ପ୍ରେସ୍ ବିବୃତି

May 21, 2026 - 13:21
 14
ପ୍ରେସ୍ ବିବୃତି

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨ କୁ ଉଚ୍ଛେଦ କରି ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ (OMFRA) ଅନୟମ ୨୦୨୬ ପ୍ରଣୟନ ପାଇଁ କ୍ୟାବିନେଟ ର ଅନୁମୋଦନ ପ୍ରସ୍ତାବ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨ କୁ ଉଚ୍ଛେଦ କରିବା ଏବଂ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ (ନିଷେଧ ଏବଂ ନିୟନ୍ତ୍ରଣ) ଅନିୟମ, ୨୦୨୬ ପ୍ରଣୟନ ସମ୍ପର୍କିତ କ୍ୟାବିନେଟ୍ ସ୍ମାରକପତ୍ର ପ୍ରସ୍ତାବକୁ ଅନୁମୋଦନ ପାଇଁ କ୍ୟାବିନେଟରେ ଆଗତ କରାଯାଇଥିଲା I ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ଦୃଢ଼, ଆଧୁନିକ ଏବଂ ସମାବେଶୀ ଆଇନଗତ ରୂପରେଖ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିୟନ୍ତ୍ରଣ ବିଧେୟକ, ୨୦୨୬ ର ସ୍ମାରକପତ୍ରକୁ ଅନୁମୋଦନ ପ୍ରଦାନ କରିଛନ୍ତି।

ପୂର୍ବ ଆଇନର ପରିସର ସୀମିତ ଥିଲା, ଏହା ସମାବେଶୀ ନଥିଲା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଉପକୂଳ ନିରାପତ୍ତା, ବୈଷୟିକ ପ୍ରଗତି ଏବଂ ବିଦେଶୀ ମାଛଧରା ଡଙ୍ଗାର ଅନଧୂକୃତ ପ୍ରବେଶ ରୋକିବା ଭଳି ନୂତନ ଆହ୍ବାନଗୁଡ଼ିକର ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ନଥିଲା। ନୂତନ ଆଇନ ଏହି ସୀମାବଦ୍ଧତାଗୁଡ଼ିକୁ ଦୂର କରି ଗଭୀର ସମୁଦ୍ରରେ ମାଛ ଧରିବାର ନିୟନ୍ତ୍ରଣ ଏବଂ ମେରିକଲ୍‌ଚର୍ କାର୍ଯ୍ୟକଳାପ, ଯେପରିକି ସାମୁଦ୍ରିକ କେଜ୍ କଲ୍‌ଚର୍ (marine cage culture), ସିୱିଡ୍ କଲ୍‌ଚର୍ (seaweed culture), ସାମୁଦ୍ରିକ ଜଳଭାଗର ପୁନରୁଦ୍ଧାର ପାଇଁ କୃତ୍ରିମ ପ୍ରବାଳ (artificial reef) ର ବ୍ୟବହାର ଏବଂ ସ୍ଥାୟୀ ବିକାଶ ପାଇଁ ଅନ୍ୟାନ୍ୟ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ଉଦ୍ୟମଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପରିସରକୁ ବିସ୍ତାର କରିଛି। ଏହା ସହିତ, ଏହା ଓଡ଼ିଶା ଉପକୂଳରେ ଥ‌ିବା ମାଛଧରା ବନ୍ଦର ଏବଂ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରଗୁଡ଼ିକର ଆଧୁନିକୀକରଣ ତଥା ପରିଚାଳନା ସମେତ ବ୍ୟାପକ ସ୍ମାର୍ଟ-ଗ୍ରୀନ୍ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ବାଟ ଫିଟାଇବ। ଫଳସ୍ୱରୂପ, ଏହି ବିଧେୟକ ଜୀବିକା ସହାୟତା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ସୁନିଶ୍ଚିତ କରିବ।

ନୂତନ ବିଧେୟକରେ ଆମର ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା ଏବଂ ତଟିୟ ଓ ଜାତୀୟ ନିରାପତ୍ତାକୁ ଉଚ୍ଚ ପ୍ରାଥମିକତା ଦିଆଯାଇଛି। ଆଇନରେ ଟ୍ରାନ୍ସପଣ୍ଡର, ଭେରି ହାଇ ଫ୍ରିକ୍ସେକ୍ସି (VHF) ରେଡିଓ ଏବଂ ଭେସେଲ୍ ଟ୍ରାକିଂ ଆଣ୍ଡ ମନିଟରିଂ ସିଷ୍ଟମ୍ (VTMS) ସମେତ ଆଧୁନିକ ନିରାପତ୍ତା ଉପକରଣ ଏବଂ ଯୋଗାଯୋଗ ଜ୍ଞାନକୌଶଳର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ବାଧ୍ୟତାମୂଳକ ବାୟୋମେଟ୍ରିକ୍/କ୍ୟୁଆର୍ କୋଡ୍ ଯୁକ୍ତ ଆଧାର ପରିଚୟପତ୍ର ଏବଂ ଉନ୍ନ‌ତ ବୀମା କଭରେଜ୍ ସହିତ ଏହି ବ୍ୟବସ୍ଥାଗୁଡ଼ିକ ମତ୍ସ୍ୟଜୀବୀମାନଙ୍କର ସୁରକ୍ଷା ଏବଂ ଉପକୂଳବର୍ତ୍ତୀ ନିରୀକ୍ଷଣକୁ ଯଥେଷ୍ଟ ମାତ୍ରାରେ ମଜବୁତ କରିବ।

ବେଆଇନ, ଅଣରିପୋର୍ଟ ଏବଂ ଅନିୟନ୍ତ୍ରିତ (IUU) ମାଛଧରା କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ଆଇନରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଲାଇସେନ୍ସ ମାଛଧରା ଉପକରଣର ନିୟନ୍ତ୍ରଣ ଏବଂ କ୍ଷତିକାରକ ମାଛଧରା ପ୍ରଣାଳୀ ଉପରେ ନିଷେଧାଦେଶ ସହିତ ମାଛଧରା ଡଙ୍ଗା, ମତ୍ସ୍ୟଜୀବୀ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପର କଠୋର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି। ଏହା ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ସହ ତଦାରଖ ଏବଂ ପ୍ରବର୍ତ୍ତନ ବ୍ୟବସ୍ଥାକୁ ସୁଦୃଢ଼ କରେ, ଯାହାକି ସ୍ଥାୟୀ ଭାବରେ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ଏବଂ ପରିଚାଳନାକୁ ସହଜ କରିବ

"ବିକଶିତ ଓଡ଼ିଶା ଭିଜନ୍‌ ୨୦୩୬-୨୦୪୭" ଏବଂ ରାଜ୍ୟର "ବ୍‌ଲୁ ଇକୋନୋମି" (Blue Economy) ପଦକ୍ଷେପ ସହିତ ରଣନୈତିକ ଭାବେ ସମନ୍ବିତ ହୋଈ ଗଭୀର ସମୁଦ୍ରରେ ମାଛ ଧରା ମିଶନ ସମେତ

ଏହି ଆଇନ ସାମୁଦ୍ରିକ ମତ୍ସ୍ୟଚାଷ ପରିଚାଳନାକୁ ସୁଦୃଢ଼ କରିବା ସହ ବିପୁଳ ଅର୍ଥନୈତିକ ଲାଭ ଆଣିବ ବୋଲି ଆଶା କରାଯାଉଛି। ସାମାଜିକ-ଅର୍ଥନୈତିକ ଉନ୍ନତି ଏବଂ ସ୍ଥାୟୀ ଅଭ୍ୟାସକୁ ପ୍ରାଥମିକତା ଦେଇ, ଏହି ବିଧେୟକ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ସହଜ ଓ ବୃଦ୍ଧି କରିବା ପାଇଁ ଏକ ଅନୁଘଟକ (catalyst) ଭାବରେ କାର୍ଯ୍ୟ କରିବ। ଏହା ୨୦୩୬ ସୁଦ୍ଧା ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରି *୨୫,୦୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ

"ଏହି ନୂତନ ଆଇନ ସାମୁଦ୍ରିକ ଉପକୂଳରେ ପରିବେଶ ସନ୍ତୁଳନ ସଂରକ୍ଷଣ କରିବା ସହ ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କର ଜୀବିକା ଏବଂ ନିରାପତ୍ତାକୁ ସୁରକ୍ଷା ପ୍ରଦାନ କରିବ। ଏଥ୍ ସହିତ ବ୍ୟାପକ ଅର୍ଥନୈତିକ ଲାଭ ସହିତ ସ୍ଥାୟୀ ମତ୍ସ୍ୟ ସମ୍ପଦର ବିକାଶ ସୁନିଶ୍ଚିତ କରିବ।"