ଚିଲି ଜଙ୍ଗଲରେ ନିଆଁ, ୪୬ ମୃତ
ଚିଲି : ଚିଲିର ଏକ ଘଞ୍ଚ ଜଙ୍ଗଲରେ ଆକସ୍ମିକ ନିଆଁ ଲାଗିଯିବା ଫଳରେ ଏଠାରେ ରବିବାର ସୁଦ୍ଧା ୪୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ମୃତକଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏହି ଅଗ୍ନିକାଣ୍ଡ ଯୋଗୁ ଜଙ୍ଗଲ ଆଖପାଖରେ ରହୁଥିବା ପ୍ରାୟ ୧୬ଠଠ ଘର ଜଳିପୋଡି ପାଉଁଶ ହୋଇଯାଇଛି । ଚିଲି ସରକାର, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଏବଂ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଭାବେ ମିଳିଥିବା ସୂଚନାନୁସାରେ ଭଲପାରାଏସୋ ଅଞ୍ଚଳରେ ଥିବା ଏହି ଜଙ୍ଗଲର ୪ ଦିଗରେ ନିଆଁ ସମ୍ପ୍ରସାରିତ ହୋଇସାରିଛି ।
୧୯ଟି ହେଲିକପ୍ଟର ଏବଂ ୪୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟମିତ ଭାବେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିଲପୋଇ ଏବଂ ଭିଲ୍ଲା ଆଲେମାନା ସହର ଉପକଣ୍ଠରେ ଥିବା ଏହି ଜଙ୍ଗଲ ନିଆଁ ଯୋଗୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ହଜାର ହେକ୍ଟର ଜଙ୍ଗଲଜମି ନଷ୍ଟ ହୋଇଥିବା କୁହାଯାଇଛି । ଚିଲି ସରକାର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଆଖପାଖ ଅଞ୍ଚଳ ଧୂଆଁମୟ ହୋଇପଡିଥିବା ବେଳେ ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିଚ୍ଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ପତାକାକୁ ୨ ଦିନ ପାଇଁ ଅର୍ଦ୍ଧନମିତ କରାଯାଇ ଶୋକ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।