ଓଡ଼ିଶାରେ ଉଦ୍ୟାନ କୃଷିର ବିକାଶ ଏବଂ ଚାଷୀଙ୍କ ଆୟ ବଢ଼ାଇବାକୁ ସରକାରଙ୍କ ପ୍ରାଥମିକତା...

Aug 13, 2026 - 20:46
 3
ଓଡ଼ିଶାରେ ଉଦ୍ୟାନ କୃଷିର ବିକାଶ ଏବଂ ଚାଷୀଙ୍କ ଆୟ ବଢ଼ାଇବାକୁ ସରକାରଙ୍କ ପ୍ରାଥମିକତା...

ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ପ୍ରକୃତ ସମସ୍ୟା ବୁଝନ୍ତୁ ଓ ସମାଧାନର ସୂତ୍ର ପ୍ରଦାନ କରନ୍ତୁ ଅଧିକାରୀ- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ 

ସରକାରୀ ଯୋଜନାର ପ୍ରକୃତ କାର୍ଯ୍ୟାନ୍ୱୟନ ହେଉଛି କି ନାହିଁ ତଦାରଖ କରନ୍ତୁ 

ସରକାରଙ୍କ ପକ୍ଷରୁ ଆୟୋଜିତ ଟ୍ରେନିଂରୁ କଣ ଶିଖିଲେ ତାହାକୁ କ୍ଷେତରେ ପ୍ରୟୋଗ କରନ୍ତୁ ଅଧିକାରୀ 

ପ୍ରତି ମାସରେ ନିର୍ଦ୍ଦେଶକ ସମେତ ଅଧିକାରୀଙ୍କ ଗସ୍ତ ରିପୋର୍ଟ ପ୍ରଦାନ ପାଇଁ କଡ଼ା ନିର୍ଦ୍ଦେଶ

ଓଡ଼ିଶାର ଜଳବାୟୁ ଏବଂ ମାଟିର ସୁବିଧାକୁ ନେଇ, ଭୁବନେଶ୍ୱରସ୍ଥିତ କୃଷି ଭବନରେ ଉଦ୍ୟାନ କୃଷି ଅଧିକାରୀମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି। 

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଛି। ଚାଷର ବିକାଶ କରିବା, ଚାଷୀଙ୍କ ରୋଜଗାର ବଢ଼ାଇବା ଏବଂ ପୋଷଣ ସୁରକ୍ଷାକୁ ମଜବୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ଏହି ସମ୍ମିଳନୀ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ (କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ) ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କମିଶନର-ସହ-ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ମାର୍ଗଦର୍ଶନରେ ହୋଇଥିଲା। 

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିୟମିତ କ୍ଷେତକୁ ଯାଇ ଚାଷୀଙ୍କ ସହ କଥା ହେବାକୁ ଏବଂ ସେମାନଙ୍କୁ ସିଧାସଳଖ ସାହାଯ୍ୟ କରିବାକୁ କହିଛନ୍ତି। ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ପ୍ରକୃତ ସମସ୍ୟା ବୁଝିବା ସହ ସମାଧାନର ସୂତ୍ର ପ୍ରଦାନ କରିବାକୁ କହିଛନ୍ତି। 

ଏହାସହ ସରକାରୀ ଯୋଜନାର ପ୍ରକୃତ କାର୍ଯ୍ୟାନ୍ୱୟନ ହେଉଛି କି ନାହିଁ ତାହାର ତଦାରଖ କରନ୍ତୁ। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ଟ୍ରେନିଂରୁ ଅଧିକାରୀମାନେ କଣ ଶିଖିଲେ ତାହାକୁ କ୍ଷେତରେ ପ୍ରୟୋଗ କରନ୍ତୁ। 

ପ୍ରତି ମାସରେ ନିର୍ଦ୍ଦେଶକ ସମେତ ଅଧିକାରୀଙ୍କ ଗସ୍ତ ରିପୋର୍ଟ କାର୍ଯ୍ୟାଳୟରେ ଦାଖଲ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ।

ଏହି ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା; ଯେପରିକି, ଖାଇବା ତେଲର ଅଭାବ ପୂରଣ ପାଇଁ ପାମ୍ ଅଏଲ ଗଛ ଲଗାଇବା, ବିଦେଶୀ ବଜାର ପାଇଁ ଫସଲର ମାନ ବଢ଼ାଇବା, ଏବଂ ଜମିରୁ ଅଧିକ ଲାଭ ପାଇବା ପାଇଁ ଅଧିକ ମୂଲ୍ୟର ଫସଲ ଓ ବ୍ୟବସାୟିକ ଫୁଲ ଚାଷ କରିବା।

ବୈଷୟିକ ଆଲୋଚନାରେ ଆଧୁନିକ ଚାଷ ପଦ୍ଧତି, ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା, ଫସଲ ଅମଳ ପରର ଯତ୍ନ, ଏବଂ ଚାଷୀ ସିଧାସଳଖ ଗ୍ରାହକଙ୍କୁ ପଣ୍ୟ ବିକ୍ରି କରିବା ବିଷୟରେ ଆଲୋଚନା କରାଯାଇଥିଲା। 

ଏହି ଅବସରରେ 'ଖେତୀ ଆଗ୍ରୋ ପ୍ରାଇଭେଟ ଲିମିଟେଡ଼' ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମଧ୍ୟରେ ଜଳବାୟୁ ସହନଶୀଳ କୃଷି ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଏହି ସମ୍ମିଳନୀ ଓଡ଼ିଶାର ଚାଷୀମାନଙ୍କ ଆୟ ବଢ଼ାଇବା ଏବଂ ଉଦ୍ୟାନ କୃଷିର ଆଧୁନିକୀକରଣ ପାଇଁ ଏକ ବଡ଼ ପଦକ୍ଷେପ ଅଟେ। ଶେଷରେ ଅତିରିକ୍ତ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।