ନୈନିତାଲରେ ସାମ୍ପ୍ରଦାୟିକ ହିଂସା, ଜାରି ରହିଛି କର୍ଫ୍ୟୁ

ଡେରାଡୁନ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦ୍ୱାନୀ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମିତ ଏକ ମଦ୍ରାସା ଓ ମସଜିଦକୁ କର୍ତ୍ତୃପକ୍ଷ ଭାଙ୍ଗିଦେବା ପରେ ଗୁରୁବାର ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଶୁକ୍ରବାର ଦିନ ନୈନିତାଲ ଜିଲ୍ଲାପାଳ ବନ୍ଦନା ସିଂହ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୨, ପୂର୍ବ ରିପୋର୍ଟ ଅନୁଯାୟୀ ତିନି କିମ୍ବା ଚାରି ନୁହେଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ସ୍କୁଲବନ୍ଦ ରଖାଯାଇଛି। ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ପୋଲିସ ଓ ପ୍ରଶାସନ କାହାର କ୍ଷତି କରିନାହିଁ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜବରଦଖଲ ହଟାଯାଇଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମୀନା କହିଛନ୍ତି ଯେ ମଦ୍ରାସା ଓ ମସଜିଦ ସରକାରୀ ଜମିରେ ବେଆଇନ ନିର୍ମାଣ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଭାଙ୍ଗି ଦିଆଯାଇଛି।ବାଣଭୁଲପୁରାରେ ଉତ୍ତ୍ୟକ୍ତ ଲୋକେ ଗାଡ଼ି ଓ ଥାନାରେ ନିଆଁ ଲଗାଇବା ସହ ପୁଲିସ, ପୌର କର୍ମଚାରୀ ଓ ଗଣମାଧ୍ୟମ ଉପରକୁ ପଥର ମାଡ଼ କରିଥିଲେ। କର୍ତ୍ତୃପକ୍ଷ ସହରରେ କର୍ଫ୍ୟୁ ଜାରି କରିବା ସହ ଦଙ୍ଗାକାରୀଙ୍କ ବିରୋଧରେ ଗୁଳି ମାଡ଼ ଆଦେଶ ଜାରି କରିଛନ୍ତି।

ନୈନିତାଲରେ ସାମ୍ପ୍ରଦାୟିକ ହିଂସା, ଜାରି ରହିଛି କର୍ଫ୍ୟୁ