ସାଂସୃତିକ କାର୍ଯ୍ୟକ୍ରମ ନୃତ୍ୟୟାନ-୨୦୨୫...

Nov 4, 2025 - 08:10
 7
ସାଂସୃତିକ କାର୍ଯ୍ୟକ୍ରମ ନୃତ୍ୟୟାନ-୨୦୨୫...

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟାୟନ ୨୦୨୫ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । 

ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ଓ ଛଉ ନୃତ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । 

ନୃତ୍ୟାୟନ ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା କଳାତ୍ମକ ଦିଗକୁ ଲୋକଲୋଚନକୁ ଆଣିବା । 

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଦଳଗତ ଓଡ଼ିଶୀ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟ ବିଭାଗରେ ଅଧ୍ୟୟନରତ ତଥା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଦୀୟମାନ ଛାତ୍ରଛାତ୍ରୀଗଣ । 

ସେମାନେ ପ୍ରଥମେ ପ୍ରସ୍ତୁତ କରିଥିଲେ ଜଗନ୍ନାଥ ଅଷ୍ଟକମ୍‌ ଯାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାର ଏକ ସୁନ୍ଦର ଆହ୍ୱାନ । 

ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ଭାବରଙ୍ଗ ଓ ଶ୍ରୀ ହରି ଗୁଣକୀର୍ତ୍ତନମ୍‌, ଯାହାର ନୃତ୍ୟ ନିର୍ଦ୍ଦେଶନା ଓ ପରିଚାଳନା କରିଥିଲେ ଗୁରୁ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ଶ୍ରୀ ପଙ୍କଜ କୁମାର ପ୍ରଧାନ । 

ନୃତ୍ୟ ଶିଳ୍ପୀମାନେ ଥିଲେ ଜାହ୍ନବୀ, ସମ୍ପର୍ଣ୍ଣା, ସଞ୍ଜନା, ସତ୍ୟ ପ୍ରକାଶ, ପ୍ରିୟଙ୍କା, କରିଷ୍ମା, ବୈଶାଖୀ, ସ୍ମୃତିମୟୀ, ପ୍ରଜ୍ଞାପରମିତା, ଅନନ୍ୟା, ସଙ୍ଗୀତା, ସତ୍ୟଭାମା, ଅଙ୍କିତା, ଶୁଭଶ୍ରୀ, ଲଲିତା ଓ ସୋନମ । 

ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଛଉ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନୃତ୍ୟ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଗଣ । 

ପ୍ରଥମେ କୃଷ୍ଣ ମହାନ୍ତ ପ୍ରସ୍ତୁତ କରିଥିଲେ ଜମ୍ବୁବାନ ପରେ ପରେ ସୁମିତ୍ରା ବିନ୍ଧାଣୀ ଓ ସୁଭଦ୍ରା ବିନ୍ଧାଣୀଙ୍କ ପ୍ରସ୍ତୁତିରେ ଥିଲା ରଙ୍ଗ ପଣ୍ଡା ଓ ଶେଷରେ ବିନୋଦିନୀ, ମିଲି, ଶୁଭସ୍ମିତା ଓ ଭାଗ୍ୟଶ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ନବ ରସିକା । 

ସମସ୍ତ ପ୍ରସ୍ତୁତିର ନୃତ୍ୟ ନିର୍ଦ୍ଦେଶନା ଓ ପରିଚାଳନା କରିଥିଲେ ଗୁରୁ ଡ଼ଃ ରମଣୀ ରଞ୍ଜନ ଜେନା । 

ସନ୍ଧ୍ୟାର ଅତିଥି ଭାବରେ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ତଥା ଡିନ୍‌ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର, ଚିନ୍ତା ଓ ଚେତନାର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ଦାସ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ବିଚିତ୍ରା ନନ୍ଦ ସ୍ଵାଇଁ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିଜୟ କୁମାର ଜେନା । କାର୍ଯ୍ୟକ୍ରମଟିର ଉପସ୍ଥାପକ ଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ ଓ ପରିଚାଳନାରେ ଯହଯୋଗ କରିଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିଜୟ କୁମାର ଜେନା, ତଥା ସମସ୍ତ ଅଧ୍ୟାପନା ମଣ୍ଡଳୀ, ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ବୃନ୍ଦ ।