବ ସରକାର ଭାଙ୍ଗିଥିବା ଗୋପାଳତୀର୍ଥ ମଠ, ଶିବତିର୍ଥ ମଠ, ଶଙ୍କରାନନ୍ଦ ମଠ ପୁନଃନିର୍ମାଣ ପାଇଁ କ୍ଷେତ୍ରବାସୀ ନିଯୋଗର ସଭାପତି, ମଠ ମନ୍ଦିର ସୁରକ୍ଷା ପରିଷଦର ଉପସଭାପତି ତଥା 'ସତ୍ୟମ୍ ଶିବମ୍ ସୁନ୍ଦରମ୍' ପତ୍ରିକାର ଉପଦେଷ୍ଟା ଶ୍ରୀ ସରୋଜ ମିଶ୍ର ସରକାର ଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନା କରିଥିଲେ ।