ତ୍ରୁଟିପୂର୍ଣ୍ଣ ସ୍କୁଟର ପାଇଁ ଗ୍ରାହକଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ ଉପଭୋକ୍ତା କମିସନ...
OLA ଇଲେକ୍ଟ୍ରିକ କୁ ଉପଭୋକ୍ତା କମିଶନଙ୍କ ରାୟ
ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ଓ ବାରମ୍ବାର ମରାମତି ସତ୍ତ୍ୱେ ସମସ୍ୟାର ସମାଧାନ ନହେବା ମାମଲାରେ ଓଲା ଇଲେକ୍ଟ୍ରିକ୍କୁ ଝଟକା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ। ଗ୍ରାହକ ଜୟତ୍ରୀ ପାଢ଼ୀଙ୍କ ଅଭିଯୋଗର ବିଚାର କରି ଆୟୋଗ ଓଲା ଇଲେକ୍ଟ୍ରିକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ତିନି ପ୍ରତିପକ୍ଷଙ୍କୁ ମିଳିତ ଓ ପୃଥକ୍ ଭାବେ ଦାୟୀ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଅଭିଯୋଗକାରିଣୀ ୨୦୨୩ ଡିସେମ୍ବର ୨୧ ତାରିଖରେ ଓଲା S1 Pro (ଦ୍ୱିତୀୟ ଜେନେରେସନ୍) ସ୍କୁଟର କିଣିଥିଲେ।
କିନ୍ତୁ ଗାଡ଼ି କିଣିବାର ମାତ୍ର ୨୫ରୁ ୩୦ ଦିନ ମଧ୍ୟରେ ଷ୍ଟାର୍ଟିଂ ସମସ୍ୟା, ଡିସପ୍ଲେ ବନ୍ଦ ହୋଇଯିବା, ବ୍ୟାଟେରୀ ତ୍ରୁଟି ଏବଂ ଚାଲୁଥିବା ସମୟରେ ହଠାତ୍ ଗାଡ଼ି ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖାଦେଇଥିଲା।
ବାରମ୍ବାର ସର୍ଭିସିଂ ଓ ମରାମତି ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିଲା।
ଏନେଇ ଗ୍ରାହକଙ୍କ ପକ୍ଷରୁ ଆଇନଗତ ନୋଟିସ୍ ଦିଆଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା।
ଶେଷରେ ୨୩ ଅଗଷ୍ଟ ୨୦୨୪ରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗରେ ମାମଲା ଦାୟର ହୋଇଥିଲା।
ମାମଲାର ଶୁଣାଣି ସମୟରେ କମ୍ପାନୀ ପକ୍ଷରୁ ତ୍ରୁଟି ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ କମିଶନ ଉଭୟ ପକ୍ଷର ଦଲିଲ, ଇମେଲ୍, ଜବ୍ କାର୍ଡ ଏବଂ କମ୍ପାନୀର ନିଜସ୍ୱ ସର୍ଭିସ୍ ରେକର୍ଡକୁ ଅନୁଧ୍ୟାନ କରିଥିଲେ।
ନୂଆ ଗାଡ଼ିରେ ବାରମ୍ବାର ତ୍ରୁଟି ଦେଖାଦେବା ଏବଂ ମରାମତି ସତ୍ତ୍ୱେ ସମସ୍ୟା ଦୂର ନହେବାକୁ ସେବାରେ ଅବହେଳା ଓ ଅନ୍ୟାୟ ବାଣିଜ୍ୟିକ କାରବାର ବୋଲି ଆୟୋଗ ମତ ଦେଇଛନ୍ତି।
????ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
୧. ସ୍କୁଟରର ମୂଲ୍ୟ ଓ ପ୍ରୋସେସିଂ ଚାର୍ଜ ବାବଦକୁ ମୋଟ ୧,୪୮,୧୩୯ ଟଙ୍କା ୯ ପ୍ରତିଶତ ବାର୍ଷିକ ସୁଧ ସହ ଫେରସ୍ତ କରିବାକୁ ନିର୍ଦ୍ଦେଶ।
୨. ମାନସିକ ଯନ୍ତ୍ରଣା, ହଇରାଣ ଓ ଯାତାୟାତ ଖର୍ଚ୍ଚ ବାବଦକୁ ୨୫,୦୦୦ ଟଙ୍କା କ୍ଷତିପୂରଣ।
୩. ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ।
୪. ରାୟର ପ୍ରମାଣିତ ନକଲ ପାଇବାର ୪୫ ଦିନ ମଧ୍ୟରେ ଉପରୋକ୍ତ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ। ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ନକଲେ ଦେୟ ରାଶି ଉପରେ ୧୨ ପ୍ରତିଶତ ବାର୍ଷିକ ସୁଧ ଲାଗୁ ହେବ।
ଅର୍ଥ ଫେରସ୍ତ ପରେ ଅଭିଯୋଗକାରିଣୀ ସ୍କୁଟରଟିକୁ ମୂଳ ଚାବି ଓ ଚାର୍ଜର ସହ କମ୍ପାନୀକୁ ହସ୍ତାନ୍ତର କରିବେ। ଏଥିସହ ଗାଡ଼ି ଉପରେ ଥିବା HDFC ବ୍ୟାଙ୍କର ଋଣ ବନ୍ଧକ ହଟାଇବା ଦାୟିତ୍ୱ ମଧ୍ୟ କମ୍ପାନୀର ରହିବ।
ଏହି ମାମଲାରେ ଅଭିଯୋଗ କାରିଣୀଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟ ଆଇନଜୀବୀ ସୁମୀତ କୁମାର ପଟ୍ଟନାୟକ ଓ ଜିଲ୍ଲା ନ୍ୟାୟାଳୟ ଆଇନଜୀବୀ ଭି.ଈଶ୍ୱର ରାଓ ଦୋରା ମାମଲା ପରିଚାଳନା କରିଥିବା ବେଳେ କମ୍ପାନୀ ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ସାହୁ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ସତୀଶ କୁମାର ପାଣିଗ୍ରାହୀ ଓ ସଦସ୍ୟା ସରିତ୍ରୀ ପଟ୍ଟନାୟକଙ୍କ ଖଣ୍ଡପୀଠ ୨ ନଭେମ୍ବର ୨୦୨୬ରେ ଏହି ରାୟ ପ୍ରଦାନ କରିଛନ୍ତି।