"ହରି ଉତ୍ଥାପନ ବା ପ୍ରବୋଧିନୀ ଏକାଦଶୀ" ର ମାହାତ୍ମ୍ୟ...

Nov 3, 2025 - 10:49
 9
"ହରି ଉତ୍ଥାପନ ବା ପ୍ରବୋଧିନୀ ଏକାଦଶୀ" ର ମାହାତ୍ମ୍ୟ...

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଇଥାଏ ।  

ବର୍ଷକ ଯାକର ୨୪ଟି ଏକାଦଶୀ ମଧ୍ୟରେ ସବୁଠାରୁ ଶୁଭ ଓ ମଙ୍ଗଳକାରୀ ଏକାଦଶୀ ହେଉଛି କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏହି ଦେବୋତ୍ଥାନ ଏକାଦଶୀ।

ଏହି ଏକାଦଶୀକୁ ଦେବଉଠନୀ ଏକାଦଶୀ ମଧ୍ୟ କୁହାଯାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ଗତ ଚାରି ମାସ ଧରି କ୍ଷୀର ସାଗରରେ ଶୟନ କରିଥାନ୍ତି ଏବଂ ଦେବଉଠନୀ ଏକାଦଶୀ ଦିନ ନିଦ୍ରାରୁ ଜାଗ୍ରତ ହୁଅନ୍ତି। ସବୁ ଏକାଦଶୀ ମଧ୍ୟରୁ ଦେବଉଠନୀ ଏକାଦଶୀକୁ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ମଳିଛି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। 

ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। 

ଏହି ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତିକୁ ସ୍ବର୍ଗ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଦେବୋତ୍ଥାନ ଏକାଦଶୀରେ କିଛି ଉପାୟ କରିବା ଦ୍ବାରା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହେବା ସହ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ।

ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ। ସମସ୍ତ ଏକାଦଶୀ ମଧ୍ୟରେ ଦେବଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ଦିନ ଭଗବାନ ନାରାୟଣ ଜାଗ୍ରତ ହେବା ପରେ ଚତୁର୍ମାସ ବି ଶେଷ ହୋଇଯାଏ । ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ । ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଳଗ୍ରାମଙ୍କ ସହ କରାଯାଇଥାଏ । 

ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ । ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ ।

ଅନେକ ସ୍ଥାନରେ ଦ୍ବାଦଶୀ ଦିନ ମଧ୍ୟ ତୁଳସୀ ବିବାହ କରାଯାଇଥାଏ । 

ତୁଳସୀ ଗଛର ଚାରିପଟେ ମଣ୍ଡପ ବନାନ୍ତୁ ।ତୁଳସୀ ଗଛ ଉପରେ ଲାଲ ଓଢ଼ଣୀ ଚଢ଼ାନ୍ତୁ ।ତଳସୀ ଗଛରେ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ । 

ଶ୍ରୀ ଗଣେଶଙ୍କ ପୂଜା ଏବଂ ଶାଳଗ୍ରାମଙ୍କର ବିଧିବଦ୍ଧ ପୂଜା କରନ୍ତୁ । ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତିର ସିଂହାସନ ହାତରେ ନେଇ ତୁଳସୀଙ୍କ ୭ପରିକ୍ରମା କରନ୍ତୁ । ଆରତୀ ପରେ ବିବାହ ମଙ୍ଗଳଗୀତ ସହ ବିବାହୋତ୍ସବ ପୂର୍ଣ୍ଣ କରାଯାଇଥାଏ ।

ମହିଳାମାନେ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ବ୍ରତ ରଖି ପୂଜା କରନ୍ତି। ଏହି ଦିନ ବ୍ରତ ରଖିବା ଦ୍ୱାରା ଅଶ୍ୱମେଧ ଏବଂ ଶହେଟି ରାଜସୂୟ ଯଜ୍ଞର ଫଳ ମିଳିଥାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଭାଗ୍ୟ ଜାଗ୍ରତ ହୋଇଥାଏ।

ଏହିଦିନ ଭଗବାନ ବିଷ୍ଣୁ କିମ୍ବା ନିଜ ଇଷ୍ଟଦେବୀଙ୍କ ଉପାସନା କରିବା ଉଚିତ। 

ଏହିଦିନ " ନମୋଃ ଭଗବତେ ବାସୁଦେବାୟ ନମଃ " ମନ୍ତ୍ର ଜପ କରିବା ଫଳରେ ଲାଭ ମିଳିଥାଏ।