ଡିସେମ୍ବରରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ...
ଟ୍ରିପଲ ଇଞ୍ଜିନ ସରକାର ଥାଇ କୋଟିଆ ବିବାଦ ସମାଧାନ ନ ହେବା ଦୁର୍ଭାଗ୍ୟଜନକ: ବିଜେଡି
କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଅସ୍ମିତାର ଧର୍ଜିଆ ଉଡୁଛି
କୋଟିଆକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ
ଟ୍ରିପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ ।
କୋଟିଆରେ ୨ ଡିସେମ୍ବର ୨୦୨୬ରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି ।
ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ; ଏହା ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ ।
କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇ ଥର ଚିଠି ଲେଖି ସତର୍କ କରିଥିଲେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
୧୯ ଅକ୍ଟୋବର ୨୦୨୬ର ପ୍ରଥମ ଚିଠିରେ କୋଟିଆର ବିବାଦିତ ଗ୍ରାମଗୁଡ଼ିକରେ ଆନ୍ଧ୍ର୍ର ନିର୍ବାଚନ ଘୋଷଣା କରିବା ଗଭୀର ଚିନ୍ତାର ବିଷୟ ବୋଲି କହିଥିଲେ ।
୪ ନଭେମ୍ୱର ୨୦୨୬ର ଦ୍ୱିତୀୟ ଚିଠିରେ ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ ଆଗକୁ ବଢ଼ାଇ ଚାଲୁଥିବାରୁ ଏହି ବିଷୟକୁ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହିତ ସର୍ବୋଚ୍ଚ ସ୍ତରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ ।
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ସୀମା ଅଖଣ୍ଡତା ରକ୍ଷା ପାଇଁ ସଂଘର୍ଷ କରିଥିଲା ବିଜେଡି ସରକାର । କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ?
ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିଁ ।
ଡ଼ ମହାନ୍ତି ଆହୁରି କିହଥିଲେ ଯେ, ୨୦୨୪ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାରରେ ଡବଲ ଇଞ୍ଜିନ ସରକାର କୋଟିଆ ସମସ୍ୟା ସମାଧାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଆନ୍ଧ୍ରରେ ଶାସନ କରୁଥିବା ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍ ପାର୍ଟି ବିଜେପି ନେତୃତ୍ୱାଧୀନ ଏନ୍ଡିଏର ଏକ ସହଯୋଗୀ ଦଳ ।
କେନ୍ଦ୍ରରେ ବିଜେପି ସରକାର ଗଠନରେ ତେଲୁଗୁ ଦେଶମ ପାର୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହି ରାଜନୈତିକ ନିର୍ଭରଶୀଳତା କାରଣରୁ ଡବଲ ଇଞ୍ଜିନ ସରକାର ଯେଉଁ ଅସହାୟତା ପ୍ରକାଶ କରୁଛି, ତାହା ସମଗ୍ର ଓଡ଼ିଆ ଜାତି ପ୍ରତି ଅପମାନ ।
ବିଜେପି ସରକାର ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ । ଡବଲ ଇଞ୍ଜିନ ସରକାର ତୁରନ୍ତ କୋଟିଆରେ ଆନ୍ଧ୍ରର ସମସ୍ତ ନିର୍ବାଚନୀ କାର୍ଯ୍ୟକଳାପ ବନ୍ଦ କରାନ୍ତୁ ।
ସୁପ୍ରିମକୋର୍ଟରେ ଦୃଢ଼ ଆଇନଗତ ପଦକ୍ଷେପ ନିଅନ୍ତୁ । କୋଟିଆ ସମସ୍ୟାକୁ ନେଇ କୌଣସି ସାଲିସ୍ କରନ୍ତୁ ନାହିଁ ସରକାର । ସୀମା ସୁରକ୍ଷା ଓ ଓଡ଼ିଆ ଅସ୍ମିତା ରକ୍ଷା କରିବା ସରକାରର ପ୍ରାଥମିକ ଦାୟିତ୍ୱ ।
ବିଜେପି ଯଦି ଏହା କରିବାରେ ବିଫଳ ହୁଏ, ତେବେ ଓଡ଼ିଶାବାସୀ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ।