ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗ କମିଥିବା କେନ୍ଦ୍ରୀୟ ଅନୁଦାନକୁ ଲୁଚାଇବା ପାଇଁ ବନ୍ୟା ସହାୟତାକୁ ବିଜେପି ପ୍ରଚାର କରୁଛି: ବିଜେଡି

Aug 5, 2026 - 08:17
 3
ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗ କମିଥିବା କେନ୍ଦ୍ରୀୟ ଅନୁଦାନକୁ ଲୁଚାଇବା ପାଇଁ ବନ୍ୟା ସହାୟତାକୁ ବିଜେପି ପ୍ରଚାର କରୁଛି: ବିଜେଡି

ଦୁଇ ବର୍ଷରେ ପ୍ରମୁଖ ବିକାଶ ଯୋଜନାରେ ୪,୫୦୦ କୋଟିର ହ୍ରାସ 

ଆବାସ, ପାନୀୟ ଜଳ, ଗ୍ରାମୀଣ ସଡ଼କ ଓ କୃଷି ଯୋଜନା ପ୍ରଭାବିତ

ଅନୁଦାନ ହ୍ରାସ ତଥ୍ୟ ଲୁଚାଇ ବନ୍ୟା ମୁକାବିଲା ଅନୁଦାନର ପ୍ରଚାର କରାଯାଉଛି

ରାଜ୍ୟରେ ବନ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାକୁ ନେଇ ରାଜ୍ୟ ସରକାର ଓ ବିଜେପି ତରଫରୁ ଏହାକୁ ବିଶେଷ ପ୍ରଚାର କରାଯାଉଛି । 

କିନ୍ତୁ, ଏହି ଅନୁଦାନ କିଛି ବିଶେଷ ଅନୁଦାନ ନୁହେଁ, ବନ୍ୟା ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯୟ ଘଟିଲେ ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳିଥାଏ । ତେଣୁ ଏଥିପାଇଁ ବିଶେଷ ଉଲ୍ଲସିତ ହେବାର କୌଣସି କାରଣ ନାହିଁ ବୋଲି ବିଜେଡି କହିଛି ।  

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେଲେ ରାଜ୍ୟକୁ କେନ୍ଦ୍ରରୁ ଅଧିକ ଅର୍ଥ ଓ ବିକାଶ ମିଳିବ ବୋଲି ବିଜେପି ଯେଉଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା, ଦୁଇ ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ଅନୁଦାନ ବଢିବା ପରିବର୍ତ୍ତେ କମିଛି । ରାଜ୍ୟର ବିଜେପି ନେତାମାନେ ବାସ୍ତବ ଚିତ୍ରକୁ ଲୁଚାଇବା ଉଦ୍ୟେଶରେ ବନ୍ୟା ମୁକାବିଲା ପାଇଁ ମିଳିଥିବା ସହାୟତାକୁ ପ୍ରଚାର କରୁଛନ୍ତି ।  

ଡ଼ ମହାନ୍ତି କହିଥିଲେ ଯେ, ପ୍ରମୁଖ ବିକାଶମୂଳକ ଯୋଜନାଗୁଡ଼ିକରେ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩–୨୪ରେ ୨୧,୫୦୦ କୋଟିରୁ ୨୦୨୪–୨୫ରେ ୧୭,୦୦୦ କୋଟିକୁ ହ୍ରାସ ପାଇଛି । 

ଅର୍ଥାତ୍ ୨ ବର୍ଷ ମଧ୍ୟରେ ପ୍ରାୟ ୪,୫୦୦ କୋଟି ବା ୧୮.୧୯ ପ୍ରତିଶତ ହ୍ରାସ ପାଇଛି । ଏହା କେବଳ ଏକ ଅର୍ଥନୈତିକ ହିସାବ ନୁହେଁ; ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଗରିବ, କୃଷକ ଓ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡ଼ିବ । ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ୪,୩୧୦ କୋଟିରୁ ୮୨୫ କୋଟିକୁ ଖସିଆସିଛି, ଅର୍ଥାତ୍ ପ୍ରାୟ ୩,୫୦୦ କୋଟି ହ୍ରାସ ଘଟିିଛି । 

ସେହିପରି ସହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଅନୁଦାନ ୨୯୬ କୋଟିରୁ ୦.୭୩ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍ ପ୍ରାୟ ୨୯୫ କୋଟି ହ୍ରାସ ପାଇଛି । ଯେଉଁ ସରକାର ଗରିବଙ୍କୁ ଘର ଦେବାର କଥା କହୁଛି, ସେହି ସରକାର ସମୟରେ ଆବାସ ଯୋଜନାରେ ଅନୁଦାନ କାହିଁକି ଏତେ କମିଲା ତାର ଉତ୍ତର ଦେବାର ଆବଶ୍ୟକତା ରହିଛି । 

ଅନୁରୂପ ଭାବେ ଜଳ ଜୀବନ ମିଶନ୍ରେ ମଧ୍ୟ ଓଡ଼ିଶାକୁ ମିଳୁଥିବା ଅନୁଦାନ ୧,୫୮୧ କୋଟିରୁ ୩୬୮ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍ ୧,୨୦୦ କୋଟିରୁ ଅଧିକ ହ୍ରାସ । ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଅନୁଦାନରେ ଏଭଳି ବଡ଼ ହ୍ରାସ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେହିପରି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ଅନୁଦାନ ୧,୨୬୨ କୋଟିରୁ ୭୧୨ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍ ୫୦୦ କୋଟିର ହ୍ରାସ । ଗ୍ରାମୀଣ ଓଡ଼ିଶାର ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ପାଇଁ ଏହା ଏକ ବଡ଼ ଝଟକା । 

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩–୨୪ରେ ଓଡ଼ିଶା ୨୨୩ କୋଟି ପାଇଥିବା ବେଳେ ୨୦୨୪–୨୫ରେ ଅନୁଦାନ ଶୂନ୍ୟ ହୋଇଛି । ରାଜ୍ୟ ସରକାର କୃଷକ ମାନଙ୍କ ବିକାଶ ପାଇଁ ବଡ଼ ବଡ଼ କଥା କହୁଥିବା ବେଳେ ଏହି ଅନୁଦାନ ହ୍ରାସ କୃଷକ ମାନଙ୍କ ବିକାଶର ପ୍ରତିବନ୍ଧକ ସାଜିଛି । 

ଡ଼ ମହାନ୍ତି ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନୁଦାନ ୧୪୬ କୋଟିରୁ ୩୨ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍ ୧୧୨ କୋଟିର ହ୍ରାସ ହୋଇଛି କୃଷକଙ୍କ ଆୟ ବୃଦ୍ଧି ଓ ଜଳସେଚନ ସୁବିଧା ବୃଦ୍ଧିର ଦାବି କରୁଥିବା ସରକାର ଏହି ହ୍ରାସର ସ୍ପଷ୍ଟୀକରଣ ଦେବା ଆବଶ୍ୟକ । 

ଅମୃତ ଭାରତ ରେଳ ଷ୍ଟେସନ୍ ବିକାଶ ପ୍ରକଳ୍ପରେ ଓଡ଼ିଶାକୁ ଦେଶର ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରଖାଯାଇଛି । 

ସେହିପରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆବଣ୍ଟନରେ ଓଡ଼ିଶା ଦେଶର ୧୪ତମ ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟ ବୋଲି ତଥ୍ୟରୁ ଜଣାପଡ଼ୁଛି । ନିର୍ବାଚନ ପୂର୍ବରୁ ବିଜେପି ଡବଲ୍ ଇଞ୍ଜିନ୍ ସରକାର ଡବଲ ବିକାଶ ନାରା ଦେଇଥିଲା ।

କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଗରିବଙ୍କ ଘର, ପାନୀୟ ଜଳ, ଗ୍ରାମୀଣ ସଡ଼କ, କୃଷି ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି । 

ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଡବଲ୍ ଇଞ୍ଜିନ୍ ସରକାରର ଦୁଇ ବର୍ଷ ପରେ ଡବଲ୍ ଇଞ୍ଜିନ୍ରେ ଓଡ଼ିଶାକୁ ଗତି ମିଳିଲା, ନା ୱିକାଶରେ ବ୍ରେକ୍ ଲାଗିଲା? 

ଏହାକୁ ଲୁଚାଇ ରାଜ୍ୟ ବିଜେପି ସରକାର ବନ୍ୟା ମୁକାବିଲା ପାଇଁ ମିଳିଥିବା ୫୦୦ କୋଟି ଟଙ୍କାକୁ ନେଇ ପ୍ରଚାର କରୁଛି । 

ଅନୁଦାନ ହ୍ରାସ ସମ୍ପର୍କରେ, ରାଜ୍ୟ ବିଜେପି ସରକାର ଏହାର ସ୍ପଷ୍ଟ ଓ ତଥ୍ୟଭିତ୍ତିକ ଉତ୍ତର ଦେବାକୁ ଆହ୍ୱାନ କରୁଛୁ ।