ଓଡ଼ିଶାରେ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ...

Sep 3, 2026 - 23:15
 16
ଓଡ଼ିଶାରେ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ...

ଜନଜାତି ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପଗୁଡ଼ିକୁ ଅଧିକ ପ୍ରୋତ୍ସାହନ ନିମନ୍ତେ ପରାମର୍ଶ

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ, ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରଙ୍କୁ ଦିଆଯାଉଥିବା ସହାୟତା, ପ୍ରାଥମିକତା କ୍ଷେତ୍ର, ବିଭିନ୍ନ ବିଭାଗର ସହଯୋଗ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଗତକାଲି ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଅନୁକୂଳ ପରିବେଶକୁ ଆହୁରି ସୁଦୃଢ଼ କରିବା, ସରକାରୀ ବିଭାଗ ଓ ଷ୍ଟାର୍ଟଅପ୍‌ମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା, ନୂତନ ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଯୁବ ଉଦ୍ୟୋଗୀ, ଜନଜାତି ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପଗୁଡ଼ିକ ଏବଂ ନବସୃଜନକାରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ।

ବୈଠକରେ ଜଣାପଡ଼ିଛି ଯେ, ଓଡ଼ିଶା ଷ୍ଟାର୍ଟଅପ୍ ନୀତି -୨୦୧୬ ଅଧୀନରେ ରାଜ୍ୟରେ ୨,୮୯୩ଟି ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି । ଏଥିସହ ୪୩ଟି ଇନ୍କ୍ୟୁବେଟର ମଧ୍ୟ ସ୍ୱୀକୃତିପ୍ରାପ୍ତ ହୋଇଛି । ଷ୍ଟାର୍ଟଅପ୍ ହେଉଛି ନୂଆ ଧାରଣା, ଉତ୍ପାଦ, ସେବା ବା ପ୍ରଯୁକ୍ତି ଆଧାରିତ ଏକ ନୂଆ ବ୍ୟବସାୟ, ଯାହାର ଲକ୍ଷ୍ୟ ଦ୍ରୁତ ବିକାଶ ଓ ନୂଆ ସମାଧାନ ପ୍ରଦାନ କରିବା ।  

ଇନ୍କ୍ୟୁବେଟର୍ ହେଉଛି ଏକ ସଂସ୍ଥା ବା କାର୍ଯ୍ୟକ୍ରମ, ଯାହା ଷ୍ଟାର୍ଟଅପ୍ ମାନଙ୍କୁ ମାର୍ଗଦର୍ଶନ, ପ୍ରଶିକ୍ଷଣ, କାର୍ଯ୍ୟସ୍ଥାନ ଓ ଆବଶ୍ୟକ ସହାୟତା ଯୋଗାଇ ବିକଶିତ ହେବାରେ ସହଯୋଗ କରେ । 

ରାଜ୍ୟରେ ଷ୍ଟାର୍ଟଅପ୍‌ମାନଙ୍କୁ ଏବଂ ଇନ୍କ୍ୟୁବେଟରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।   

ଷ୍ଟାର୍ଟଅପ୍‌ର ବିକାଶ ପାଇଁ କୃଷି ଓ ଏଗ୍ରିଟେକ୍, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତତନ୍ତ ଓ ହସ୍ତଶିଳ୍ପ (ଅରେଞ୍ଜ ଇକୋନୋମି) ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର, ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମ୍ୟାନୁଫାକ୍ଚରିଂ, ସେମିକଣ୍ଡକ୍ଟର, ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସକ୍ଷମ ସେବା, କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଲର୍ଣ୍ଣିଂ, ସଠିକତା ଭିତ୍ତିକ ଉତ୍ପାଦନ( ପ୍ରିସିସନ ଇଂଜିନିୟରିଂ), ଗ୍ରୀନ୍ ଟେକ୍ନୋଲୋଜି ଓ କ୍ଲିନ୍‌ଟେକ୍, ଏରୋସ୍ପେସ୍ ଓ ଡ୍ରୋନ୍, ହେଲଥ୍ କେୟାର ଓ ମେଡ୍-ଟେକ୍ ଏବଂ ବ୍ଲୁ ଇକୋନୋମି ଭଳି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି ।

ସମୀକ୍ଷାରେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ମାସିକ ସହାୟତା, ପ୍ରଡକ୍ଟ ଡେଭଲପମେଣ୍ଟ ଓ ମାର୍କେଟିଂ ସହାୟତା, ଆବଶ୍ୟକତାଭିତ୍ତିକ ସହାୟତା, ସବସିଡାଇଜ୍ଡ ଇନ୍କ୍ୟୁବେସନ୍ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସହାୟତା ଆଦି ବିଷୟରେ ଆଲୋଚନା ହୋଇଥିଲା । 

ମହିଳା, ଟ୍ରାନ୍ସଜେଣ୍ଡର, ଏସଟି , ଏସସି , ଏସଇବିସି ଓ ଭିନ୍ନକ୍ଷମ ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଅତିରିକ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି ।

ଷ୍ଟାର୍ଟଅପ୍‌ଗୁଡ଼ିକୁ ସରକାରୀ ବିଭାଗ ସହିତ ଯୋଡ଼ି ସେମାନଙ୍କ ନୂତନ ପ୍ରଯୁକ୍ତି ଓ ଉତ୍ପାଦର ପ୍ରାୟୋଗିକ ବ୍ୟବହାର ଏବଂ ବଜାର ସୁଯୋଗ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । 

ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମକୁ ବଢାଇବାରେ ବିଭିନ୍ନ ବିଭାଗରେ ନୋଡାଲ୍ ଅଧିକାରୀ ଚିହ୍ନଟ କରିବା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ଓଡ଼ିଶା ଜୀବିକା ମିଶନ, କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓରମାସ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ, ଇଡକୋ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ବିଭାଗ ସହିତ ଷ୍ଟାର୍ଟଅପ୍‌ମାନଙ୍କୁ ଯୋଡ଼ିବା ପାଇଁ ବିଭିନ୍ନ ସହଯୋଗୀ ପଦକ୍ଷେପ ଚିହ୍ନଟ କରାଯାଇଛି । 

ଭିଜନ ଓଡ଼ିଶା ଡକ୍ୟୁମେଣ୍ଟ ଆଧାରରେ ବିଭାଗୀୟ ଲକ୍ଷ୍ୟ ହାସଲ କରିବାରେ ବିଭିନ୍ନ ଷ୍ଟାର୍ଟ ଅପ୍ କୁ ସହାୟତା ନେଇ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । 

ଷ୍ଟାର୍ଟ ଅପ୍ ମାନ୍ୟତା ମୂଲ୍ୟାୟନ ପ୍ରକ୍ରିୟା-୨୦୨୪-୨୫ ଓ ୨୦୨୫-୨୬ ପାଇଁ ସଂପୃକ୍ତ ବିଭାଗଗୁଡ଼ିକରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣପତ୍ର ସମୟୋପଯୋଗୀ ଭାବେ ଦାଖଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । 

ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ବଢାଇବା ପାଇଁ ଅଧିକରୁ ଅଧିକ ଜନଜାତି ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ କୁ ଗୁରୁତ୍ୱ ଦିଆଯାଇଛି । 

ପରୀକ୍ଷା ନିରୀକ୍ଷା ମାଧ୍ୟମରେ ନୂଆ ଧାରଣା ବା ଉଦ୍ଭାବନ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ ଦିଆଯ।ଉଛି । 

କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସ୍ଥାନ, ନୀତିରେ ଆବଶ୍ୟକ ପରିବର୍ତ୍ତନ, ଭିତ୍ତିଭୂମିର ଆବଶ୍ୟକତା ପୂରଣ , ଆନ୍ତର୍ଜାତୀୟ ସହଭାଗିତା, ଓଡ଼ିଶା ଷ୍ଟାର୍ଟ ଅପ୍ ପାଣ୍ଠି ବୃଦ୍ଧି କରିବା ନେଇ ଏମଏସଏମଇ ବିଭାଗ ତରଫରୁ ଉପସ୍ଥାପନ କରାଯାଇଥିଲା । 

ପ୍ରକାଶ ଥାଉକି, ଗତ ୬ ଅଗଷ୍ଟରେ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ସହିତ ଓଡିଶାରେ ଜନଜାତି ଷ୍ଟାର୍ଟ ଅପ୍ କୁ ସୁଦୃଢ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।  

ଷ୍ଟାର୍ଟଅପ୍ ପାଇଁ ବଜେଟ୍ ବ୍ୟବସ୍ଥା, ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଏବଂ ଏଆଇ କାର୍ଯ୍ୟକ୍ରମ, ଜିଲ୍ଲା ଓ ଛୋଟ ସହରରେ ଷ୍ଟାର୍ଟଅପ୍ ଭିତ୍ତିଭୂମି, ଋଣ, ଅନୁଦାନ, ସରକାରୀ କ୍ରୟ, ସହାୟତା ଏବଂ ଷ୍ଟାର୍ଟଅପ୍‌ ମାଧ୍ୟମରେ ନିଯୁକ୍ତି ଓ ଇଣ୍ଟର୍ନସିପ୍ ଭଳି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି ।  

ବୈଠକରେ ଆଦିବାସୀ ଅଞ୍ଚଳରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ପାଇଁ ସମସ୍ତ ଆଦିବାସୀ ଜିଲ୍ଲା ଓ ବ୍ଲକ୍‌ରେ ସଚେତନତା କାର୍ଯ୍ୟକ୍ରମ, ଆଦିବାସୀ ଉଦ୍ୟୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ଇନ୍କ୍ୟୁବେଟର, ଜନଜାତି ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି । 

ଏଥି ସହିତ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଷ୍ଟାର୍ଟ ଅପ ଇକୋ ସିଷ୍ଟମ ସହ ଯୋଡ଼ିବା, ତୃମମୂଳସ୍ତରରେ ନୂଆ ଷ୍ଟାର୍ଟ ଅପ୍ ପଂଜୀକରଣ ସହ ନୂଆ ଇନକ୍ୟୁବେଟର୍ସ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି ।  

ଜାପାନର ତତ୍ତୋରି ପ୍ରିଫେକ୍ଟର ସହିତ ଷ୍ଟାର୍ଟଅପ୍ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗର ସୁଯୋଗ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । 

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ, ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।