ସାବଧାନ ! SIR କାର୍ଯ୍ୟକ୍ରମରେ ଅବମାନନା ଏମିତି ମହଙ୍ଗା ପଡ଼ି ପାରେ !!!
ବିଏଲଓ (BLO) କର୍ତ୍ତବ୍ୟରେ ଅବହେଳା ପାଇଁ ସହକାରୀ ଶିକ୍ଷକ ନିଲମ୍ବିତ...
ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷକ ଙ୍କୁ ନିଲମ୍ବନ କରାଯାଇଛି।
ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ-୧୩୭ କାଶିନଗର ବ୍ଲକ ପୋଲିଂ ଷ୍ଟେସନ୍ ସଂଖ୍ୟା ୧୧୦–ସିଦ୍ଧାମଡଙ୍ଗ ଅଧିନ ବୁଥ୍ ସ୍ତରୀୟ ଅଧିକାରୀ ଶ୍ରୀ ରାମାନୁଜ ଦାସ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ, ଶ୍ରୀ ରାମାନୁଜ ଦାସ ଙ୍କୁ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ ନଂ ୧୩୭ ର ବୁଥ୍ ନଂ ୧୧୦ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଭାବେ ନିଯୁକ୍ତ କରାଯାଇଥିଲା।
ସେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟରେ ନିୟୋଜିତ ଥିଲେ, ଯାହା ଭୋଟର ତାଲିକାର ସଠିକତା ଓ ସତ୍ୟନିଷ୍ଠା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ।
ତେବେ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ ଯାହା କର୍ତ୍ତବ୍ୟ ପାଳନ କରିବାରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟଚ୍ୟୁତି ଭାବେ ଗଣାଯାଇଛି।
ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ,ଆଇଏଏସ, ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଧାରା ୩୨(୧) ଆଧାରରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।
ନିଲମ୍ବନ ସମୟରେ ଶ୍ରୀ ଦାସ କୌଣସି ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ଏବଂ ନିୟମାନୁସାରେ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।