ସୁନାମି ପ୍ରସ୍ତୁତିରେ ଓଡ଼ିଶାର ଐତିହାସିକ ସଫଳତା...

Sep 28, 2026 - 19:59
 3
ସୁନାମି ପ୍ରସ୍ତୁତିରେ ଓଡ଼ିଶାର ଐତିହାସିକ ସଫଳତା...

୧୦୦ ଉପକୂଳବର୍ତ୍ତୀ ଗ୍ରାମ ‘ସୁନାମି ରେଡି’

ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। 

ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’ ଅଧୀନରେ ରାଜ୍ୟର ୧୦୦ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ରେଡି ଭାବେ ଘୋଷଣା କରାଯାଇଛି। 

 ୨୦୨୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମସ୍ତ ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମକୁ ‘ସୁନାମି ରେଡି’ କରିବା ନେଇ ଭିଜନ ରଖିଥିଲେ। 

ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ ଏହି ଦିଗରେ ଓଏସ୍‌ଡିଏମ୍‌ଏ ପକ୍ଷରୁ ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’କୁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଲାଗୁ କରାଯାଇଛି। 

୨୦୨୬ରେ ଆଉ ୭୫ଟି ଗ୍ରାମକୁ ସୁନାମି ରେଡି ଭାବେ ସ୍ୱୀକୃତି ମିଳିବା ସହ ଏହି ସଂଖ୍ୟା ୧୦୦ରେ ପହଞ୍ଚିଛି। ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୩୮୧ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମ ଓ ଜନବସତିକୁ ପର୍ଯ୍ୟାୟକ୍ରମେ ସୁନାମି ପ୍ରସ୍ତୁତ କରିବାର ବୃହତ୍ ଲକ୍ଷ୍ୟ ଦିଗରେ ଏହା ଏକ ଉଲ୍ଲେଖନୀୟ ଅଗ୍ରଗତି। 

ଏହି ସଫଳତା ବୈଜ୍ଞାନିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ପ୍ରତି ରାଜ୍ୟ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

୨୬ ଓ ୨୭ ସେପ୍ଟେମ୍ବରରେ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର କ୍ଷେତ୍ର ଯାଞ୍ଚ ପରେ ଜାତୀୟ ସୁନାମି ରେଡି ବୋର୍ଡ (NTRB)ର ସଦସ୍ୟମାନେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରି ନିଜର କ୍ଷେତ୍ର ଅବଲୋକନ ଓ ନିଷ୍କର୍ଷ ସମ୍ପର୍କରେ ଅବଗତ କରାଇଥିଲେ। 

ଏହି ଅବସରରେ ମାନ୍ୟବର ମନ୍ତ୍ରୀ **ବୋର୍ଡର ପ୍ରୟାସ ଓ ଉପକୂଳବର୍ତ୍ତୀ ସମୁଦାୟର ପ୍ରସ୍ତୁତିକୁ ପ୍ରଶଂସା କରିବା ସହ ନିଜର ମୂଲ୍ୟବାନ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ**। ତାଙ୍କର ପ୍ରେରଣାଦାୟୀ ମତାମତ ଓ ପ୍ରଶଂସା ସୁନାମି ବିପର୍ଯ୍ୟୟ ପ୍ରତି ଓଡ଼ିଶାର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଦିଗରେ ବୋର୍ଡ ସଦସ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲା। 

ଏହି ଆଲୋଚନା କ୍ଷେତ୍ରସ୍ତରୀୟ ଅଭିଜ୍ଞତା ବିନିମୟ ସହ ରାଜ୍ୟର ସମଗ୍ର ଉପକୂଳକୁ ସୁନାମି ପ୍ରସ୍ତୁତ କରିବା ଲକ୍ଷ୍ୟ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

ମାନ୍ୟବର ମନ୍ତ୍ରୀ କ୍ଷେତ୍ର ଯାଞ୍ଚ ସମୟରେ ଜାତୀୟ ସ୍ତରର ବିଶେଷଜ୍ଞ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ଅଧିକାରୀମାନେ ଓଡ଼ିଶାର ବିପର୍ଯ୍ୟୟ ପୂର୍ବପ୍ରସ୍ତୁତିର ସୁଦୃଢ଼ ବ୍ୟବସ୍ଥା ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ)ର ନିରନ୍ତର ସକ୍ରିୟ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। 

NTRB ସଦସ୍ୟମାନେ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣ, ସୁନାମି ସମ୍ପର୍କରେ ସେମାନଙ୍କର ସଚେତନତା ଓ ଜ୍ଞାନ ଏବଂ ସୁନାମି ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ସେମାନଙ୍କର ପ୍ରସ୍ତୁତିକୁ ବିଶେଷ ଭାବେ ପ୍ରଶଂସା କରିଥିଲେ। 

ବୈଜ୍ଞାନିକ ପୂର୍ବ ସତର୍କତା ବ୍ୟବସ୍ଥା ଓ ବିପର୍ଯ୍ୟୟ ପରିଚାଳନା ପ୍ରୋଟୋକଲକୁ ତୃଣମୂଳ ସ୍ତରରେ ପ୍ରଭାବୀ ସମୁଦାୟ ପ୍ରସ୍ତୁତିରେ ପରିଣତ କରିବାରେ ଓଏସ୍‌ଡିଏମ୍‌ଏର ବ୍ୟବସ୍ଥିତ ପଦକ୍ଷେପକୁ ମଧ୍ୟ ବୋର୍ଡ ପ୍ରଶଂସା କରିଥିଲା।

ଭୁବନେଶ୍ୱରର କନଭେନସନ୍ ସେଣ୍ଟରରେ ଆଜି, ୨୮ ସେପ୍ଟେମ୍ବର ୨୦୨୬ରେ ଜାତୀୟ ସୁନାମି ରେଡି ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। 

ଏଥିରେ ଆଇଏନ୍‌କଏସ୍‌ର ନିର୍ଦ୍ଦେଶକ ଡ. ବାଲକୃଷ୍ଣନ ନାୟାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବୋର୍ଡ ପକ୍ଷରୁ କରାଯାଇଥିବା କ୍ଷେତ୍ର ଯାଞ୍ଚର ସମୀକ୍ଷା କରାଯାଇଥିଲା।

NTRB ପକ୍ଷରୁ ବାଲେଶ୍ୱର ଜିଲ୍ଲାର ନିଧିପଡ଼ା ଓ ଗୁଡୁପାହି, ଭଦ୍ରକ ଜିଲ୍ଲାର ମୁଳଦିହି, ଭଟ୍ଟପଡ଼ା, ଅମରନଗର ଓ ନୂଆଗାଁ, କେନ୍ଦ୍ରାପଡ଼ା ଜିଲ୍ଲାର ଶୈଳେନ୍ଦ୍ରସାହି ଓ ଭଟେଣୀ, ପୁରୀ ଜିଲ୍ଲାର ମୋଟୋ ଓ ସିଂହରପାଳ ଏବଂ ଜଗତସିଂହପୁର ଜିଲ୍ଲାର ନ୍ୟୁ କୀର୍ତ୍ତିପୁର (୧୦୦୮), ଲକ୍ଷ୍ମୀପୁର, ନୋଲିଆସାହି ଓ ରାମତାରା ଗ୍ରାମ ପରିଦର୍ଶନ କରାଯାଇଥିଲା। 

କ୍ଷେତ୍ର ଯାଞ୍ଚ ସମୟରେ ବୋର୍ଡ ସଦସ୍ୟମାନେ ସ୍ଥାନୀୟ ସମୁଦାୟ ସହ ଆଲୋଚନା କରି ସେମାନଙ୍କର ସଚେତନତା, ପ୍ରସ୍ତୁତି ଓ ସୁନାମି ବିପର୍ଯ୍ୟୟ ସମୟରେ ପ୍ରତିକ୍ରିୟା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ବୈଠକରେ ଓଏସ୍‌ଡିଏମ୍‌ଏର ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ଶ୍ରୀମତୀ ସୁସ୍ମିତା ବେହେରା, ଓଏସ୍‌ଡିଏମ୍‌ଏର ଅଧିକାରୀ ଓ ଆଇଏନ୍‌କଏସ୍‌ର ବୈଜ୍ଞାନିକମାନେ ଯୋଗ ଦେଇଥିଲେ। 

ICG/IOTWMS-UNESCO-IOCର Working Group-3: Tsunami Ready Implementationର ଅଧ୍ୟକ୍ଷା ଶ୍ରୀମତୀ ସୁଚି ଦେବୀ ଅନୁଗ୍ରହ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

ଜାତୀୟ ସୁନାମି ରେଡି ବୋର୍ଡରେ ଆଇଏନ୍‌କଏସ୍‌ର ନିର୍ଦ୍ଦେଶକ ଡ. ବାଲକୃଷ୍ଣନ ନାୟାର, ଜିଏସ୍‌ଡିଏମ୍‌ଏର ଅତିରିକ୍ତ ସିଇଓ ଶ୍ରୀ ଧବଲ ପାଣ୍ଡ୍ୟା, ଏମ୍‌ଓଇଏସ୍‌ର ବୈଜ୍ଞାନିକ-ଜି ତଥା ପରାମର୍ଶଦାତା କମାଣ୍ଡର ପି.କେ. ଶ୍ରୀବାସ୍ତବ, ଆଇଏନ୍‌କଏସ୍‌ର ଗ୍ରୁପ୍ ଡାଇରେକ୍ଟର ଡ. ସୁଧୀର ଜୋସେଫ, ଜିଏସ୍‌ଡିଏମ୍‌ଏର ସିନିୟର ମ୍ୟାନେଜର ଶ୍ରୀ ଯଶବନ୍ତସିଂହ ପରମାର ଏବଂ ଆଣ୍ଡାମାନ ଓ ନିକୋବର ଏସ୍‌ଡିଏମ୍‌ଏର ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ଜାନିକ ରାମ ସଦସ୍ୟ ଅଛନ୍ତି।

ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’ ହେଉଛି ଏକ ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମ, ଯାହା ସରକାରୀ କର୍ତ୍ତୃପକ୍ଷ, ବୈଜ୍ଞାନିକ ସଂସ୍ଥା, ସମୁଦାୟ ନେତୃତ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ସମନ୍ୱିତ ପ୍ରୟାସ ମାଧ୍ୟମରେ ସୁନାମି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରେ। 

ସଚେତନତା, ପ୍ରସ୍ତୁତି ଓ ସମୟୋଚିତ ପ୍ରତିକ୍ରିୟା ମାଧ୍ୟମରେ ଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷା ସହ ପ୍ରତିରୋଧକ ସମୁଦାୟ ଗଠନ ଏହାର ମୁଖ୍ୟ ଲକ୍ଷ୍ୟ। ଭାରତ ସମେତ ଭାରତ ମହାସାଗର ଅଞ୍ଚଳର ୨୨ଟି ଦେଶରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି।

୨୦୧୯ରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର (ବକ୍ସିପଲ୍ଲୀ) ଏବଂ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ନୋଲିଆସାହି ‘ସୁନାମି ରେଡି’ ଗ୍ରାମ ଭାବେ ୟୁନେସ୍କୋ-ଆଇଓସିର ସ୍ୱୀକୃତି ଲାଭ କରିଥିଲେ। 

ଏହି ସଫଳତା ସହ ଭାରତ, ସମଗ୍ର ଭାରତ ମହାସାଗର ଅଞ୍ଚଳରେ ‘ସୁନାମି ରେଡି’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିବା ପ୍ରଥମ ଦେଶ ହୋଇଥିବାବେଳେ, ଓଡ଼ିଶା ସମୁଦାୟକୁ ସୁନାମି ପ୍ରସ୍ତୁତ କରିବାରେ ପ୍ରଥମ ରାଜ୍ୟ ଭାବେ ପରିଚିତ ହୋଇଥିଲା। 

୨୦୨୪ରେ ଓଡ଼ିଶାର ଆଉ ୨୪ଟି ଗ୍ରାମ ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍’ ହାସଲ କରିଥିଲେ।

୨୦୨୬ରେ ଆଉ ୭୫ଟି ଉପକୂଳବର୍ତ୍ତୀ ଗ୍ରାମକୁ ‘ସୁନାମି ରେଡି’ ଭାବେ ସ୍ୱୀକୃତି ମିଳିବା ସହ ଓଡ଼ିଶାରେ ‘ସୁନାମି ରେଡି’ ଗ୍ରାମ ସଂଖ୍ୟା ୧୦୦ରେ ପହଞ୍ଚିଛି। 

୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୩୮୧ଟି ସୁନାମି ପ୍ରବଣ ଗ୍ରାମ ଓ ବସତିକୁ ପର୍ଯ୍ୟାୟକ୍ରମେ ସୁନାମି ପ୍ରସ୍ତୁତ କରିବା ରାଜ୍ୟର ବୃହତ୍ ଲକ୍ଷ୍ୟ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।

୧୦୦ଟି ସୁନାମି ରେଡି ଗ୍ରାମର ଏହି ସଫଳତା ଓଡ଼ିଶାର ଜନକୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ମଡେଲର ପ୍ରତିଫଳନ, ଯେଉଁଠାରେ ବୈଜ୍ଞାନିକ ଜ୍ଞାନ, ଅନୁଷ୍ଠାନିକ ପ୍ରସ୍ତୁତି ଓ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏକତ୍ରିତ ହୋଇ ଉପକୂଳବର୍ତ୍ତୀ ସମୁଦାୟକୁ ଅଧିକ ପ୍ରତିରୋଧକ କରିବା ସହ ସୁନାମି ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର କ୍ଷମତାକୁ ସୁଦୃଢ଼ କରୁଛି।