ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ୧୦୩ତମ ଜନ୍ମବାର୍ଷିକୀ ସମାରୋହରେ ରାଜ୍ୟପାଳ...

May 17, 2026 - 07:26
 3
ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ୧୦୩ତମ ଜନ୍ମବାର୍ଷିକୀ ସମାରୋହରେ ରାଜ୍ୟପାଳ...

ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ୧୦୩ତମ ଜନ୍ମବାର୍ଷିକୀ ସମାରୋହରେ ରାଜ୍ୟପାଳ...

ସଙ୍ଗୀତ ହୃଦୟକୁ ଏକତ୍ର କରେ, ଐତିହ୍ୟ ସଂରକ୍ଷଣ କରେ, ମନକୁ ସୁସ୍ଥ କରିବାରେ ଏବଂ ମାନବିକ ମୂଲ୍ୟବୋଧକୁ ସୁଦୃଢ କରିବାରେ କ୍ଷମତା ରଖେ: ରାଜ୍ୟପାଳ

ସଙ୍ଗୀତ ଭାଷା, ଧର୍ମ, ଅଞ୍ଚଳ ଏବଂ ପିଢ଼ିର ସୀମା ଅତିକ୍ରମ କରି ହୃଦୟକୁ ଏକତ୍ର କରିବାରେ, ମନକୁ ସୁସ୍ଥ କରିବାରେ ଏବଂ ମାନବିକ ମୂଲ୍ୟବୋଧକୁ ସୁଦୃଢ କରିବାରେ ଅନନ୍ୟ କ୍ଷମତା ରଖେ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I

ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶୀ ସଙ୍ଗୀତ ଜଗତର କିମ୍ବଦନ୍ତୀ ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ୧୦୩ତମ ଜନ୍ମବାର୍ଷିକୀ ଏବଂ ପ୍ରତିଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I 

ଏହି ସମାରୋହରେ ଉଦବୋଧନ ଦେଇ ପଣ୍ଡିତ ବାଳକୃଷ୍ଣ ଦାଶଙ୍କୁ “କାଳଜୟୀ ପ୍ରତିଷ୍ଠାନ” ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ତାଙ୍କର ଅବଦାନ ଓଡ଼ିଶାର ସାଂସ୍କୃତିକ ଆତ୍ମାକୁ ସମୃଦ୍ଧ କରିଛି ଏବଂ ପରମ୍ପରାଗତ ଭାବେ କଳାକାର ଓ ସଙ୍ଗୀତପ୍ରେମୀଙ୍କୁ ପ୍ରେରଣା ଯୋଗାଉଛି।

ଏହି କିମ୍ବଦନ୍ତୀ ସଙ୍ଗୀତଜ୍ଞ ଓ ଗାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ, ପଣ୍ଡିତ ବାଳକୃଷ୍ଣ ଦାଶ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ, ଭକ୍ତି ରଚନା, ଛାନ୍ଦ, ଚମ୍ପୂ, ଲୋକସଙ୍ଗୀତ ଏବଂ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖିଛନ୍ତି। 

ସେ ଓଡ଼ିଶୀ ସଙ୍ଗୀତକୁ ଏକ ଜୀବନ୍ତ ଏବଂ ସୁସଂଗଠିତ ଶାସ୍ତ୍ରୀୟ ପରମ୍ପରାରେ ପରିଣତ କରି ରାଜ୍ୟର ସୀମା ବାହାରକୁ ଓଡ଼ିଶାର ସମୃଦ୍ଧ ସଙ୍ଗୀତ ଐତିହ୍ୟକୁ ନେଇଯାଇଛନ୍ତି।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ବାଳକୃଷ୍ଣ ଦାଶ ଶାସ୍ତ୍ରୀୟ ସଙ୍ଗୀତର ଗଭୀରତା ସହ ଭାବନାତ୍ମକ ସୁଗମତାକୁ ସମନ୍ୱୟ କରି ଓଡ଼ିଶୀ ସଙ୍ଗୀତକୁ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ କରାଇପାରିଥିଲେ।

ଚଳଚ୍ଚିତ୍ର, ରେଡିଓ ଏବଂ ସାଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। କଟକ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ସେ ଓଡ଼ିଶାର ସ୍ୱରକୁ ଘର ଘରକୁ ପହଞ୍ଚାଇ ପାରିଛନ୍ତି। 

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଗୁରୁ ଭାବେ ସେ ଅନେକ ପିଢ଼ିର ସଂଗୀତକାରଙ୍କୁ ସୃଷ୍ଟି କରିଛନ୍ତି, ଯେଉଁମାନେ ଆଜି ବି “ବାଳକୃଷ୍ଣ ଦାଶଙ୍କ ଶୈଳୀ” କୁ ବଜାୟ ରଖିଛନ୍ତି।

ଯୁବପିଢ଼ି ପାଇଁ କିମ୍ବଦନ୍ତୀ ପଣ୍ଡିତ ବାଳକୃଷ୍ଣ ଦାସଙ୍କ ଜୀବନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ତାଙ୍କର ଜୀବନ ଉତ୍ସର୍ଗ, ନମ୍ରତା, ଶୃଙ୍ଖଳତା ଏବଂ ସାଂସ୍କୃତିକ ମୂଳ ପ୍ରତି ଗଭୀର ଶ୍ରଦ୍ଧାର ପ୍ରତୀକ। 

ଯୁବସମାଜ ଭାରତର ଐତିହ୍ୟ ପ୍ରତି ଗର୍ବ ଅନୁଭବ କରିବା ସହ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ନବସୃଜନ ଏବଂ ଉତ୍କର୍ଷତା ହାସଲ ପାଇଁ ପ୍ରୟାସ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ସମ୍ମାନ ବିଜେତା ଡ଼. ସୋନାଲ ମାନସିଂହଙ୍କୁ ୨୦୨୬ ମସିହାର “ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମୃତି ପୁରସ୍କାର” ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ I  

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ ତରଫରୁ ଓଡିଶୀ ସଙ୍ଗୀତର ପ୍ରୋତ୍ସାହନ ପାଇଁ ଉତ୍ସବ ପାଳନ, ସଂରକ୍ଷଣ, ତାଲିମ କାର୍ଯ୍ୟକ୍ରମ ଏବଂ ଛାତ୍ରବୃତ୍ତି ଇତ୍ୟାଦି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ I 

ଏହି ସମାରୋହରେ ଜାତୀୟ ମାନବ ଅଧିକାର ଆୟୋଗ, ନୂଆଦିଲ୍ଲୀର ମାନ୍ୟବର ସଦସ୍ୟ ଜଷ୍ଟିସ୍ ଡଃ ବି.ଆର.ଷଡ଼ଙ୍ଗୀ, ଓଏସ୍‌ଏସ୍‌ଏସ୍‌ସିର ଅଧ୍ୟକ୍ଷ ଡଃ ଲଳିତ ଦାସ‌, ନାଲ୍‌କୋର ଏଗଜିକ୍ୟୁଟିଭ ଡାଇରେକ୍ଟର (ଏଚ୍‌ଆର୍‌) ଅଶୁତୋଷ ରଥ ଏବଂ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ସମ୍ମାନ ବିଜେତା ଡ଼. ସୋନାଲ ମାନସିଂହ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ପ୍ରତି ଅମୂଲ୍ୟ ଅବଦାନ ବିଷୟରେ ଅବତାରଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ ର ସଭାପତି ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗୁରୁ ରାମହରି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।