ପାର୍ବଣ ରେ ଚାନ୍ଦା ଆଦାୟ ସମ୍ପୂର୍ଣ ବନ୍ଦ ସହ ଆଦାୟକାରୀଙ୍କ ବିରୁଦ୍ଧରେ ଗ୍ରହଣ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ -DGP
ଆସୁଥିବା ପାର୍ବଣ ଋତୁରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଛନ୍ତି | ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ,ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ସେ ଗୁରୁତ୍ଵ ଦେଇଛନ୍ତି। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।
ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି|
ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ପାର୍ବଣ ଋତୁ ସମୟରେ ବେଆଇନ ଗୋ ଚାଲାଣ ଏବଂ ବେଆଇନ ବାଣ ବିକ୍ରି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏତଦବ୍ୟତୀତ ପୂଜା ସମୟରେ ବିଭିନ୍ନ ସ୍ଥାନରେ କମିଟି ପକ୍ଷରୁ ମେଳାର ଆୟୋଜନ କରାଯାଇଥାଏ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସ୍ଥାନଗୁଡିକୁ ପରିଦର୍ଶନରେ ଯାଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।