ତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର, OPCC- ସଭାପତି...
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ୫ ହଜାର କୋଟି ଟଙ୍କା ଟପିବା ଆଶଙ୍କା – ପିସିସି ସଭାପତି ଭକ୍ତ ଦାସ*
ପିସିସି ସଭାପତି ଗଜପତି ଗସ୍ତ କରିବେ ଶନିବାର
ଆଜି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଗଞ୍ଜାମ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନର ଦ୍ୱିତୀୟ ଦିନରେ ରାଜ୍ୟ କଂଗ୍ରେସର ପର୍ଯ୍ୟବେକ୍ଷକ ଟିମ୍ ଆସିକା, ଭଞ୍ଜନଗର, ସୋରଡ଼ା ଓ ଶେରଗଡ଼ର ବିଭିନ୍ନ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ଏହି ଅବସରରେ ଗିଡିପାବାଲିଠାରେ ଭୂସ୍ଖଳନରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ବଜ୍ରକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିସିସି ସଭାପତି ଭେଟିଥିଲେ। ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସେମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସହ ରାଜ୍ୟ କଂଗ୍ରେସ ପକ୍ଷରୁ ସହାୟତା ପ୍ରଦାନ କରିଥିଲେ।
ଏଥିସହିତ ବିସ୍ଥାପିତ ହୋଇଥିବା ଅନେକ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଥିଲା।
ସେହିପରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି ପିସିସି ସଭାପତି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ।
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ପରିଦର୍ଶନ କରି ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ।
ପ୍ରାଥମିକ ଆକଳନରୁ କେବଳ ଆସିକାର ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିବା ଜଣାପଡ଼ିଛି।
ଗସ୍ତ ସମୟରେ ଅନେକ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ ବନ୍ଦ ହୋଇଯାଇଥିବା ଟିମ୍ ଦେଖିବାକୁ ପାଇଥିଲା।
ବିଭିନ୍ନ ଥଇଥାନ କେନ୍ଦ୍ରରେ ଆବଶ୍ୟକୀୟ ସ୍ଥାନର ଅଭାବ ସହିତ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ସର୍ବନିମ୍ନ ମୌଳିକ ଆବଶ୍ୟକତା ମଧ୍ୟ ଉପଲବ୍ଧ ନଥିବା ଅନୁଧ୍ୟାନ ସମୟରେ ଜଣାପଡ଼ିଥିଲା।
ଚାଷଜମି, ବ୍ୟବସାୟ, ଭାଙ୍ଗିଯାଇଥିବା ଘରଦ୍ୱାର, ବୁଡ଼ିଯାଇଥିବା ରାସ୍ତାଘାଟ, ମୃତାହତ ଗୃହପାଳିତ ପଶୁପକ୍ଷୀ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବିଚ୍ଛିନ୍ନ ହେବା ଆଦି ସମସ୍ତ କ୍ଷୟକ୍ଷତିକୁ ବିଚାରକୁ ନେଲେ ଗଞ୍ଜାମ ଜିଲ୍ଲାରେ ମୋଟ କ୍ଷୟକ୍ଷତିର ପରିମାଣ ପ୍ରାୟ ୫,୦୦୦ କୋଟି ଟଙ୍କା ଟପିଯିବାର ଆଶଙ୍କା ରହିଛି।
ତେଣୁ ରାଜ୍ୟ ସରକାର କେନ୍ଦ୍ରକୁ ମାତ୍ର ଅଢ଼େଇ ହଜାର କୋଟିର ସହାୟତା ବନ୍ୟା ପ୍ରପୀଡିତଙ୍କୁ ନିଅଣ୍ଟ ହେବ ବୋଲି ସେ କହିଥିଲେ।
ଏହି ସମସ୍ତ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଶନିବାର ଶ୍ରୀ ଦାସ ଗଜପତି ଜିଲ୍ଲାର କେତେକ ବନ୍ୟାଞ୍ଚଳ ପରିଦର୍ଶନ କରିବେ।
ପିସିସି ସଭାପତିଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା:
୧. ଭୂସ୍ଖଳନରେ ମୃତାହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ମୁଣ୍ଡପିଛା ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ।
୨. ଚାଷୀଙ୍କୁ ଅମଳ ଶସ୍ୟର ଏମଏସପି ଅନୁସାରେ ହିସାବ କରି ଅନ୍ୟୁନ ୫୦% କ୍ଷତିପୂରଣ ପ୍ରଦାନ କରାଯାଉ।
୩. ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ କରାଯାଉ।
୪. ବନ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଅସ୍ଥାୟୀ ଭାବେ ସରକାରୀ ବସ୍ ସେବାକୁ ଶୁଳ୍କମୁକ୍ତ କରାଯାଉ।
୫. ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଡାକ୍ତରୀ ଟିମ୍ ପଠାଇବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉ।
୬. ବନ୍ୟା ଆଶ୍ରୟସ୍ଥଳୀ ଓ ଥଇଥାନ କେନ୍ଦ୍ରଗୁଡ଼ିକରେ ଲୋକଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଉ।
୭. ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯାଉ।
୮. କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ନୂତନ ୟୁନିଫର୍ମ, ଜୋତା, ବ୍ୟାଗ୍ ଏବଂ ଖାତାବହି ଯୋଗାଇ ଦିଆଯାଉ।
ଏହି ସମସ୍ତ ଦାବି ଉପସ୍ଥାପନ କରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି ଯେ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗଞ୍ଜାମ ଜିଲ୍ଲାର ହଜାର ହଜାର ପରିବାର ଜୀବିକା, ବାସଗୃହ ଓ ସମ୍ପତ୍ତି ହରାଇଛନ୍ତି।
ଏଭଳି ସଙ୍କଟ ସମୟରେ ସରକାର କେବଳ ଘୋଷଣାରେ ସୀମିତ ନରହି ତୁରନ୍ତ ରିଲିଫ୍, ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଆବଶ୍ୟକ। ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକାକୁ ପୁନର୍ବାର ସ୍ୱାଭାବିକ କରିବା ଦିଗରେ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।
ଉକ୍ତ ପର୍ଯ୍ୟବେକ୍ଷକ ଟିମ୍ରେ ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ଶ୍ରୀ ସୁଧାଂଶୁ ଦେଓ, ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଅରବିନ୍ଦ ଦାସ, ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ନାୟକ, ଶ୍ରୀମତୀ ସୋନାଲି ସାହୁ, ଶ୍ରୀ ଦେବକାନ୍ତ ଶର୍ମା, ରାଜ୍ୟ ମୁଖପାତ୍ର ଡ. ମନୀଷା ଦାସ ପଟ୍ଟନାୟକ, ଗଞ୍ଜାମ ପୂର୍ବ ଜିଲ୍ଲା ସଭାପତି ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ ଜିଲ୍ଲା ସଭାପତି ଶ୍ରୀ ଦଣ୍ଡପାଣି ପାତ୍ର, ଶ୍ରୀ ସଞ୍ଜୟ ତ୍ରିପାଠୀ, ଭୋକାଲି ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ।