ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ...
କ୍ୟାନସର ରୋଗର ଚିକିତ୍ସା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇ ଚିକିତ୍ସା ପ୍ୟାକେଜ ମାଷ୍ଟରରେ ଓଡ଼ିଶା ହିତାଧିକାରୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ (Mukhyamantri Cancer Care Abhiyan) ଅଧିନରେ ଅଧିକ 91 ଟି ପ୍ୟାକେଜକୁ ସ୍ୱତନ୍ତ୍ର ରାଜ୍ୟ ନିର୍ଦ୍ଦିଷ୍ଟ ପ୍ୟାକେଜ (state specific package) ଭାବେ ସାମିଲ କରାଯାଇଛି । ଯାହା ଫଳରେ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାର ହିତାଧିକାରୀମାନେ ସଠିକ୍ ସମୟରେ ଉପଯୁକ୍ତ ଗୁଣାତ୍ମକ ଚିକିତ୍ସା ପାଇ ପାରୁଛନ୍ତି ।
ସୂଚନାଯୋଗ୍ୟ, 2025 ମସିହା ଏପ୍ରିଲ ମାସ 11 ତାରିଖ ଦିନ ଓଡ଼ିଶାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସମନ୍ୱିତ ଭାବେ ଆରମ୍ଭ କରାଯାଇଥିଲା । ଏହି ସମନ୍ୱିତ ଯୋଜନାରେ ସମୁଦାୟ 2163 ଟି ଚିକିତ୍ସା ପ୍ୟାକେଜ ଥିଲା ।
କ୍ୟାନସର ପରି ଅତି ଗୁରୁତର ରୋଗର ପ୍ରାରମ୍ଭିକ ଅବସ୍ଥାରୁ ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା କରାଗଲେ ଏହାକୁ ଅନେକ ପରିମାଣରେ ନିୟନ୍ତ୍ରଣାଧୀନ କରାଯାଇପାରେ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବିଭାଗୀର ଜଟିଳ ପଦ୍ଧତି ଉପରେ ଆଧାରିତ ।
ଏହା ଉପଲବ୍ଧି କରି ଓଡ଼ିଶା ସରକାର ବିଶେଷଜ୍ଞମାନଙ୍କ ସୁପାରିଶ କ୍ରମେ ବିଭିନ୍ନ ପ୍ରକାର କର୍କଟ ରୋଗର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିପାଇଁ ପ୍ରାୟ 311 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ NHA ଙ୍କ ଅନୁମୋଦନ କ୍ରମେ ଅଭିଯାନର 91 ଟି ଚିକିତ୍ସା ପ୍ୟାକେଜ କୁ ଏ.ବି.ପି.ଏମ୍.ଜେ.ଏ.ୱାଇ – ଜି.ଜେ. ଏ.ୱାଇ ପ୍ୟାକେଜ ମାଷ୍ଟର (package master) ରେ ରାଜ୍ୟ ନିର୍ଦ୍ଦିଷ୍ଟ ପ୍ୟାକେଜ ଭାବେ ସାମିଲ କରାଯାଇଛି ।
ଏହି ସବୁ ପ୍ୟାକେଜରେ ଦେୟମୁକ୍ତ ଚିକିତ୍ସା ଉପଲବ୍ଧ କରାଇବା ପାଇଁ ସବୁ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ ଜଣାଇ ଦିଆଯାଇଛି । ଫଳରେ କ୍ୟାନସର ଚିକିତ୍ସା ପ୍ୟାକେଜ 545 କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ଚିକିତ୍ସା ପ୍ୟାକେଜ 2254 କୁ ବୃଦ୍ଧି ପାଇଛି ।
ଏହି ରାଜ୍ୟ ନିର୍ଦ୍ଧିଷ୍ଟ ପ୍ୟାକେଜରେ ଓଡ଼ିଶାର ବହୁ ହିତାଧିକାରୀ ବର୍ତ୍ତମାନ ଗୁଣାତ୍ମକ ଦେୟମୁକ୍ତ ଚିକିତ୍ସା ପାଉଛନ୍ତି । ଉଦାହରଣ ସ୍ୱରୂପ, ଯାଜପୁର ଜିଲ୍ଲା ଅନ୍ତର୍ଗତ କୁଆଖିଆ ନିବାସୀ ପ୍ରାୟ 32 ବର୍ଷ ବୟସ୍କ ଆର୍ଯ୍ୟଭାନୁ ମହାନ୍ତି ଏହି ନୂଆ ପ୍ୟାକେଜ ଯୋଗୁ ମାରାତ୍ମକ ଅଣ୍ଡକୋଷ କ୍ୟାନସର ରୋଗରୁ ରକ୍ଷା ପାଇଛନ୍ତି ।
ଗତ ସପ୍ତାହରେ ଭୁବନେଶ୍ୱର ସ୍ଥିତ ବାଗଚୀ ଶଙ୍କରା ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ସେ ଦୃତ ଆରୋଗ୍ୟ ଲାଭ କରୁଛନ୍ତି ।
ସେହିପରି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ନିବାସୀ ପ୍ରାୟ 62 ବର୍ଷ ବୟସ୍କ ଜ୍ୟୋସ୍ନାରାଣୀ ମହାନ୍ତିଙ୍କର ଗର୍ଭାଶୟ କର୍କଟର ମଧ୍ୟ ସଫଳ ଅସ୍ତ୍ରୋପଚାର କରାଯାଇଛି । ସେ ଆସନ୍ତା 2 ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଯିବେ ବୋଲି ଜଣାପଡିଛି ।
ସଠିକ୍ ସମୟରେ ଦେୟମୁକ୍ତ ଭାବେ ସୁପର ସ୍ପେସାଲିଟି ଚିକିତ୍ସା ପାଇଥିବାରୁ ଜୋସ୍ନାରାଣୀ ଏବଂ ଆର୍ଯ୍ୟଭାନୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି ।