ଉମଙ୍ଗ ୨୦୨୬ ରେ ଶ୍ରୀ ଶ୍ରୀ ରବିଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Nov 15, 2026 - 09:05
 6
ଉମଙ୍ଗ ୨୦୨୬ ରେ ଶ୍ରୀ ଶ୍ରୀ ରବିଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶାର ୧୫,୦୦୦ ଯୁବପିଢ଼ିଙ୍କ ସହ ଭାବ ବିନିମୟ କରିବେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର;

ଏହି ଯୁବ ମହୋତ୍ସବରେ ଯୋଗଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା

ନଭେମ୍ବର ୧୭ର ଏହି ଐତିହାସିକ ସମାବେଶର ମୁଖ୍ୟ ଆକର୍ଷଣ ଗୁରୁଦେବଙ୍କ ଅଭିଭାଷଣ, ନିଶାଦ୍ରବ୍ୟ ବିରୋଧୀ ସାମୂହିକ ଯୁବ ଶପଥ ଏବଂ ନିର୍ବାଣ ଷ୍ଟେସନ୍‌ର ଭଜନ କ୍ଲବିଂ

ଆସନ୍ତା ୧୭ ନଭେମ୍ବର ରେ ଓଡ଼ିଶା ଏକ ବୃହତ୍ତମ ଯୁବ ସମାବେଶର ସାକ୍ଷୀ ହେବାକୁ ଯାଉଛି। 

ଦି ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସହଯୋଗରେ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତୀକରଣ ବିଭାଗର ସହଭାଗିତାରେ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀ ଏକତ୍ରିତ ହେବେ। 

ଏହି କାର୍ଯ୍ୟକ୍ରମକ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି।

ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବର ଗରିମା ବୃଦ୍ଧି କରିବେ। 

ଏଥିରେ ଆନ୍ତର୍ଜାତିକ ସ୍ତରରେ ସୁପରିଚିତ ଆଧ୍ୟାତ୍ମିକ ଗୁରୁ, ମାନବତାବାଦୀ ତଥା ଯୁବପିଢ଼ିଙ୍କ ପ୍ରେରଣାସ୍ରୋତ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଯୋଗ ଦେଇ ନିଜର ଅଭିଭାଷଣ ରଖିବା ସହ ଯୁବଗୋଷ୍ଠୀଙ୍କୁ ଉତ୍ସାହ ପ୍ରଦାନ କରିବେ। ଆନ୍ତର୍ଜାତିକ ଛାତ୍ର ଦିବସ ଅବସରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ମଧ୍ୟ ଉପସ୍ଥିତ ରହିବେ।

ଯୁବପିଢ଼ିଙ୍କ ଉତ୍ସାହ ଓ ସାମର୍ଥ୍ୟକୁ ଉତ୍ସବମୁଖର ଭାବେ ପାଳନ କରିବା ସହିତ ସେମାନଙ୍କୁ ସକାରାତ୍ମକ ଚିନ୍ତାଧାରା, ଜୀବନର ଲକ୍ଷ୍ୟ, ଦାୟିତ୍ୱବୋଧ ଏବଂ ସଚେତନ ଜୀବନଶୈଳୀ ଆପଣାଇବାକୁ ପ୍ରେରିତ କରିବା ହେଉଛି ଉମଙ୍ଗ ୨୦୨୬ର ଉଦ୍ଦେଶ୍ୟ। 

ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟର ଅପବ୍ୟବହାର ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇଥିବାରୁ, ଏହି ଉତ୍ସବରେ ସଚେତନ ନିଷ୍ପତ୍ତି, ଯୁବ ନେତୃତ୍ୱ ଏବଂ ଏଥିନିମନ୍ତେ ଆବଶ୍ୟକ ଥିବା ସାମୂହିକ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଉତ୍ସବର ଏକ ପ୍ରମୁଖ ଆକର୍ଷଣ ହେବ ଗୁରୁଦେବଙ୍କ ସହ ଏକ ଆକର୍ଷଣୀୟ, ହାସ୍ୟରସପୂର୍ଣ୍ଣ ଏବଂ ଗଭୀର ପ୍ରଭାବଶାଳୀ ଭାବ ବିନିମୟ କାର୍ଯ୍ୟକ୍ରମ। 

ଏଥିରେ ଗୁରୁଜୀ ସ୍ପଷ୍ଟ ଚିନ୍ତାଧାରା, କରୁଣା, ଆତ୍ମବିଶ୍ୱାସ ଓ ଜୀବନର ଉଦ୍ଦେଶ୍ୟକୁ ନେଇ ଜୀବନ ଜିଇଁବା ସମ୍ପର୍କରେ ନିଜର ଅନ୍ତର୍ଦୃଷ୍ଟି ବାଣ୍ଟିବେ। ଚାପମୁକ୍ତ ମନ ଏବଂ ହିଂସାମୁକ୍ତ ସମାଜ ଗଠନ ନିମନ୍ତେ ପ୍ରଦତ୍ତ ବାର୍ତ୍ତା ଯୁବପିଢ଼ିଙ୍କୁ ନିଜ ଅନ୍ତର୍ନିହିତ ଶକ୍ତି ଚିହ୍ନିବା ସହ ସକାରାତ୍ମକ ସାମାଜିକ ପରିବର୍ତ୍ତନର ବାହକ ହେବାକୁ ପ୍ରେରଣା ଯୋଗାଇବ।

ଗୁରୁଦେବଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ‘ନିଶାଦ୍ରବ୍ୟ ବିରୋଧୀ ଯୁବ ଶପଥ’ ଗ୍ରହଣ କରିବେ। 

ନିଶାଦ୍ରବ୍ୟକୁ ‘ନା’ କହିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସେମାନେ ସାମୂହିକ ସଂକଳ୍ପ ନେବେ। ଏହି ପଦକ୍ଷେପ ଯୁବପିଢ଼ିଙ୍କୁ ପରିବର୍ତ୍ତନର ଦୂତ ହେବାକୁ ଉତ୍ସାହିତ କରିବା ସହ ସେମାନଙ୍କ ସମବୟସୀଙ୍କୁ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରିତ କରିବ। 

ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଗଠନରେ ଯୁବପିଢ଼ି ଏକ ଶକ୍ତିଶାଳୀ ଭୂମିକା ନିଭାଇପାରିବେ ବୋଲି ଏହା ବାର୍ତ୍ତା ଦେବ।

ଉତ୍ସବରେ ସଙ୍ଗୀତର ଉତ୍ସାହଭରା ପରିବେଶ ସୃଷ୍ଟି କରିବ ଦି ଆର୍ଟ ଅଫ୍ ଲିଭିଂର ନିର୍ବାଣ ଷ୍ଟେସନ୍ ପକ୍ଷରୁ ପରିବେଷିତ ‘ଭଜନ କ୍ଲବିଂ’। 

ଭକ୍ତିମୟ ସଙ୍ଗୀତ ସହ ସମସାମୟିକ ସଙ୍ଗୀତର ଅଭିବ୍ୟକ୍ତିକୁ ମିଶାଇ ପ୍ରସ୍ତୁତ ଏହି ଅଭିନବ ଶୈଳୀ ଏକ ଆକର୍ଷଣୀୟ ଓ ଉତ୍ସାହବର୍ଦ୍ଧକ ସଙ୍ଗୀତ ଅନୁଭୂତି ମାଧ୍ୟମରେ ଯୁବପିଢ଼ିଙ୍କୁ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ିବ।

ପାରମ୍ପରିକ ଯୁବ ମହୋତ୍ସବର ସୀମା ଅତିକ୍ରମ କରି ଉମଙ୍ଗ ୨୦୨୬ ଆଧ୍ୟାତ୍ମିକ ଜ୍ଞାନ, ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସାମୂହିକ ସଂକଳ୍ପ ଏବଂ ସଙ୍ଗୀତମୟ ଉତ୍ସବକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି। 

ଏହି ପଦକ୍ଷେପ ମାଧ୍ୟମରେ ଦି ଆର୍ଟ ଅଫ୍ ଲିଭିଂ ବ୍ୟକ୍ତିଗତ ସୁସ୍ଥତା ଓ ସାମାଜିକ ସଦ୍‌ଭାବର ନିଜ ଦର୍ଶନକୁ ଓଡ଼ିଶାର ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇ ଏକ ଆତ୍ମବିଶ୍ୱାସୀ, କରୁଣାମୟ ଓ ସଚେତନ ପିଢ଼ି ଗଢ଼ି ତୋଳିବାକୁ ଉଦ୍ୟମ କରୁଛି।

????କାର୍ଯ୍ୟକ୍ରମର ବିବରଣୀ

କାର୍ଯ୍ୟକ୍ରମ: ଉମଙ୍ଗ ୨୦୨୬ – ଯୁବ ମହୋତ୍ସବ (ଆନ୍ତର୍ଜାତିକ ଛାତ୍ର ଦିବସ)

ସମୟ: ଅପରାହ୍ଣ ୩:୦୦ରୁ ୬:୦୦ଟା

ସ୍ଥାନ: କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର

ଆଶାକରାଯାଉଥିବା ଅଂଶଗ୍ରହଣ: ୧୫,୦୦୦ ଛାତ୍ରଛାତ୍ରୀ

ଆୟୋଜକ: ଦି ଆର୍ଟ ଅଫ୍ ଲିଭିଂ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହଯୋଗରେ

ସହଭାଗୀ: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତୀକରଣ ବିଭାଗ

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ:

????ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅଭିଭାଷଣ

????ନିଶାଦ୍ରବ୍ୟ ବିରୋଧୀ ଯୁବ ଶପଥ

????ଦି ଆର୍ଟ ଅଫ୍ ଲିଭିଂର ନିର୍ବାଣ ଷ୍ଟେସନ୍ ପକ୍ଷରୁ ଭଜନ କ୍ଲବିଂ

ଦି ଆର୍ଟ ଅଫ୍ ଲିଭିଂ ଏବଂ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଷୟରେ

୧୯୮୧ ମସିହାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଦି ଆର୍ଟ ଅଫ୍ ଲିଭିଂ ଏକ ବିଶ୍ୱବ୍ୟାପୀ ଅଣଲାଭକାରୀ, ଶିକ୍ଷାମୂଳକ ଓ ମାନବସେବା ସଂଗଠନ। ଚାପମୁକ୍ତ ମନ ଏବଂ ହିଂସାମୁକ୍ତ ସମାଜ ଗଠନ ଦିଗରେ ଏହା କାର୍ଯ୍ୟ କରୁଛି। 

୧୮୦ରୁ ଅଧିକ ଦେଶରେ କାର୍ଯ୍ୟରତ ଏହି ସଂଗଠନ ବ୍ୟକ୍ତିଗତ ସୁସ୍ଥତା, ଶିକ୍ଷା, ଗ୍ରାମୀଣ ବିକାଶ, ପରିବେଶ ସ୍ଥିରତା, ମାନବୀୟ ସେବା ଏବଂ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆଧ୍ୟାତ୍ମିକ ଗୁରୁ, ମାନବତାବାଦୀ ଏବଂ ବିଶ୍ୱଶାନ୍ତିର ଦୂତ। ଧ୍ୟାନ, ଯୋଗ, ମାନବୀୟ ମୂଲ୍ୟବୋଧ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ତାଙ୍କ ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିଛି। 

ନିଜ ଦୃଷ୍ଟିକୋଣ ଓ ମାନବସେବାମୂଳକ ପଦକ୍ଷେପ ମାଧ୍ୟମରେ ସେ ଲୋକମାନଙ୍କୁ ନିଜ ଅନ୍ତର୍ନିହିତ ସାମର୍ଥ୍ୟ ଆବିଷ୍କାର କରିବା ସହ ଅଧିକ କରୁଣାମୟ, ସଦ୍‌ଭାବପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ଯୋଗଦାନ କରିବାକୁ ନିରନ୍ତର ପ୍ରେରଣା ଦେଇଆସୁଛନ୍ତି।