ସୁସ୍ଥ ହୋଇ ଫେରିଲେ ନବୀନ .

ସୁସ୍ଥ ହୋଇ ଫେରିଲେ ନବୀନ .
ଭୁବନେଶ୍ବରରେ ପହଞ୍ଚିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ମୁମ୍ବାଇରୁ ଫେରିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ । ଜୁନ୍ ୨୦ରେ ଅସୁସ୍ଥ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା । ଠିକ୍ ସେହିଭଳି ସୁସ୍ଥ ହୋଇ ଆଜି ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଥିଲା ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ ।। ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ । ସେହିପରି ଦଳର ବରିଷ୍ଠ ଉପସଭାପତି ଥିବା ଦେବୀ ମିଶ୍ର ଦଳର ବିଭିନ୍ନ ଶାଖାର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବେ ବୋଲି ନୋଟିସ୍ କରିଥିଲେ ।ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ । ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି ।