ଅଙ୍ଗଦାନ ମହାନ ଦାନ: ଅଙ୍ଗଦାନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ...

Aug 13, 2026 - 20:44
 5
ଅଙ୍ଗଦାନ ମହାନ ଦାନ: ଅଙ୍ଗଦାନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ...

“ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ ଅଙ୍ଗଦାନର ଦେଶବ୍ୟାପୀ ସଚେତନତା ଏକ ନୂଆ ଚେତନା ଓ ଜନ ଆନ୍ଦୋଳନର ସୃଷ୍ଟି କରିଛି” ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ

୨୪ ଜଣଙ୍କୁ “ସୁରଜ ସମ୍ମାନ”, ୫ ଲକ୍ଷ ସମ୍ମାନ ରାଶି, ସମ୍ମାନପତ୍ର ପ୍ରଦାନ

ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। 

ଏହି ଅବସରରେ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଅଙ୍ଗଦାନ କରି ଅନ୍ୟମାନଙ୍କୁ ନୂଆ ଜୀବନ ଦେଇଥିବା ଅଙ୍ଗଦାତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି ।

୧୧ଟି ଜିଲ୍ଲାର ଅଙ୍ଗ ଦାନ କରିଥିବା ମୋଟ ୨୪ ଜଣ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନ ରାଶି, ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ବିଗତ ବର୍ଷ ଅପେକ୍ଷା ଏହି ବର୍ଷ ସର୍ବାଧିକ ସୁରଜ ସମ୍ମାନ ପ୍ରଦାନ କରାଯାଇଛି । 

ଏହି ଅବସରରେ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଥିଲେ ଯେ, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ହୋଇଛି । 

ଫଳସ୍ୱରୂପ ଅଙ୍ଗଦାନ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଏକ ନୂଆ ଚେତନା ଓ ଜନଆନ୍ଦୋଳନର ପରିବେଶ ସୃଷ୍ଟି ହୋଇପାରିଛି । ତାଙ୍କର ପ୍ରୟାସରେ ଅଙ୍ଗଦାନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । 

ଅଙ୍ଗଦାନ କେବଳ ଏକ ନିଷ୍ପତ୍ତି ନୁହେଁ, ଏହା ଅନ୍ୟ ଜଣଙ୍କ ଆଖିରେ ନୂଆ ସ୍ୱପ୍ନ ଓ ଜୀବନ ଦେବାର ଏକ ସ୍ୱର୍ଣ୍ଣିମ ସୁଯୋଗ । 

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ‘ଦାନ’କୁ ମହାନ ମାନବୀୟ ମୂଲ୍ୟ ଭାବେ ଗ୍ରହଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏହିବର୍ଷ ସର୍ବାଧିକ ଜଣଙ୍କୁ ସୁରଜ ସମ୍ମାନ ପ୍ରଦାନ କରାଯାଇଛି । । 

ଏହି ଅବସରରେ ସୁରଜ ଯାହାଙ୍କ ନାମରେ ଏହି ସମ୍ମାନ ଦିଆଯାଉଛି ତାଙ୍କ ଅବଦାନକୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇ କହିଛନ୍ତି ଯେ,”ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଦ୍ୱାରା ବୃକକ୍, ଯକୃତ, ଫୁସଫୁସ, ହୃତପିଣ୍ଡ, ଅଗ୍ନ୍ୟାଶୟ ଓ ଅନ୍ତନଳୀ ଭଳି ବିଭିନ୍ନ ଅଙ୍ଗ ଦାନ କରାଯାଇ ଏକାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରେ। 

ସଚେତନତା ମାଧ୍ୟମରେ ଅଧିକରୁ ଅଧିକ ପ୍ରଚାର ପ୍ରସାର ଫଳରେ ଅଙ୍ଗଦାନ ଯେପରି ଲୋକାଦୃତ ହେବ ସେଥିପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । 

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ଵତୀ ଏସ., ନଟୋ (National Organ and Tissue Transplant Organization)ର ନିର୍ଦ୍ଦେଶକ ଅନିଲ କୁମାରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।